ଚନ୍ଦ୍ରଗିରି ରାଜ୍ୟ ମର୍ତ୍ୟପୁରୀରେ ସ୍ୱର୍ଗ ଭଳି ଥିଲା । ରାଜା ରୁଦ୍ରସେନ ପ୍ରଜା ବତ୍ସଳ ଥିଲେ; ରାଣୀ ଦୟାଳୁ ଥିଲେ, ପ୍ରଜାମାନେ ଖୁସିବାସିଆ ଥିଲେ ।
ଚନ୍ଦ୍ରଗିରିର ପୂର୍ବକୁ ମିତ୍ରପୁରୀ ରାଜ୍ୟ ଥିଲା । ଆୟତ୍ତନରେ ଓ ସୈନ୍ୟବଳରେ ସେ ରାଜ୍ୟ ଚନ୍ଦ୍ରଗିରିଠୁଁ ବଡ । କିନ୍ତୁ ସେ ରାଜ୍ୟର ରାଜକନ୍ୟାଦିଁ ରାଜା ରୁଦ୍ରସେନଙ୍କୁ ବିଭା ହୋଇଥିଲେ । ଫଳରେ ଚନ୍ଦ୍ରଗିରିର ବିପଦ ଆପଦବେଳେ ମିତ୍ରପୁରୀର ସାହାଯ୍ୟ ମିଳିବା ଏକପ୍ରକାର ନିଶ୍ଚିତ ଥିଲା । ତେଣୁ ରାଜା ରୁଦ୍ରସେନ ନିଶ୍ଚିନ୍ତରେ କାଳ କାଟୁଥାନ୍ତି ।
ରାଜା ରୁଦ୍ରସେନଙ୍କର ଦୁଇ ସନ୍ତାନ ଥିଲେ । ବଡଟି କନ୍ୟା । ନାମ ସୁବର୍ଣ୍ଣା । ସାନଟି ପୁତ୍ର । ନାମ ତା’ର ବିଜୟ । ଏ ଦୁହିଁଙ୍କୁ ଲୋକେ ବହୁତ ଶ୍ରଦ୍ଧା କରୁଥିଲେ ।
ଚନ୍ଦ୍ରଗିରିର ଦକ୍ଷୀଣକୁ ସମୁଦ୍ର । ସମୁଦ୍ର ଓ ଲୋକାଳୟ ମଝିରେ ଅରଣ୍ୟ ଓ ପର୍ବତମାଳା ।
ସେହି ଅରଣ୍ୟ ଭିତରେ ଗୋଟିଏ ଉପତ୍ୟକାରେ ଭୈରବ ଶର୍ମା ନାମକ ଜଣେ ତାନ୍ତ୍ରିକ ରହୁଥିଲା । ସେ କୁଆଡେ ମଣିଷମାନଙ୍କୁ ଗଛ, ଗଛମାନଙ୍କୁ ପଶୁ ଓ ପଶୁମାନଙ୍କୁ ପକ୍ଷୀରେ ପରିଣତ କରିପାରୁଥିଲା । ସେ ଉପତ୍ୟକା ଭିତରକୁ ପଶିବାକୁ ଲୋକେ ଭୟ କରୁଥିଲେ ।
ତାନ୍ତ୍ରିକ ଭୈରବ ଶର୍ମାର ମୃତ୍ୟୁ ପରେ ତା’ର ପଟ୍ଟ ଶିଷ୍ୟ ବିକଟ ଶର୍ମା ମଧ୍ୟେ ମଧ୍ୟେ ଲୋକାଳୟକୁ, ଏପରିକି ରାଜନଅରକୁ ମଧ୍ୟ ଆସୁଥାଏ । ରାଜା ରୁଦ୍ରସେନ ତାକୁ ମୋଟାମୋଟି ଭାବେ ସମ୍ମାନ ଦେଖାଉଥାନ୍ତି । କିଏ ଜାଣେ, ହୁଏତ ଲୋକଟାର କୌଣସି ଯାଦୁ ଶକ୍ତି ଥିବ!
ସେ ବର୍ଷ ଗୋଟିଏ ଉତ୍ସବ ଉପଲକ୍ଷେ ରାଜକନ୍ୟା ସୁବର୍ଣ୍ଣା ଓ ରାଜପୁତ୍ର ବିଜୟ ମାମୁଁ ଘର ଆଡେ ଚାଲିଲେ । ଘୋଡା ଚଢି ସେମାନେ ଖୁବ୍ ଅଳ୍ପ ସମୟ ଭିତରେ ନିଜ ଦେହରକ୍ଷୀମାନଙ୍କୁ ଟପିଗଲେ । ଦୁଇ ରାଜ୍ୟ ଭିତରେ ରାସ୍ତା ନିର୍ଜନ କିନ୍ତୁ ନିରାପଦ । ତେଣୁ ଭାଇ ଭଉଣୀ ଦୁହେଁ ହଠାତ୍ ଯାଇ ଅଜା ଆଈଙ୍କ ଆଗରେ ପହଁଚିବାରେ ଯେଉଁ ଆନନ୍ଦ ପାଇବେ, ସେଥିରେ ଦେହରକ୍ଷୀମାନେ ବା କାହିଁକି ବାଧା ଦିଅନ୍ତେ?
ଦୁହେଁ ପରସ୍ପର ପ୍ରତିଯୋଗିତା କରି ଘୋଡା ଝପଟାଉଥାନ୍ତି । ସେମାନେ ଅରଣ୍ୟମୟ ଅଂଚଳରେ ଯାଇ ପହଁଚିଲେ । ସେଯାଏଁ ଗଛଲତା ଶୀର୍ଷରୁ କୁହୁଡି ଅପସରିଯାଇ ନଥାଏ ।
“କ୍ଷଣେ ରୋକିଯାଅ!” ଏ ଅନୁରୋଧ ଶୁଣି ସୁବର୍ଣ୍ଣା ଓ ବିଜୟ ଘୋଡାର ଲଗାମ୍ ଟାଣି ଧରିଲେ । ସେମାନେ ଦେଖିଲେ ତାନ୍ତ୍ରିକ ବିକଟ ଶର୍ମା କୁହୁଡି ଭିତରୁ ବାହାରୁଛି ।
ତାନ୍ତ୍ରିକ କହିଲା “ଏ ପ୍ରସାଦ ଗ୍ରହଣ କର ।”
ରାଜକନ୍ୟା ରାଜପୁତ୍ର ଘୋଡାରୁ ଓହ୍ଲାଇ ପଡିଲେ । ବିକଟ ଶର୍ମା ଗୋଟାଏ ଲାଲ୍ ପାତ୍ରରୁ ପାଣି ଢାଳିବାକୁ ଉଦ୍ୟତ ହୋଇ କହିଲା, “ପ୍ରଥମେ ହାତ ମୁହଁ ଧୋଇ ପକାଅ ।”