ରାଜାଙ୍କ ଆଦେଶରେ ଜାଲ ପକାଇ ନଦୀଜଳ ଖୋଜାଗଲା । ଶେଷରେ ସେହି ଶୁଷ୍କ ମଳ ମିଳିଲା । ମାହୁନ୍ତମାନେ ସେହି ମଳକୁ ଗୁଣ୍ଡକରି ଜଳରେ ମିଶାଇ ଦେଖିଲେ ଯେ ସେଥିରୁ ଏକ ଅପୂର୍ବ ଗନ୍ଧ ବାହାରୁଛି । ସେଥିରୁ କିଛି କିଛି ପ୍ରତ୍ୟେକ ହାତୀ ଉପରେ ସିଂଚିଦେବାରୁ ସେମାନଙ୍କ ଦେହରୁ ସୁବାସ ବାହାରିଲା ଓ ସେମାନେ ସ୍ୱେଚ୍ଛାରେ ନଦୀ ଜଳରେ ପ୍ରବେଶ କରି ସ୍ନାନ କଲେ ।
ଏହି ସମ୍ବାଦ ରାଜାଙ୍କର କର୍ଣ୍ଣଗୋଚର ହେବାରୁ ସେ କହିଲେ, “ଯେଉଁ ହାତୀର ମଳରେ ଏପରି ସ୍ୱର୍ଗୀୟ ଗନ୍ଧ ଅଛି, ସେ ନିଶ୍ଚୟ ଶୁଭଲକ୍ଷଣଯୁକ୍ତ । ତାକୁ ଆଣି ଆମେ ରଖିବା ।”
ରାଜା ନିଜେ ଅନେକ ଲୋକ ନେଇ ଏହି ହାତୀର ସନ୍ଧାନରେ ବାହାରିଲେ । ରାଜା ଓ ତାଙ୍କର ଅନୁଚରମାନେ ନୌକାରେ ବସି ନଦୀସ୍ରୋତର ବିପରୀତ ଦିଗରେ ଯାଇ ଶେଷରେ ସୂତ୍ରଧରମାନଙ୍କୁ ଦେଖିଲେ । ସେମାନଙ୍କ ନିକଟରେ ଏହି ଶ୍ୱେତହସ୍ତୀକୁ ମଧ୍ୟ ଦେଖିଲେ । ଏଇଟି ଯେ ସେହି ସୁଲକ୍ଷଣଯୁକ୍ତ ହସ୍ତୀ ଏଥିରେ ତାଙ୍କର ସନ୍ଦେହ ରହିଲାନାହିଁ । ସୂତ୍ରଧରମାନେ ରାଜାଙ୍କୁ ଯଥାବିଧି ସମ୍ମାନ ଜଣାଇ କହିଲେ, “ମହାରାଜ ! ନଅରରେ କୌଣସି ଗୃହ ନିର୍ମାଣ କରିବାକୁ ଥିଲେ ଆପଣ ଯେକୌଣସି ଲୋକଦ୍ୱାରା ସମ୍ବାଦ ପଠାଇଥିଲେ ହୋଇଥାନ୍ତା । ଆପଣ ଏତେ ଶ୍ରମ କରି ଏଠାକୁ ଆସିବା ଆବଶ୍ୟକ ନଥିଲା । ଆପଣଙ୍କର ଆଦେଶ ପାଳନ କରିବାକୁ ଆମେମାନେ ସର୍ବଦା ପ୍ରସ୍ତୁତ ।”
ରାଜା କହିଲେ, “ମୁଁ ଘର ତିଆରି ବା କୌଣସି କାଠକାମ ସମ୍ପର୍କରେ ଆସିନାହିଁ । ତୁମମାନଙ୍କ ପାଖରେ ଯେଉଁ ହାତୀଟି ଦେଖୁଛି ତାହାକୁ ନେବା ମୋର ଉଦ୍ଧେଶ୍ୟ । ଏତେ ଗୁଣଶାଳୀ ହାତୀକୁ ଅନ୍ୟଦ୍ୱାରା ନେବା ଉଚିତ୍ ମନେନକରି ନିଜେ ଆସିଛି ।”
ସୂତ୍ରଧରମାନେ କହିଲେ, “ଆପଣ ଇଚ୍ଛାକଲେ ସ୍ୱଚ୍ଛନ୍ଦରେ ନେଇପାରନ୍ତି ଆମର କୌଣସି ଆପତ୍ତି ନାହିଁ ।”
ତହୁଁ ରାଜା ହାତୀକୁ କହିଲେ, “ତୁମର ଗୁଣ ଆମ ରାଜ୍ୟରେ ବ୍ୟାପିଯାଇଛି । ମୁଁ କଅଣ କଲେ ତୁମେ ରାଜନଅରକୁ ଯିବ?”
ହାତୀ କହିଲା, “ଏ ସୂତ୍ରଧରମାନେ ମୋତେ ଏତେ କାଳ ପାଳି ଆସିଛନ୍ତି । ସେମାନେ ମୋପାଇଁ ଯାହା ବ୍ୟୟ କରିଛନ୍ତି ତାହା ସେମାନଙ୍କୁ ଦିଅନ୍ତୁ ।