ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଭୁଲା ସ୍ମୃତି

ଦିନକର ଘଟଣା । ଗାନ୍ଧିଜୀ ସେବାଗ୍ରାମରେ ରହୁଥାନ୍ତି । ତାଙ୍କ ପାଖରେ ଆକବର ସହକର୍ମୀ ରୂପେ ଥିଲେ । ବାପୁ କୌଣସି ଏକ କାମରେ ବାହାରକୁ ଯାଇଥାନ୍ତି । ତାଙ୍କ କୋଠରୀ ସଫା ନ ଥାଏ । ଆକବର କୋଠରୀ ସଫା କାମରେ ଲାଗିଗଲେ । ଅଳିଆ ଅସନା ତ ଗାନ୍ଧିଜୀଙ୍କୁ ମୋଟେ ଭଲ ଲାଗେନାହିଁ । ଯଦି କେହି ନିଜ କୋଠରୀ ସଫା ନ କରନ୍ତି ତା’ହେଲେ ଗାନ୍ଧିଜୀ କାହାରିକୁବି ଅପେକ୍ଷା ନ କରି ନିଜେ ସେହି କୋଠରୀ ସଫା କରିଦିଅନ୍ତି । ତାଙ୍କ ମନରେ ନିଜ-ପର ଏଭଳି କୌଣସି ଭେଦଭାବ ନ ଥାଏ ।

                ଆକବର କୋଠରୀ ଜିନିଷପତ୍ର ସଜାଡି ରଖିଲେ । ତିନି ମାଙ୍କଡ ମୂର୍ତ୍ତିଟି ହାତରୁ ଖସିପଡି ତାହା ଭାଙ୍ଗିଗଲା । ଆକବର ବଡ ଅସୁବିଧାରେ ପଡିଲେ । ସେ ଗାନ୍ଧିଜୀଙ୍କୁ କିପରି କହିବେ ଯେ ତାଙ୍କର ପ୍ରିୟ ମାଙ୍କଡ ମୂର୍ତ୍ତି ଭାଙ୍ଗି ଯାଇଅଛି । ଆକବରଙ୍କୁ ଖାଇବାପିଇବା ମୋଟେ ଭଲ ଲାଗିଲା ନାହିଁ । ଗାନ୍ଧିଜୀଙ୍କ ଅପେକ୍ଷାରେ ସେ ରହିଲେ ।

ବେଳ ବୁଡିଗଲା । ଗାନ୍ଧିଜୀ ଆଶ୍ରମକୁ ଫେରିଲେ । ପ୍ରାର୍ଥନା ଆରମ୍ଭ ହେଲା । ଆକବର ଭାଇ ସେଠାରେ ରହିଥାନ୍ତି । ପ୍ରାର୍ଥନା ଶେଷରେ ବାପୁ ପାଣି ପିଇବାକୁ ମାଗିଲେ । ଆକବର ପାଣିନେଇ ଦେଲେ । ସେ ହାତଯୋଡି କହିଲେ – “ବାପୁ! କୋଠରୀ ସଫା ସମୟରେ ସେହି ତିନିମାଙ୍କଡ ମୂର୍ତ୍ତିଟି ଭାଙ୍ଗି ଯାଇଅଛି । ମୁଁ ଅପରାଧ କରିଅଛି । ମୋତେ ସେଥିଲାଗି ଦଣ୍ଡ ଦିଅନ୍ତୁ ।” ବାପୁ ଟିକିଏ ଦୁଃଖ କଲେ; କିନ୍ତୁ ଆକବରର ସତ୍ୟବାହିତା ଗୁଣ ଦେଖି ସେ ଖୁବ୍ ଖୁସି ହୋଇ କହିଲେ – “ଆକବର! ଦୋଷୀ ଦଣ୍ଡପାଇବାଟାତ ସ୍ୱାଭାବିକ । ଏଥିରେ ଆଉ ଭାବିବାର କ’ଣ ଅଛି?”

ମୁଁ ଯେଉଁ ଦଣ୍ଡଦେବି, ତାହା ତୁମ ଜୀବନରେ ସବୁଦିନ ଲାଗି ‘ଅଭୁଲା ସ୍ମୃତି’ ହେବ । ବାପୁଙ୍କ କଥାରେ ଆକବର ଭୀଷଣ ମାତ୍ରାରେ ଡରିଗଲେ । କିନ୍ତୁ ତାଙ୍କର ଗାନ୍ଧିଜୀଙ୍କ ଉପରେ ଅଟଳ ବିଶ୍ୱାସ ଓ ଭକ୍ତି ଥାଏ । ବାପୁ କହିଲେ – “ଆକବର! ମୋ ଆଗରେ ତୁମେ ଯେପରି ନିର୍ଭୀକ ଭାବରେ ସତ କଥା କହିଛ, ତାହା ଯେପରି ଜୀବନରେ ପାଳନ କରିବ, ଏହାହିଁ ତୁମପାଇଁ କଠୋର ଦଣ୍ଡ ।”

ଆକବର ଶପଥ କଲେ । ସତ୍ୟପାଇଁ ଯଦି ଜୀବନ ବି ଦେବାକୁ ହୁଏ, ତାହେଲେ ହସିହସି ବରଣ କରିବେ । ଜାତିର ଜନକ ମହାତ୍ମା ଗାନ୍ଧିଙ୍କର ଉପଦେଶ ଆକବରଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ