ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଭିଳାଷ

ଏକଥା ଶୁଣି ସେ ଗୁରୁ ଗମ୍ଭୀର ଭାବରେ କହିଲେ, “ଦେଖ ବତ୍ସଳ, ଥରେ କମଳ ବିଷୟରେ ଠିକ୍ ଏହିପରି ଏକ ଘଟଣା ଘଟିଥିଲା । କିନ୍ତୁ ସେ ମୋତେ ନିନ୍ଦା ନ କରି ପ୍ରାର୍ଥନା କରି କହିଥିଲା କି ତା’ର ଭୁଲକୁ ସୁଧାରି ଦେଲେ ସେ ଏକ ଭଲ ଶିକ୍ଷକ ହୋଇ ପାରିବ । ଅଥଚ ତୁମେ କହୁଛ ମୁଁ ତୁମକୁ ଇର୍ଷ୍ୟା କରୁଛି । ଏହା ତୁମର ଗର୍ବ ପଣିଆର ସୂଚନା ଦେଉଛି । ଯିଏ ପ୍ରକୃତରେ ଜ୍ଞାନୀ, ସେ ହିଁ ଉତ୍ତମ ଶିକ୍ଷକ । କିନ୍ତୁ ଗର୍ବ ତ ଅଜ୍ଞାନର ଲକ୍ଷଣ ।”

ତା’ପରେ ବତ୍ସଳ ଗୁରୁଙ୍କୁ କହିଲା, “ଗୁରୁଦେବ ମୋର ଅପରାଧ କ୍ଷମା କରନ୍ତୁ; ମୁଁ ଚାହେଁ ଆପଣଙ୍କ ଶିଷ୍ୟ ଭାବରେ ମୋର ଯଶକୀର୍ତ୍ତି ଚାରିଆଡେ ବ୍ୟାପି ଯାଉ କୁହନ୍ତୁ କ’ଣ କଲେ ମୁଁ ଜଣେ ସର୍ବୋତ୍ତମ ଶିକ୍ଷକ ହୋଇ ପାରିବି ।”

ଗୁରୁ ବତ୍ସଳକୁ କହିଲେ, “ପୁତ୍ର, ତମେ ଏପରି କିଛି ଅକ୍ଷମଣୀୟ ଅପରାଧ କରିନାହଁ । ତୁମେ କେବଳ ନିଜର ‘ଗର୍ବ’ଟି ଛାଡିଦେଲେ ଜଣେ ସର୍ବୋତ୍ତମ ଶିକ୍ଷକ ହୋଇ ପାରିବ । କଷ୍ଟକରି ବିଦ୍ୟାଲାଭ କରିବା ଏକ ଗୁଣ । କମଳର ମଧ୍ୟ ଏହି ଇଚ୍ଛା ଥିଲା । ସେଥିପାଇଁ ମୁଁ ଥରେ ତାକୁ ମୁକ୍ତପୁରକୁ ପଠାଇଥିଲି ଛମାସ ମଧ୍ୟରେ ତିନିଜଣ ବୈଶ୍ୟଙ୍କୁ ଶିକ୍ଷାଦାନ ଦେବାକୁ । କିନ୍ତୁ ଛମାସ ପରେ ସେ ନିରାଶ ହୋଇ ଫେରିଲା । ତୁମେ ଯେବେ ଛମାସ ମଧ୍ୟରେ ସେ ତିନିଜଣଙ୍କୁ ବିଦ୍ୟା ଶିକ୍ଷା ଦେଇପାରିବ ତେବେ ଉତ୍ତମ ଗୁରୁ ଭାବରେ ପ୍ରଶଂସା ନିଶ୍ଚୟ ପାଇବ ।

ଏକଥା ଶୁଣି ବତ୍ସଳ ମନରେ ଖୁବ୍ ଉତ୍ସାହ ଦେଖାଦେଲା । ସେ ଗୁରୁଙ୍କଠାରୁ ସମସ୍ତ ବିବରଣୀ ସହ ମୁକ୍ତପୁରକୁ ଚାଲିଗଲା । ପ୍ରଥମ ଜଣକ ହେଉଛି କ୍ଷୁରକ ନାମକ ନାପିତ । ବାଳ କାଟିବାରେ ଓ ନିଶଦାଢୀ ଖିଅର କରିବାରେ ସେ ଥିଲା ଅଦ୍ୱିତୀୟ । ନିଜର ଜାତିଗତ ପେଶା ନେଇ ସେ ବହୁତ ପଇସା ରୋଜଗାର କରି ଏକ ବିରାଟ ଘର ନିର୍ମାଣ କରିଥାଏ ଓ ଧନୀ ହୋଇ ଯାଇଥାଏ । ତଥାପି ମଧ୍ୟ ସେ ନିଜର ପେଶା ଛାଡି ନଥାଏ । ତା’ପରି ଆଉ ଦୁଇଜଣ ସେହି ଗ୍ରାମରେ ଥାନ୍ତି ଜଣେ କ୍ଷାଳକ ନାମକ ଧୋବା ଓ ତନ୍ତୁବାୟ ନାମକ ଜଣେ ତନ୍ତୀ । ସେମାନେ ମଧ୍ୟ ନିଜ ନିଜ ପେଶାରେ ଥିଲେ ଅଦ୍ୱିତୀୟ । ସେମାନେ ମଧ୍ୟ ଧନୀ ଥିଲେ; ତଥାପି ନିଜ ନିଜର ଜୀବିକା ଛାଡି ନଥିଲେ, କିନ୍ତୁ ବିଦ୍ୟାଶିକ୍ଷା ଦିଗରୁ ଦେଖିଲେ ସେ ତିନିଜଣଯାକ ସଂପୂର୍ଣ୍ଣ ନିରକ୍ଷର ଥିଲେ ।”

ବତ୍ସଳ ପ୍ରଥମେ ଯାଇ ପହଁଚିଲା କ୍ଷୌରକ ପାଖରେ । ସେ କହିଲା, “ମହାଶୟ, ବିଦ୍ୟାଦାନ ଯେପରି ତୁମର ପେଶା, ମୋର ମଧ୍ୟ କ୍ଷୌର କରିବା, ବାଳ କାଟିବା ହେଉଛି ପେଶା, ମୁଁ ତାକୁ ଛାଡି ସମୟ ନଷ୍ଟ କରି କାହିଁକି ପାଠ ପଢିବି? ମୋର ତ ସେଥିପାଇଁ କୌଣସି ଆବଶ୍ୟକତା ନାହିଁ । ଉତ୍ସାହ ମଧ୍ୟ ନାହିଁ । ହରିକଥା ଶୁଣି ଶୁଣି ଯେତିକି ଜ୍ଞାନ ମିଳୁଛି ତାହାହିଁ ମୋ ପାଇଁ ଯଥେଷ୍ଟ । ଆଉ ନିଜେ କାହିଁକି ବିଶେଷ ଭାବରେ ସମୟ ଦେଇ ପାଠ ପଢିବି?”

ବତ୍ସଳ ତାକୁ ବୁଝାଇବାକୁ ଯାଇ କହିଲା, “କୁହାଯାଏ ବିଦ୍ୟାହୀନ ବ୍ୟକ୍ତି ପଶୁ ସମାନ; ତୁମେ ତ ଯେତେ ଧନ ଅର୍ଜ୍ଜନ କରିଛ ବସି ଖାଇଲେ ମଧ୍ୟ ତିନିପୁରୁଷ ଏଥିରେ ଚଳିଯିବେ, ଏବେ ବିଦ୍ୟାଶିକ୍ଷା ପାଇଁ କିଛି ସମୟ ଦିଅ । ଅଳ୍ପ ସମୟ ମଧ୍ୟରେ ମୁଁ ତୁମକୁ ବିଦ୍ୱାନ କରିଦେବି ।”

ଏକଥା ଶୁଣି ସେ କ୍ଷୌରକ କହିଲେ, “ବିଦ୍ୟାଲାଭ କର ବା ନ କର ପ୍ରତ୍ୟେକ ମଣିଷ ହେଉଛି ଏକ ବିଚିତ୍ର ପଶୁ । ସମ୍ପତ୍ତି ତ ଆଜି ଅଛି କାଲି ନାହିଁ । ତେଣୁ ମୋର ପେଶା ହେଉଛି ମୋର ପ୍ରକୃତ ସମ୍ପତ୍ତି । ତା’ଛଡା ମୁଁ ବଂଚିଥିବା ଭିତରେ ସମୟ ନଷ୍ଟ କରିବି ଓ ଅନ୍ୟ କେହି ମୋ ଠାରୁ ମୋ ପେଶାରେ ବଡ ହୋଇଯିବେ ଏକଥା ମଧ୍ୟ ମୋ ପାଇଁ ଅସହ୍ୟ । ବଳବୟସ ଥିବା ପର୍ଯ୍ୟନ୍ତ ମୁଁ ମୋ ପେଶା କଦାପି ମଧ୍ୟ ଛାଡିବି ନାହିଁ ।”

କ୍ଷାଳକ ଓ ତନ୍ତୁବାୟଙ୍କଠାରୁ ବତ୍ସଳ ସେହି ଏକା ପ୍ରକାରର ଉତ୍ତର ପାଇଲା । ସେ ତିନିଜଣଯାକ ନିଜ ନିଜ ପେଶା ନେଇ ବ୍ୟସ୍ତ । କେହି ବି ବିଦ୍ୟାଶିକ୍ଷା କରିବାକୁ ରାଜି ନୁହଁନ୍ତି । ବତ୍ସଳ ନିରାଶ ନହୋଇ ଛମାସ କାଳ ତାଙ୍କ ପାଖେ ପାଖେ ରହି ସେମାନଙ୍କ ମନରେ ବିଦ୍ୟାଶିକ୍ଷା ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ବହୁ ପ୍ରକାର ଚେଷ୍ଟା କରି ମଧ୍ୟ ଶେଷକୁ ନିଷ୍ଫଳ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ