ଅବଶେଷରେ ବତ୍ସଳ ଗୁରୁଙ୍କ ପାଖକୁ ଫେରି ଆସିଲା ଓ ନିଜେ ହାରିଯାଇଛି ବୋଲି ସ୍ୱୀକାର ବି କଲା । ସବୁକଥା ଶୁଣି ଗୁରୁ ହସି ହସି କହିଲେ, “ସ୍ୱାସ୍ଥ୍ୟ ପାଇଁ ମଣିଷ ବ୍ୟାୟାମ କରେ । କିନ୍ତୁ ହିଂସ୍ରଜନ୍ତୁମାନେ ନିଜର ଶୀକାର ପାଇଁ ଅଲଗା ଭାବରେ କୌଣସି ବ୍ୟାୟାମ କରନ୍ତି ନାହିଁ । ତାହା ସେମାନଙ୍କ ଜୀବନର ଅଭିନ୍ନ ଅଙ୍ଗ; ତେଣୁ ତାହା ଦୈନନ୍ଦିନ ଜୀବନ ସହିତ ଯୁକ୍ତ ଥାଏ । ଠିକ୍ ସେହିପରି କୌଣସି ଜୀବିକାରେ ପ୍ରବୀଣ ବ୍ୟକ୍ତି ପାଇଁ ବିଦ୍ୟାଭ୍ୟାସର କୌଣସି ବିଶେଷ ଆବଶ୍ୟକତା ନଥାଏ । ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କି କେବଳ ଆବଶ୍ୟକତା ଦୃଷ୍ଟିରୁ ହିଁ ବିଦ୍ୟାଭ୍ୟାସ କରନ୍ତି ମାତ୍ର ବିଦ୍ୟାଶିକ୍ଷା ପାଇଁ ନୁହେଁ । ତମେ ମଧ୍ୟ ଯଦି ସେମାନଙ୍କ ପରି କୌଣସି ବିଷୟରେ ପ୍ରବୀଣ ହୋଇଥା’ନ୍ତ, ତେବେ ତମେ ବି ବିଦ୍ୟାଭ୍ୟାସ କରନ୍ତ ନାହିଁ । ତମେ ନିଜର ଆବଶ୍ୟତା ପାଇଁ ବିଦ୍ୟାଶିକ୍ଷା କରିଛ । କିନ୍ତୁ ଜ୍ଞାନ ସକାଶେ ଯେକୌଣସି ବିଦ୍ୟା ଅର୍ଜ୍ଜନ କରିବା ଥିଲା କମଳର ଲକ୍ଷ୍ୟ । ସେଥିପାଇଁ ସେ ସର୍ବଦା ତୁମ ଅପେକ୍ଷା ଅଧିକ ମହାନ୍ ହୋଇ ରହିବ ।”
ଗୁରୁଙ୍କ ଏଭଳି କଥା ଶୁଣି ବତ୍ସଳ ହଠାତ୍ ରାଗିଯାଇ କହିଲା, “ଗୁରୁଦେବ, କମଳ ମଧ୍ୟ ସେ ତିନିଙ୍କୁ ବିଦ୍ୟାଶିକ୍ଷା ଦେଇ ନପାରି ଅସଫଳ ହୋଇ ଫେରିଲା । ତଥାପି ମଧ୍ୟ ଆପଣ ମୋ ଠାରୁ ତାକୁ ଅଧିକ ମୂଲ୍ୟ ଦେଇ ମୋ ମନକୁ ଛୋଟ କରି ଦେଉଛନ୍ତି ।”
ଗୁରୁ ପଚାରିଲେ, “ତୁମେ ସେ ତିନିଜଣଙ୍କୁ ବିଦ୍ୟାଶିକ୍ଷା ଦେଇ ନପାରି ଛ ମାସ ମୁକ୍ତପୁରରେ ରହି ଫେରି ଆସିଲ । ତମେ ଜାଣକି ଯାହାର ବିଦ୍ୟାଶିକ୍ଷା ପ୍ରତି ଉଚ୍ଚ ଅଭିଳାଷ ଥିବ ସେ କ’ଣ କରିଥା’ନ୍ତା ଏ କ୍ଷେତ୍ରରେ?”
ବତ୍ସଳ ନୀରବ ରହିବାରୁ ଗୁରୁ ଗମ୍ଭୀର ହୋଇ କହିଲେ, “କମଳ ସେଠାରେ ଛ ମାସ ଧରି ରହିବା ସମୟ ମଧ୍ୟରେ, ସେମାନଙ୍କ ପାଖରେ ଥାଇ ସେମାନଙ୍କ ପେଶା ଭଲ ଭାବରେ ଶିଖିନେଲା ସେସବୁ ତ ବିଦ୍ୟାର ଅନ୍ତର୍ଗତ । ତଦ୍ୱାରା ବିଦ୍ୟା ପ୍ରତି ତା’ର ସମ୍ମାନ ଓ ଉଚ୍ଚ ଅଭିଳାଷ ସେ ପ୍ରମାଣ କଲା ।
ଏକଥା ଶୁଣି ସେ ବତ୍ସଳର ମୁହଁ ହଠାତ୍ ଫିକା ପଡିଗଲା । ତା’ପରେ ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କମଳ ପରି ମହାନ୍ ପଣ୍ଡିତ ପାଇଁ ସେସବୁ ବିଦ୍ୟା ଶିଖିବାର ଆବଶ୍ୟକତା କ’ଣ?”
ତହୁଁ ସେ ଗୁରୁ ସୁବୋଧ କହିଲେ “ସେତିକି ତ ତଫାତ୍ ତୁମ ଓ ତା’ମଧ୍ୟରେ । ତୁମେ ଆବଶ୍ୟକତା ପାଇଁ ବିଦ୍ୟାଶିକ୍ଷା କଲ । ମାତ୍ର ସେ ଯେଉଁ ବିଦ୍ୟା ନ ଜାଣିଥାଏ ତାହା ଉତ୍ସାହର ସହିତ ଶିଖି ପକାଏ । ଜାଣିବାର ଇଚ୍ଛା ତା’ମଧ୍ୟରେ ସଦା ଜାଗ୍ରତ । ମୁକ୍ତପୁରରେ ଛ ମାସ ରହିବା ମଧ୍ୟରେ ସେ ସମୟ ବ୍ୟର୍ଥରେ ଯିବାକୁ ଦେଇନାହିଁ । ସେ ପଢାଇ ପାରିଲା ନାହିଁ ସିନା, କିନ୍ତୁ ତିନି ପ୍ରକାର ବିଦ୍ୟା ନିଜେ ଶିଖିଗଲା ।”
ଏବେ ବତ୍ସଳ ଠିକ୍ ବୁଝିଗଲା ଯେ, ଗୁରୁ କାହିଁକି କମଳକୁ ଯଥାର୍ଥ ଶିକ୍ଷାପ୍ରେମୀ ବୋଲି କହନ୍ତି । ଏଣିକି ସେ ନିଜକୁ କମଳ ପରି ଗଢିବାକୁ ଚେଷ୍ଟା କଲା ।