ସବୁଶୁଣି ସେ ଯାତ୍ରୀ ଦଳର ମୁଖ୍ୟ କହିଲେ, “ଏବେ ବୁଝିଲ ତ ସେ ସ୍ତ୍ରୀଲୋକର କଥା? ମନେରଖ, ନିଷ୍ଠୁର ଶାସକଠାରୁ ବାଘ ବେଶି ମାରାତ୍ମକ ନୁହେଁ । ମାତ୍ର ଯେଉଁ ରାଜ୍ୟରେ ରାଜାଙ୍କର ଶାସନ କାଳରେ ପ୍ରଜାମାନେ ଅତ୍ୟନ୍ତ ଖୁସିରେ ରହନ୍ତି ଏବଂ ଅନ୍ୟଦେଶର ଲୋକମାନେ ଯେଉଁ ଶାସନପ୍ରତି ଆକୃଷ୍ଟ ହୁଅନ୍ତି, ତାହାହିଁ ପ୍ରକୃତ ଶାସନ ।”
ସେଦିନ ଯାତ୍ରୀ ଦଳର ଯେଉଁ ମୁଖ୍ୟ ଏଭଳି ଉପଦେଶ ଦେଇ ଚାଲିଥିଲେ ସେ ଥିଲେ ମହାତ୍ମା କନ୍ଫୁସିଅସ୍ । ଏହିଭଳି ନୀତିବାଣୀ ସେ ତାଙ୍କର ଜୀବନସାରା ଦେଇଥିଲେ । କନଫୁସିଅସ୍ ରାଜା ନହେଲେ ମଧ୍ୟ ନିଜର ଜୀବନକୁ ତୁଚ୍ଛ ମଣି ନାନା ବାଧାବିଘ୍ନକୁ ଏଡାଇ ଦେଇ ରାଜ୍ୟରେ କିଭଳି ସୁଶାସନ କରିପାରିବେ ସେହି କଥା ସର୍ବଦା ସେ ଚିନ୍ତା କରୁଥିଲେ । ସେ ତାଙ୍କ ଦେଶ ଚୀନ୍ରେ ସୁବର୍ଣ୍ଣଯୁଗର ପୁନଃପ୍ରଚଳନ କରିବା ପାଇଁ ଚାହିଁଥିଲେ ।
କନ୍ଫୁସିଅସ୍ ଜଣେ ସମ୍ଭ୍ରାନ୍ତ ପରିବାରର ବ୍ୟକ୍ତି ଥିଲେ । ମାତ୍ର ପିଲାଟି ଦିନୁ ସେ ତାଙ୍କ ପିତାଙ୍କୁ ହରାଇ ଘୋର୍ ଦୁର୍ଦ୍ଦିନ ଭିତରେ ନିଜକୁ ବଂଚାଇ ରଖି ପାରିଥିଲେ । ସେ ବିଚକ୍ଷଣ ବୁଦ୍ଧିମାନ୍ ଥିଲେ ଓ ଜନସାଧାରଣଙ୍କୁ ଠିକ୍ବାଟରେ ପରିଚାଳିତ କରିବା ପାଇଁ ଶିକ୍ଷା ଦେଉଥିଲେ ।
ଆର୍ଥିକ ଅନଟନ ଯୋଗୁଁ ଛୋଟ ଚାକିରି ହେଉ ପଛେ ରାଜାଙ୍କ ପାଖରେ ରହି କେତେବେଳେ ସେ ତାଙ୍କ ଉଦ୍ୟାନ ଜଗୁଆଳି ତ ପୁଣି ଆଉ କେତେବେଳେ ଭଣ୍ଡାରରକ୍ଷକ ହୋଇ ରହିଥିଲେ । ଏହା ସହିତ ଗାଈଗୋରୁ ଓ ମେଣ୍ଢାପାଳନ ଦାୟିତ୍ୱ ବି ତାଙ୍କ ଉପରେ ନ୍ୟସ୍ତ ଥିଲା ।
କନ୍ଫୁସିଅସ୍ଙ୍କର ନୀତି ଥିଲା ଚାକିରି ଛୋଟ ହେଉ କି ବଡ ତାକୁ ନିଷ୍ଠାର ସହିତ ଚଳାଇବା ଉଚିତ୍ । ପରିଶେଷରେ ସେ ମାନବ ସମାଜର ଶିକ୍ଷକ ହୋଇଗଲେ । ଧନୀଗରିବ ଉଭୟ ଶ୍ରେଣୀର ଛାତ୍ରଙ୍କୁ ସେ ତାଙ୍କ ଶିଷ୍ୟ ରୂପେ ଗ୍ରହଣ କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିପାରିଥିଲେ । ଛାତ୍ରମାନଙ୍କୁ ଚୀନ ଦେଶର ଇତିହାସ, କାବ୍ୟ କବିତା ଓ ନୀତିଶିକ୍ଷା ଆଦି ଶିକ୍ଷା ଦେଇ ଭଲ ମଣିଷ କରିଦେଇ ପାରୁଥିବାରୁ ତାଙ୍କ ନିକଟରେ ଶିଷ୍ୟଙ୍କର ଭିଡ ବେଶ୍ ଜମୁଥିଲା ।
ଶିକ୍ଷକ ଜୀବନ ପରେ କନ୍ଫୁସିଅସ୍ ନ୍ୟାୟାଧୀଶ ପଦବୀରେ ନିଯୁକ୍ତି ପାଇଥିଲେ । ଏହି ସମୟ ଭିତରେ ସେ ଦେଶରୁ ଚୋରି, ହିଂସା, ଦ୍ୱେଷ ଆଦି ଲୋପ ପାଇଥିଲା । ଲୋକମାନେ ଖୁସିରେ କାଳ କାଟିଲେ । ତେଣେ ରାଜ୍ୟରେ କିଛି ସମସ୍ୟା ନରହିବାରୁ ରାଜା ମଉଜ ମଜଲିସ୍ରେ କାଳ କାଟିଲେ । ତା’ପରେ କୃଷି ବିଭାଗ ଦାୟିତ୍ୱ ବହନ କରି ସେ କୃଷିର ଆଶାତୀତ ବିକାଶ ଘଟାଇଲେ । ଏହାଦ୍ୱାରା କନ୍ଫୁସିଅସ୍ଙ୍କର ଦେଶରେ ପ୍ରାଧାନ୍ୟ ବଢିଯିବାରୁ ରାଜା ତାଙ୍କୁ ଆଉ ଭଲ ପାଇଲେ ନାହିଁ । ଶେଷରେ ଏମିତି ଏକ ଦିନ ଆସିଲା, ରାଜା ନିଜେ ତାଙ୍କୁ ରାଜ୍ୟରୁ ବହିଷ୍କାର କରିଦେଲେ ।
ତା’ପରେ କନ୍ଫୁସିଅସ୍ ନାନା ଦେଶ ଭ୍ରମଣରେ ବାହାରି ପଡିଲେ । ଏମିତି ବୁଲିଲାବେଳେ ତାଙ୍କୁ ବହୁତ ଦୁଃଖ କଷ୍ଟ ଭୋଗିବାକୁ ପଡିଥିଲା । ଯେମିତିକି ସେ ମଧ୍ୟ ବେଳେବେଳେ ଉପବାସ ରହୁଥିଲେ । ସେ ସବୁବେଳେ କହୁଥିଲେ – “ଗଣ୍ଡାଏ ଅନ୍ନ, ଖଣ୍ଡିଏ ବସ୍ତ୍ର ହେଲେ ସେ ଚଳିଯିବେ ।”
କନ୍ଫୁସିଅସ୍ ବିଭିନ୍ନ ଦେଶ ବୁଲିବା ଭିତରେ ଗୋଟିଏ ଦେଶର ଶାସକ ଥରେ ତାଙ୍କୁ ଏକ ଅଦ୍ଭୁତ ପ୍ରଶ୍ନ ପଚାରିଲେ । ସେ ପ୍ରଶ୍ନଟି ଥିଲା – “ଚୋରଙ୍କ ଦାଉରୁ ରକ୍ଷା ପାଇବା ପାଇଁ କିଛି ଉପଦେଶ ଦିଅନ୍ତୁ ।”
ସେହି ଶାସକ ଜଣକ ଅନ୍ୟଜଣକୁ ରାଜଗାଦିରୁ ବିତାଡିତ କରି ନିଜେ ତାଙ୍କ ସିଂହାସନ ଲାଭ କରିଥିଲେ । ଏକଥା ଜାଣି ମଧ୍ୟ ସେ କନ୍ଫୁସିଅସ୍ ଅତି ନିର୍ଭୀକ ଭାବରେ କହିଲେ, “ଶାସକ ଯଦି ନିଜେ ନିର୍ଲୋଭ ହେବେ, ତେବେ ସେହି ଆଦର୍ଶକୁ ତାଙ୍କ ପ୍ରଜାମାନେ ବି ଅନୁକରଣ କରିବେ । ପ୍ରକୃତରେ ପ୍ରଜାମାନେ ଯାହା ଅଙ୍ଗେ ନିଭାଇଥାଆନ୍ତି, ତାହାହିଁ ସେମାନେ ତାଙ୍କ ଆଚରଣରେ ପ୍ରକାଶ କରିଥାନ୍ତି । ନିଜେ ରାଜା ଯଦି ସଂଶୋଧିତ ହୋଇଯିବେ, ତେବେ ଅନ୍ୟମାନେ ମଧ୍ୟ ମନକୁମନ ସେଇ ଆଦର୍ଶ ଗ୍ରହଣ କରିନେବେ । ମୋଟ ଉପରେ କହିବାକୁ ଗଲେ ତୁମେ ଯେପରି ବ୍ୟବହାର ଆଶା କରୁଛ, ଠିକ୍ ସେଭଳି ବ୍ୟବହାର ଅନ୍ୟକୁ ଦେଖାଅ । ଯେଉଁ ଦେଶର ଶାସକ ଏହି ନୀତିସବୁ ଗ୍ରହଣ କରି କାମରେ ଲଗାଇବେ ସେ ଦେଶର ଲୋକମାନେ ସବୁ ସୁଗୁଣସମ୍ପନ୍ନ ଭଲ ମଣିଷ ହୋଇଯିବେ । ସେଠାରେ ଚୋର ଡକାୟତଙ୍କର କୌଣସି ସ୍ଥାନ ରହିବ ନାହିଁ ।” ତେଣୁ ତାଙ୍କଠାରୁ ରକ୍ଷାପାଇବା ପ୍ରଶ୍ନ ଆସିଲା ଆଉ କୁଆଡୁ?
ସେଦିନର ସେହି ମହାତ୍ମା କନ୍ଫୁସିଅସ୍ଙ୍କର ଉପଦେଶଗୁଡିକ ଆଜି ବି ଆମ ସମାଜପାଇଁ ସତରେ ବହୁତ ମୂଲ୍ୟବାନ ହୋଇପଡିଛି ।