ଗଛ ମୂଳରେ ରହି ଫଳର ଉପରୁ କିପରି ଶର ମରାଯାଇ ପାରିବ, ତାହା ରାଜାଙ୍କୁ ଆଶ୍ଚର୍ଯ୍ୟଜନକ ବୋଧହେଲା । ସେ କହିଲେ, “ତଳୁ ଶରମାରି ଲକ୍ଷ୍ୟଭେଦ କରିବା ମୁଁ ଶତ ଶତବାର ଦେଖିଅଛି । ତୁମେ ଉପରୁ ଶରମାରି ଫଳ ପେନ୍ଥାକୁ ଆଣ ।” ତହୁଁ ଅସଦୃଶ କହିଲେ, “ମହାରାଜ, ମୋ ହାତର ଏହି ଶରଟି ସ୍ୱର୍ଗପୁର ପର୍ଯ୍ୟନ୍ତ ଯାଇ ଫେରି ଆସିବ । ତେଣୁ ଆପଣ ଟିକିଏ ଧୈର୍ଯ୍ୟଧରି ଅପେକ୍ଷା କରିବାହେବେ । ପ୍ରଥମେ ଶରଟି ଉପରକୁ ଉଠିଲାବେଳେ ଆମ୍ବ ଡେମ୍ଫର ଠିକ୍ କେନ୍ଦ୍ର ଭେଦକରି ଯିବ; ଉପରୁ ଫେରି ଆସିଲାବେଳେ ମଧ୍ୟ ଠିକ୍ କେନ୍ଦ୍ର ଭେଦକରି ଆମ୍ବ ପେନ୍ଥାଟିକୁ ନେଇଆସିବ ।”
ରାଜା ଓ ଉପସ୍ଥିତ ଲୋକେ ଏହି ଅଦ୍ଭୁତ ଶରଚାଳନା ଦେଖିବାପାଇଁ ଆଗ୍ରହାନ୍ୱିତ ହୋଇ ଚାହିଁରହିଲେ । ଅସଦୃଶ ଗୋଟିଏ ଶର ମାରିଲେ, ତାହା ଆମ୍ବପେନ୍ଥା ଡେମ୍ଫର ମଧ୍ୟଭାଗ ଭେଦକରି ଉପରକୁ ଉଠିଲା; କ୍ରମେ ଏହା ଅଦୃଶ୍ୟ ହୋଇଗଲା । ଶରଟି ସ୍ୱର୍ଗରାଜ୍ୟରେ ପହଁଚିଥିବାର ଜାଣିପାରି ସେ ଆଉ ଗୋଟିଏ ଶର ନିକ୍ଷେପ କଲେ । ଏହା ଅତି ଦ୍ରୁତଗତିରେ ଯାଇ ପ୍ରଥମ ଶରଟିର ଗତିପଥକୁ ପରିବର୍ତିତ କରିଦେଲା । ଦେବତାମାନେ ଏହି ଶରଟିକୁ ଧରି ରଖିଲେ ।
ଏଥର ଶରଟି ପୃଥିବୀ ଅଭିମୁଖରେ ଏତେ ବେଗରେ ଆସିଲା ଯେ ବ୍ରଜଧ୍ୱନି ପରି ଶବ୍ଦ ଶୁଣାଗଲା । ଲୋକେ ଭୀତଚକିତ ହୋଇଗଲେ । ଅସଦୃଶ ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ, “ଭୟର କିଛି କାରଣ ନାହିଁ । ଶରଟି ଆସୁଥିବାରୁ ଏ ଶବ୍ଦ ହେଉଅଛି । ଏହା କାହାରି ଉପରେ ପଡିବନାହିଁ । ପୃଥିବୀ ଉପରେ ପଡିବା ପୂର୍ବରୁ ମୁଁ ଏହାକୁ ଧରିନେବି ।”
ତାଙ୍କରି କଥା କାର୍ଯ୍ୟତଃ ପ୍ରମାଣିତ ହେଲା । ଶରଟି ଫେରିଲାବେଳେ ଡେମ୍ଫର ମଧ୍ୟଭାଗ ଭେଦକରି ଆମ୍ବପେନ୍ଥାଟି ସହିତ ତଳକୁ ଖସିଲା ଓ ତାହା ଭୂମିରେ ପଡିବା ପୂର୍ବରୁ ଅସଦୃଶ ଗୋଟିଏ ହାତରେ ଶରଟିକୁ ଓ ଅନ୍ୟ ହାତରେ ଆମ୍ବପେନ୍ଥାଟିକୁ ଧରିନେଲେ । ଏହି ଅଦ୍ଭୁତ ଶରଚାଳନା ଦେଖି ରାଜା ଓ ଦର୍ଶକବୃନ୍ଦ ମୁଗ୍ଧ ହୋଇ ତାଙ୍କର ଭୂୟସୀ ପ୍ରଶଂସା କଲେ । ଯେଉଁ ଧନୁର୍ଦ୍ଧରମାନେ ତାଙ୍କପ୍ରତି ଈର୍ଷା କରୁଥିଲେ, ସେମାନେ ମଧ୍ୟ ତାଙ୍କ ପ୍ରଶଂସାରେ ମୁଖର ହୋଇଉଠିଲେ । ରାଜା ତାଙ୍କୁ ଆଲିଙ୍ଗନ କରି ଏକକୋଟି ମୁଦ୍ରା ପୁରସ୍କାର ଦେଲେ । ଦର୍ଶକମାନେ ମଧ୍ୟ ନାନା ଉପହାର ଦେଲେ ।
ଅସଦୃଶ କୁମାର ବାରାଣସୀ ତ୍ୟାଗକରି ଅନ୍ୟ ଏକ ରାଜ୍ୟରେ ରହି ପ୍ରଶଂସା ଲାଭ କରିଅଛନ୍ତି, ଏ ସମ୍ବାଦ ସମଗ୍ର ବିଭିନ୍ନ ରାଜ୍ୟରେ ପ୍ରଚାରିତ ହୋଇଗଲା । ସାତୋଟି ବିଭିନ୍ନ ରାଜ୍ୟର ରାଜା ଏକତ୍ର ମିଳିତ ହୋଇ ବିଚାର କଲେ, “ବାରାଣସୀ ରାଜ୍ୟ ବର୍ତ୍ତମାନ ନିତାନ୍ତ ଦୁର୍ବଳ । ଅସଦୃଶ କୁମାର ସାନଭାଇ ଉପରେ ବିରକ୍ତ ହୋଇ ଅନ୍ୟ ରାଜ୍ୟରେ ଆଶ୍ରୟ ନେଇଅଛନ୍ତି । ତାଙ୍କ ବିନା ବ୍ରହ୍ମଦତ କୁମାର ଦେଶରକ୍ଷା କରିବାକୁ ଅସମର୍ଥ, ଏଥିରେ ସନ୍ଦେହନାହିଁ । ଏହି ସୁଯୋଗରେ ଆମେମାନେ ବାରାଣସୀ ଅଧିକାର କରି ଏହାର ଗୋଟିଏ ଗୋଟିଏ ଅଂଶ ନିଜ ନିଜ ରାଜ୍ୟ ମିଶାଇଦେବା।” ସେମାନେ ବାରାଣସୀ ଅବରୋଧ କରି ରାଜାଙ୍କୁ ସମ୍ବାଦ ଦେଲେ, “ଆମ୍ଭମାନଙ୍କ ହସ୍ତରେ ବାରାଣସୀ ରାଜ୍ୟ ଅର୍ପଣ କର, ଅଥବା ଯୁଦ୍ଧ କର ।”