ଭୀଷ୍ମ ତାଙ୍କ ଭାଇ ବିଚିତ୍ର ବୀର୍ଯ୍ୟଙ୍କ ପାଇଁ କନ୍ୟାର ସନ୍ଧାନରେ ବାହାରିଲେ । କାଶୀ ରାଜାଙ୍କର ତିନି ସୁନ୍ଦରୀ କନ୍ୟା ଥିଲେ ସେମାନଙ୍କର ସ୍ୱୟମ୍ବର ବେଳେ ଭୀଷ୍ମ ସେଠାରେ ପହଁଚି ସେ ତିନି କନ୍ୟାଙ୍କୁ ନେଇ ଆସିଲେ । ବଡ ରାଜକନ୍ୟା ଅମ୍ବା ଭୀଷ୍ମଙ୍କୁ କହିଲେ କି ସେ ଶାଲ୍ୱରାଜାଙ୍କ କଣ୍ଠରେ ବରଣମାଳା ଦେବେ ବୋଲି ସ୍ଥିର କରିଛନ୍ତି । ତେଣୁ ଭୀଷ୍ମ ତାଙ୍କୁ ଶାଲ୍ୱରାଜାଙ୍କ ପ୍ରାସାଦକୁ ପଠାଇ ଦେଲେ । କିନ୍ତୁ ଯେଉଁ କନ୍ୟାକୁ ଭୀଷ୍ମ ନିଜ ପରାକ୍ରମ ବଳରେ ନେଇ ଯାଇଥିଲେ, ସେ କନ୍ୟାକୁ ବିବାହ ହେବାକୁ ଶାଲ୍ୱରାଜା ନାସ୍ତି କରିଦେଲେ । ସୁତରାଂ ଅମ୍ବା ଭୀଷ୍ମଙ୍କୁ ବିଭା ହେବାକୁ କହିଲେ । ମାତ୍ର ସେତେବେଳକୁ ଭୀଷ୍ମ ଆଜୀବନ ବ୍ରହ୍ମଚାରୀ ରହିବେ ବୋଲି ପ୍ରତିଜ୍ଞାବଦ୍ଧ ଥିବାରୁ ତାଙ୍କ ପ୍ରସ୍ତାବ ସେ ଆଦୌ ଗ୍ରହଣ କରି ପାରିଲେ ନାହିଁ । ଅମ୍ବା ତତ୍କ୍ଷଣାତ୍ ସେଠାରୁ ଚାଲିଗଲେ ।
କୃଦ୍ଧା ଅମ୍ବା ଯାଇ ଶିବଙ୍କୁ ତପସ୍ୟା କରି ଦେହ ଛାଡିଲେ ଓ ଦ୍ରୁପଦ ରାଜାଙ୍କ କନ୍ୟା ରୂପେ ଜନ୍ମ ନେଲେ । କିନ୍ତୁ ପୂର୍ବ ଜନ୍ମର କ୍ରୋଧ ତାଙ୍କ ସ୍ମୃତିରେ ଥାଏ । ମହାଭାରତ ଯୁଦ୍ଧ ଆରମ୍ଭ ହେଲା । ଦ୍ରୁପଦ କନ୍ୟା ଯକ୍ଷଙ୍କଠାରୁ ପୌରୁଷ ଧାର ସୁତ୍ରରେ ଆଣି ସେହି ଯୁଦ୍ଧରେ ସେ ଯୋଗ ଦେଲେ । ଶିଖଣ୍ଡୀ ଭାବରେ ପରିଚିତ ଏହି ବିଚିତ୍ର ବ୍ୟକ୍ତି ଭୀଷ୍ମଙ୍କ ସହ ଅର୍ଜୁନ ଯୁଦ୍ଧ କଲାବେଳେ ଅର୍ଜୁନଙ୍କ ଆଗରେ ରହିଲେ । ଜଣେ ନାରୀ ପ୍ରତି ତୀର ପ୍ରୟୋଗ କରିବାକୁ ଭୀଷ୍ମ ପ୍ରସ୍ତୁତ ନଥିଲେ । ଅର୍ଜୁନ ତୀର ମାରି ମାରି ଭୀଷ୍ମଙ୍କୁ ଶର ଶଯ୍ୟାରେ ଶୁଆଇ ଦେଲେ । ଏହିପରି ଭାବେ ଅମ୍ବା ତାଙ୍କ ଅପମାନର ପ୍ରତିଶୋଧ ନେଲେ ।