ଦିନେ ହାତୀ ତା’ର ପୁଅକୁ ଆଣି ସୂତ୍ରଧରମାନଙ୍କୁ କହିଲା, “ଏଇଟି ହେଉଛି ମୋର ପୁଅ । ମୁଁ ତାକୁ ତୁମମାନଙ୍କ ହାତରେ ଅର୍ପଣ କରୁଛି । ସେ ତୁମମାନଙ୍କୁ ଏଣିକି ସାହାଯ୍ୟ କରିବ ।”
କିପରି ସେ ସୂତ୍ରଧରମାନଙ୍କପାଇଁ କାର୍ଯ୍ୟ କରିବ, ତାହା ପୁଅକୁ ବୁଝାଇ ଦେଇ ବୁଢା ହାତୀଟି ବଣକୁ ଚାଲିଗଲା । ସାନହାତୀ ସୂତ୍ରଧରମାନଙ୍କୁ ବୁଢା ହାତୀପରି ସାହାଯ୍ୟ କଲା ଓ ସେମାନେ ତାକୁ ନିଜ ନିଜ ଖାଦ୍ୟରୁ କିଛି କିଛି ଦେଇ ପାଖରେ ରଖିଲେ ।
କିଛି କାମ କରିବାକୁ ନଥିଲେ ହାତୀଟି ନଦୀକୂଳରେ ଖେଳି ବୁଲୁଥିଲା । ବେଳେବେଳେ ସେ ସୂତ୍ରଧର ପିଲାମାନଙ୍କ ସାଙ୍ଗରେ ଖେଳୁଥିଲା । ସେମାନଙ୍କୁ ଶୁଣ୍ଢରେ ଧରି ଝୁଲାଉଥିଲା, ପିଠିଉପରେ ବସାଉଥିଲା । କେବେ କେବେ ସେମାନଙ୍କୁ ନଦୀରେ ଗାଧୋଇ ଦେଇ ଆଣୁଥିଲା ।
ଏହି ହାତୀଟି କେବେହେଲେ ନଦୀର ଜଳରେ ମଳ ବା ମୂତ୍ର ତ୍ୟାଗ କରୁ ନଥିଲା । ନଦୀ ତଟରେ ସେ ଥରେ ମଳ ତ୍ୟାଗ କରିଥିଲା । ସୂର୍ଯ୍ୟ କିରଣରେ ତାହା ଶୁଖି ଯାଇଥିଲା । ଉପରେ ବର୍ଷା ହେବାରୁ ନଦୀରେ ବନ୍ୟା ହୋଇ ତୀରଦେଶ ଜଳ ପ୍ଳାବିତ ହୋଇଗଲା ଓ ଜଳସ୍ରୋତରେ ସେହି ଶୁଷ୍କ ମଳ ନଦୀରେ ଭାସିଗଲା । ଅନେକ ଦୂର ଭାସିଯାଇ ତାହା ବାରାଣସୀ ଘାଟରେ ଗୋଟିଏ ବୁଦାରେ ଲାଖିରହିଲା । ବାରାଣସୀ ରାଜାଙ୍କର ପାଂଚଶହ ହାତୀ ଥିଲେ । ମାହୁନ୍ତମାନେ ସେମାନଙ୍କୁ ଗାଧୋଇବାପାଇଁ ଘାଟକୁ ଆଣିଲେ । କିନ୍ତୁ ସେମାନେ ଜଳରେ ପ୍ରବେଶ ନକରି ପଳାଇବାକୁ ବସିଲେ । ମାହୁନ୍ତମାନେ ଯେତେ ଚେଷ୍ଟାକଲେ ସୁଦ୍ଧା ଗୋଟିକୁ ହେଲେ ଜଳ ଭିତରକୁ ନେଇ ପାରିଲେନାହିଁ । ହାତୀମାନଙ୍କ ବିଷୟରେ ଅଭିଜ୍ଞ ପଣ୍ଡିତଙ୍କୁ ପଚାରିବାରୁ ସେ କହିଲେ, “ଜଳରେ କୌଣସି ପଦାର୍ଥ ମିଶିଛି । ତାହାରି ଗନ୍ଧ ହେତୁ ହାତୀମାନେ ଜଳ ଭିତରକୁ ଯାଉନାହାଁନ୍ତି ।”