ସୁଶୀଳା ଓ ସୁକୁମାରଙ୍କର ବିବାହ ଅଳ୍ପ ଦିନ ତଳେ ହୋଇଥାଏ । ସୁକୁମାର ବାଲ୍ୟକାଳରୁ ପିତୃମାତୃହୀନ । ତେଣୁ ସେ ତା’ ଜେଜେ ମା’ଙ୍କ ତତ୍ତ୍ୱାବଧାନରେ ବଢିଥାଏ । ବିବାହ ସମୟକୁ ଜେଜେମା ମଧ୍ୟ ଆଖି ବୁଜି ସାରିଥାନ୍ତି । ଜେଜେମା’ଙ୍କ ତରଫରୁ ମିଳିଥିବା ଦଶ ଏକର ଜମି ଖୁବ୍ ଉର୍ବର । ସେଥିରୁ ମିଳୁଥିବା ଆୟରେ ବେଶ୍ ଖୁସିରେ ତାଙ୍କ ସଂସାର ଚଳି ଯାଉଥାଏ । ନିଜ ପାରିବାରିକ ଜୀବନରେ ସୁଶୀଳା ସନ୍ତୁଷ୍ଟ ଥାଏ । ତା’ ଉପରେ କାହାର ଦାୟିତ୍ୱ ନ ଥାଏ । ବେଶ୍ ସ୍ୱାଧୀନ, ସ୍ୱଚ୍ଛନ୍ଦ ଜୀବନ! ଥରେ ପାଖ ଘରେ ଭଡା ରହୁଥିବା ମନ୍ଥରା ତାଙ୍କ ଘରକୁ ବୁଲିଆସିଲା । ସୁଶୀଳାର ଏହି ହସ ଖୁସିର ସଂସାର ତା’ର ଚକ୍ଷୁଶୂଳ ହେଲା । ପତି ପତ୍ନୀଙ୍କ ମଧ୍ୟରେ ବିଭେଦ ଆଣିବା ପାଇଁ ସେ ଚକ୍ରାନ୍ତ ଆରମ୍ଭ କଲା ।
“ତୁମ୍ଭର ସ୍ୱାମୀ ତ ଚାକିରୀ କରୁ ନାହାଁନ୍ତି । ଜମିବାଡି କାମ ପାଇଁ ଲୋକ ରଖିଛନ୍ତି । ଅତି କମ୍ରେ ରୋଷେଇରେ ସେ ତୁମକୁ ସାହାଯ୍ୟ କଲେ କ୍ଷତି କ’ଣ?” ମନ୍ଥରା ଏପରି କହେ ।
“ମୁଁ ବୁଝି ପାରୁନାହିଁ ତୁମ ପତି ତୁମ ସହ ଏପରି ଅନ୍ୟାୟ କାହିଁକି କରୁଛନ୍ତି? ବାହାଘର ବର୍ଷଟିଏ ହେଲାଣି ସୁନାର ଚୁଡି କି କାନଫୁଲ ହଳଟିଏ କରି ଦେଲେଣି କି? ମୋତେ ଲାଗୁଛି, ସେ ତୁମକୁ ଆଉ ଯମା ଭଲ ପାଆନ୍ତି ନାହିଁ ।” ପର୍ବ ପର୍ବାଣୀରେ ନୂଆ ସୁନା ଗହଣା କିଛି ପିନ୍ଧି ଆସି ମନ୍ଥରା ସୁଶୀଳାକୁ ଏମିତି କହେ ।
“ତୁମ ବାପାଙ୍କର ଜଉତୁକ ଦେବା ଭଳି ଅବସ୍ଥା ନ ଥିବାରୁ ସେ ତୁମକୁ ସୁକୁମାରଙ୍କୁ ବିବାହ ଦେଇଛନ୍ତି । ନଚେତ୍ ତୁମ ପରି ସୁନ୍ଦରୀକୁ ଜମିଦାର ନ ହେଲେ ବି ସେହି ସ୍ତରର ଧନୀ ଲୋକ ବାହା ହେବାକୁ କ’ଣ ପଛାଇଥା’ନ୍ତେ?” କିଛି ଘର କାମ କି ଲୁଗା ପଟା ଶୁଖାଇବା ବାହାନାରେ ମନ୍ଥରା ସୁଶୀଳାକୁ ଏପରି ମନ୍ତବ୍ୟ ଦିଏ ।
ଏହିସବୁ କଥାର ପ୍ରଭାବ ଧିରେ ଧିରେ ସୁଶୀଳା ଉପରେ ପଡିଲା । ମନ୍ଥରାର ମନ୍ଦ ବୁଦ୍ଧିକୁ ବୁଝିବା ପରି ଅକଲ୍ ସୁଶୀଳାର ନ ଥିଲା । ତେଣୁ କଥା କଥାରେ ସେ ସୁକୁମାର ସହିତ ଝଗଡା କରି ବସିଲା । ଯାହା ମନକୁ ଆସେ, ବକି ଯାଏ । ନିଜ ପତିକୁ ନିମ୍ନ ସ୍ତରରେ ବିବେଚନା କରେ ।
ଦିନେ ରାତିରେ ମନ୍ଥରାର କଥା ବାରମ୍ବାର ମନେ ପଡି ସୁଶୀଳାକୁ ନିଦ ଆଦୌ ଆସୁ ନ ଥାଏ । ମାତ୍ର ସୁକୁମାର ଘୁଙ୍ଗୁଡି ମାରି ବେଶ୍ ଗଭୀର ନିଦରେ ଶୋଇଥାଏ ।