ରାଜା କହିଲେ, “ଏହା ନ୍ୟାୟତଃ ସେମାନଙ୍କର ପ୍ରାପ୍ୟ, ମୁଁ ତାହା ଦେଉଛି ।” ରାଜାଙ୍କ ଆଦେଶରେ ହାତୀଟିର ଲାଞ୍ଜ, ପାଦ ଓ ଶୁଣ୍ଢରେ ଏକଲକ୍ଷ ଲେଖାଏଁ ସ୍ୱର୍ଣ୍ଣମୁଦ୍ରା ବାନ୍ଧି ଦିଆଗଲା । ସେ ଏହି ମୁଦ୍ରାକୁ ସୂତ୍ରଧରମାନଙ୍କୁ ଦେଲା । କିନ୍ତୁ ସେ ସ୍ଥାନ ଛାଡି ବାହାରିଲାନାହିଁ ।
ରାଜା ଏଥର କାରଣ ପଚାରିବାରୁ ହାତୀ କହିଲା, “ଏଇ ସୂତ୍ରଧରମାନଙ୍କର ସ୍ତ୍ରୀମାନେ ମୋତେ କେତେ ସ୍ନେହ କରୁଥିଲେ । ସେମାନଙ୍କର ବେଶଭୂଷା ଦେଖି ମୋ ମନରେ ଏତେ ଦୁଃଖ ହେଉଛି ଯେ ମୁଁ ଯାଇପାରୁନାହିଁ ।”
ରାଜା ତକ୍ଷଣାତ୍ ଆଦେଶ ଦେଲେ, “ପ୍ରତ୍ୟେକ ସୂତ୍ରଧରର ପତ୍ନୀକୁ ପଟ୍ଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାର ଦିଅ ।” ଅନୁଚରମାନେ ରାଜାଦେଶ ପାଳନ କଲେ ।
ତଥାପି ଶ୍ୱେତହସ୍ତୀ ରାଜାଙ୍କ ନଅରକୁ ଯିବାକୁ ଅନିଚ୍ଛା ପ୍ରକାଶ କରି କହିଲା, “ଏଇ ସୂତ୍ରଧର ବାଳକମାନେ ମୋର କ୍ରୀଡାସଙ୍ଗୀ ଥିଲେ । ସେମାନେ କିପରି ସୁଖରେ ରହିବେ ତା’ର ବ୍ୟବସ୍ଥା ନହେବାଯାଏଁ ମୁଁ ଯିବି କିପରି?”
ରାଜା ଯଥେଷ୍ଟ ଅର୍ଥ ଦେଇ ବାଳକମାନଙ୍କର ଲାଳନପାଳନର ବନ୍ଦୋବସ୍ତ କରିଦେଲେ । ତପିରେ ଶ୍ୱେତହସ୍ତୀଟି ରାଜାଙ୍କ ସହିତ ନଅରକୁ ଗଲା ।
ଏହି ହସ୍ତୀର ଶୁଭାଗମନ ଉପଲକ୍ଷରେ ନଅର ସୁସଜ୍ଜିତ ହେଲା ଓ ଉତ୍ସବ ର ଆୟୋଜନ କରାଗଲା । ହସ୍ତୀ ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଗଲା । ରାଜା ଏହି ହସ୍ତୀ ସହିତ ନଗର ପରିକ୍ରମା କରି ସମସ୍ତଙ୍କୁ ଜଣାଇଦେଲେ – “ଏ ସାମାନ୍ୟ ହସ୍ତୀ ନୁହେଁ । ମୁଁ ଏହାକୁ ମୋର ଭ୍ରାତାତୁଲ୍ୟ ସ୍ନେହ କରେ ।” ରାଜା ଏହି ହସ୍ତୀଟିକୁ ନିଜେ ବ୍ୟବହାର କରୁଥିଲେ । ଏହାର ଖାଦ୍ୟପେୟ ଓ ଭୂଷଣ ରାଜୋଚିତ ଥିଲା ଓ ରାଜା ଏହାକୁ ଆନ୍ତରିକ ଶ୍ରଦ୍ଧା କରୁଥିଲେ । ଏହି ହସ୍ତୀଟି ଆସିବା ପରେ ରାଜାଙ୍କର ଭାଗ୍ୟରେ ପରିବର୍ତ୍ତନ ଦେଖାଗଲା । ତାଙ୍କ ରାଜ୍ୟର ବିସ୍ତୃତି ଘଟିଲା ଓ ଦେଶ ଧନଧାନ୍ୟରେ ପୂର୍ଣ୍ଣ ହେଲା । ଲୋକସାଧାରଣ ବିଶ୍ୱାସ କଲେ ଯେ ହସ୍ତୀର ଆଗମନ ହେଉଛି ରାଜ୍ୟର ମଙ୍ଗଳର କାରଣ ।
ଏତେ କାଳ ପର୍ଯ୍ୟନ୍ତ ବ୍ରହ୍ମଦତଙ୍କର କୌଣସି ସନ୍ତାନ ହୋଇନଥିଲା । ଏହି ସମୟରେ ତାଙ୍କ ରାଣୀଙ୍କର ଗର୍ଭୋଦୟ ହେଲା । ବୋଧିସତ୍ୱ ରାଣୀଙ୍କର ସନ୍ତାନରୂପେ ତାଙ୍କର ଗର୍ଭସ୍ଥ ହୋଇଥିଲେ । ପ୍ରସବକାଳ ନିକଟ ହେଲା । ଏହି ସମୟରେ ରାଜ୍ୟରେ ଅକାଳ ବଜ୍ର ପଡିଲା ପରି ହଠାତ୍ ରାଜାଙ୍କର ମୃତ୍ୟୁ ହେଲା । ମନ୍ତ୍ରୀମାନେ ଭାବିଲେ – “ଶ୍ୱେତହସ୍ତୀ ରାଜାଙ୍କର ଅତି ପ୍ରିୟ ଥିଲା । ସେ ମଧ୍ୟ ରାଜାଙ୍କୁ ପ୍ରାଣଠାରୁ ବଳି ଭଲ ପାଉଥିଲା । ରାଜାଙ୍କର ମୃତ୍ୟୁ ସମ୍ବାଦ ଶୁଣିଲେ ସେ ମଧ୍ୟ ଦୁଃଖରେ ପ୍ରାଣତ୍ୟାଗ କରିବ ।” ତେଣୁ ସେମାନେ ଏହି ଅଶୁଭ ସମ୍ବାଦଟି ହସ୍ତୀଠାରୁ ଲୁଚାଇ ରଖିଲେ ଓ ପୂର୍ବରୁ ତା’ପାଇଁ ଯେଉଁସବୁ ବ୍ୟବସ୍ଥା ଥିଲା, ସେସବୁ ନିୟମିତ ରୂପେ ଚାଲିଲା ।
କୋଶଳ ରାଜ୍ୟ ବାରାଣସୀ ରାଜ୍ୟର ପ୍ରତିବେଶୀ ଓ ଦୁଇ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଥିଲା । କୋଶଳର ରାଜା ଗୁପ୍ତଚରଠାରୁ ସମ୍ବାଦ ପାଇଲେ ଯେ, ବାରାଣସୀର ରାଜା ବ୍ରହ୍ମଦତ ଇହଧାମ ତ୍ୟାଗକରିଅଛନ୍ତି । ତାଙ୍କର ପୁତ୍ର ନାହିଁ । ମନ୍ତ୍ରୀମାନେ ଅନ୍ୟ କାହାରିକୁ ରାଜଗାଦୀରେ ବସାଇନାହାଁନ୍ତି । ତେଣୁ ବାରାଣସୀ ରାଜ୍ୟକୁ ଆକ୍ରମଣ କରି ଅଧିକାର କରିବାପାଇଁ ଏହା ହେଉଛି ଉପଯୁକ୍ତ ସମୟ ।