ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅସଦିସ ଜାତକ

       ଅସଦୃଶ କୁମାର ଉତ୍ତର କଲେ, “ବର୍ଷକୁ ଏକଲକ୍ଷ ମୁଦ୍ରା ।”

       ରାଜା ଅସଦୃଶ କୁମାରଙ୍କ ରୂପ ଓ ଶରୀରଗଠନ ଦେଖି ତାଙ୍କ ପ୍ରତି ଆକୃଷ୍ଠ ହୋଇଥିଲେ । ତେଣୁ ସେ ତାଙ୍କୁ ନିଯୁକ୍ତ କଲେ । ରାଜାଙ୍କର ଅନ୍ୟ ଧନୁର୍ଦ୍ଧରମାନେ ଏହି ନିଯୁକ୍ତିରେ ଅସନ୍ତୁଷ୍ଟ ହେଲେ । ସେମାନଙ୍କ ତୁଳନାରେ ନୂତନ ଧନୁର୍ଦ୍ଧରର ବେତନ ଅତ୍ୟନ୍ତ ଅଧିକ ଥିଲା । ସେମାନେ ରାଜାଙ୍କୁ କିଛି କହିପାରିଲେ ନାହିଁ; କିନ୍ତୁ ମନେ ମନେ ଅସଦୃଶ କୁମାରଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ ।

       ଦିନେ ରାଜା ଉପବନରେ ଭ୍ରମଣ କରିବାକୁ ଯାଇଥିଲେ । ଗୋଟିଏ ଆମ୍ବଗଛ ମୂଳରେ ପ୍ରସ୍ତର ନିର୍ମିତ ବେଦୀ ଉପରେ ରାଜାଙ୍କର ଆସନ ପଡିଥିଲା ଓ ମସ୍ତକ ଉପରେ ଚନ୍ଦ୍ରାତପ ଶୋଭା ପାଉଥିଲା । କିଛି ସମୟ ଭ୍ରମଣ କଲା ପରେ ରାଜା ସେହି ଆସନରେ ଉପବେଶନ କଲେ । ସେ ଉଦ୍ଧ୍ୱର୍କୁ ଦୃଷ୍ଟିପାତ କରି ଦେଖିଲେ ଯେ, ବୃକ୍ଷଟିର ଅଗ୍ରଭାଗରେ ଗୋଟିଏ ପେନ୍ଥା ଆମ୍ବ ରହିଅଛି । ସେ ଏହାକୁ ନେବାପାଇଁ ଇଚ୍ଛା କଲେ; କିନ୍ତୁ ଏତେ ଉଚ୍ଚକୁ ଚଢି ଅଗ୍ରଭାଗରୁ କେହି ପେନ୍ଥାଟିକୁ ଆଣିବାର ସମ୍ଭାବନା ନଥିଲା । ତେଣୁ ସେ ତାଙ୍କର ଧନୁର୍ଦ୍ଧରମାନଙ୍କୁ କହିଲେ, “ତୁମମାନଙ୍କ ମଧ୍ୟରୁ କେହି ଶର ମାରି ଏହି ଆମ୍ବ ପେନ୍ଥାଟି ତଳକୁ ଆଣି ମୋତେ ଦେଇପାରିବ?” ସେମାନେ ଉତ୍ତର କଲେ, “ମହାରାଜ ! ଏହା ଅତି ସହଜ କାର୍ଯ୍ୟ । ଯେକୌଣସି ଧନୁର୍ଦ୍ଧର ଏହା କରିପାରିବ । ଆପଣ ବହୁବାର ଆମର ଶର ମାରିବା କୌଶଳ ଦେଖିଅଛନ୍ତି । ତେଣୁ ଏହି ଆମ୍ବ ପେନ୍ଥାଟି ତଳକୁ ଆଣିବାର ଭାର ଆପଣଙ୍କର ନୂତନ ଧନୁର୍ଦ୍ଧର ଉପରେ ନ୍ୟସ୍ତ କରାଯାଉ । ସେ ଆମମାନଙ୍କ ଅପେକ୍ଷା ଅଧିକ ବେତନ ପାଆନ୍ତି । ଆପଣ ଏହାଦ୍ୱାରା ତାଙ୍କ ଯୋଗ୍ୟତାର ପ୍ରମାଣ ମଧ୍ୟ ପାଇପାରିବେ ।”

        ସେମାନଙ୍କର ପ୍ରସ୍ତାବଟିକୁ ଯୁକ୍ତିଯୁକ୍ତ ମନେକରି ରଜା ଅସଦୃଶ କୁମାରଙ୍କୁ ଡକାଇ ନିଜର ଅଭିଳାଷ ଜଣାଇଲେ । ତହୁଁ ସେ କହିଲେ, “ମୁଁ ଆମ୍ବପେନ୍ଥାଟିକୁ ଶରମାରି ନେଇଆସିବି; କିନ୍ତୁ ମୋର ଇଚ୍ଛା ଅନୁସାରେ ମୁଁ ସ୍ଥାନ ସ୍ଥିର କରି ଶର ମାରିବି ।”

       ରାଜା ପଚାରିଲେ, “ତୁମେ କେଉଁସ୍ଥାନରେ ରହିବାକୁ ଚାହଁ?” ଅସଦୃଶ ରାଜାଙ୍କ ଆସନ ପଡିଥିବା ସ୍ଥାନଟି ଦେଖାଇଦେଲେ । ତହୁଁ ବୃକ୍ଷମୂଳରୁ ଚନ୍ଦ୍ରାତପ ସହିତ ରାଜାଙ୍କ ଆସନ ଉଠାଇ ନିଆଗଲା ।

       ଅସଦୃଶଙ୍କ ହାତରେ ଧନୁ ନଥିବାର ଦେଖି ରାଜା ବିସ୍ମିତ ହୋଇ ପଚାରିଲେ, “ତୁମର ଧନୁଶର କାହିଁ?” ଉତ୍ତର ମିଳିଲା, ମହାରାଜ! ମୋର ଧନୁ ଓ ଶରମୁଣା ସର୍ବଦା ମୋ ନିକଟରେ ଥାଏ; କିନ୍ତୁ ମୁଁ ତାହାକୁ ବହିରାବରଣ ତଳେ ରଖିଥାଏ ।” ଏହା କହି ସେ ଟିକିଏ ଅନ୍ତରାଳକୁ ଚାଲିଗଲେ ଏବଂ ବହିରାବରଣ ତଳୁ ବିଭିନ୍ନ ଅଂଶକୁ ଯୋଡି ଧନୁଟିକୁ ପ୍ରସ୍ତୁତ କଲେ । ସେ ଗୋଟିଏ ରକ୍ତବର୍ଣ୍ଣର ପୋଷାକ ପିନ୍ଧି, କଟିରେ ତରବାରି ଲମ୍ବାଇ ଓ ପିଠିରେ ଶରମୁଣା ପକାଇ ପୁନରାୟ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଏହି ବେଶରେ ଆସିଲାବେଳେ ମନେହେଲା ସତେ ଅବା ପାତାଳପୁରରୁ ନାଗରାଜା ବାହାରି ଆସୁଛନ୍ତି । ସେ ନିର୍ଦ୍ଧିଷ୍ଟ ସ୍ଥାନରେ ଧନୁଶର ଧରି ଛିଡାହୋଇ ପଚାରିଲେ, “ମହାରାଜ! ଏବେ ଆଦେଶ କରନ୍ତୁ, ଆମ୍ବ ପେନ୍ଥାର ତଳୁ ଶର ମାରିବି କି ଉପରୁ ଶର ମାରିବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ