ଅମ୍ବରୀଷ ଥିଲେ ଜଣେ ଧର୍ମାତ୍ମା ରାଜା । ସେ ଥିଲେ ବିଷ୍ଣୁଭକ୍ତ । ବିଷ୍ଣୁ ତାଙ୍କୁ ବର ଦେଇଥିଲେ କି ତାଙ୍କ ସୁଦର୍ଶନ ଚକ୍ର ସର୍ବଦା ତାଙ୍କୁ ରକ୍ଷା କରୁଥିବ ।
ଥରେ ସେ ବର୍ଷେକାଳ କଠୋର ନୀତି ନିୟମ ପାଳିସାରି ଶେଷ ତିନିଦିନ ଉପବାସ କଲେ । ଶେଷଦିନ ସେ ଉପବାସ ଭଙ୍ଗ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ସେଠାରେ ମୁନି ଦୁର୍ବାସା ଆସି ପହଁଚିଗଲେ । ଦୁର୍ବାସା କ୍ରୋଧୀ ବୋଲି କିଏ ବା ନ ଜାଣେ? ସେ କହିଲେ, “ରାଜା, ମୁଁ ସ୍ନାନ କରି ଆସୁଛି । ଏକତ୍ର ଖାଇବା ।”
କିନ୍ତୁ ଅନେକ ସମୟ ଚାଲିଗଲା, ହେଲେ ଦୁର୍ବାସା ଆଉ ଫେରିଲେ ନାହିଁ । ଏଣେ ଯେଉଁ ଶୁଭ ମୁହୂର୍ତ୍ତରେ ରାଜା ନିଜ ଉପବାସ ଭଙ୍ଗ କରିବା କଥା, ସେ ମୁହୂର୍ତ୍ତ ବିତି ଯାଉଥିବାରୁ ପୁରୋହିତମାନଙ୍କ ନିର୍ଦ୍ଧେଶରେ ରାଜା ସାମାନ୍ୟ ଜଳ ଗ୍ରହଣ କଲେ, କିନ୍ତୁ ଖାଦ୍ୟ ନୁହେଁ ।
ଦୁର୍ବାସା ଫେରି ଆସି ରାଜା ଜଳ ଗ୍ରହଣ କରୁଥିବାର ଦେଖି ପକାଇ ଖପା ହୋଇଥିଲେ । ନିଜକୁ ଅପମାନିତ ମନେ କରି ସେ ନିଜ ଜଟାରୁ ଖଣ୍ଡିଏ ଛିଡାଇ ତଳେ ଫୋପାଡି ଦେଲେ । ଫଳରେ ସଙ୍ଗେ ସଙ୍ଗେ ଗୋଟିଏ ଭୀଷଣ ରାକ୍ଷସ ପ୍ରାୟ ଜୀବ ବାହାରି ରାଜା ଅମ୍ବରୀଷଙ୍କୁ ଖାଇବାକୁ ଗୋଡାଇଲା । ସମୟ ନଷ୍ଟ କରିବାର ଉପାୟ ନଥିଲା । ରାଜା ସୁଦର୍ଶନଙ୍କୁ ସ୍ମରଣ କରିବା ମାତ୍ରେ ସୁଦର୍ଶନ ଚକ୍ର ତାଙ୍କ କପାଳରୁ ନିର୍ଗତ ହୋଇ ସେ ରାକ୍ଷସକୁ ଆଖି ପିଛୁଳାକେ ନିପାତ କଲା ଓ ତା’ପରେ ଦୁର୍ବାସାଙ୍କ ଆଡେ ସେହି ଚକ୍ର ଧାବମାନ ହେଲା । ଦୁର୍ବାସା ଦୌଡିଲେ । ସେ ସମୟରେ କେହି ବି ତାଙ୍କୁ ଆଶ୍ରୟ ଦେଲେ ନାହିଁ । ଶେଷରେ ସେ ଯାଇ ବିଷ୍ଣୁଙ୍କ ଶରଣ ନେଲେ । ବିଷ୍ଣୁ କହିଲେ, “ସୁଦର୍ଶନ ଚକ୍ର ଅମ୍ବରୀଷ ବ୍ୟବହାର କରିଛନ୍ତି । ତେଣୁ ଏକମାତ୍ର କେବଳ ସେ ହିଁ ଏହାକୁ ପ୍ରତ୍ୟାହାର କରି ପାରିବେ ।”
ଅଗତ୍ୟା ଦୁର୍ବାସା ଯାଇ ପୁଣି ଅମ୍ବରୀଷଙ୍କ ପାଖରେ ପହଁଚିଲେ ଓ କ୍ଷମାଭିକ୍ଷା କଲେ । ରାଜା ଅମ୍ବରୀଷ ବିଷ୍ଣୁଙ୍କୁ ସ୍ମରଣ କରି ସୁଦର୍ଶନ ଚକ୍ର ପ୍ରତ୍ୟାହାର କରିନେଲେ ।