ସମୃଦ୍ଧିଶାଳୀ ନାମକ ଗୋଟିଏ ରାଜ୍ୟ ଥିଲା । ସେହି ରାଜ୍ୟରେ ଜୀର୍ଣ୍ଣାଧନ ନାମକ ଗୋଟିଏ ବଣିଆ ଥିଲା । ଭାଗ୍ୟକଥା, ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ସେ ଫକୀର । କୌଣସି କାରଣରୁ ବଣିଆଟି ଗରୀବ ହୋଇଯିବାରୁ ସେ ଚିନ୍ତାକଲା ଯେ କିଛି ଧନ ରୋଜଗାର ନିମନ୍ତେ ସେ ବିଦେଶ ଯିବ । ତେବେ ବିଦେଶ ଯିବା ଲାଗି ତ ପୁଣି ଧନର ଆବଶ୍ୟକତା ଅଛି । ଏଥିଲାଗି ତା’ ମୁଣ୍ଡରେ ପଶିଲା ଯେ ତା’ର ଯେଉଁ ସୁନ୍ଦର ନିକିତି ଗୋଟିଏ ଅଛି ସେହି ନିକିତିଟିକୁ ସାହୁକାର ପାଖରେ ବନ୍ଧା ପକାଇ କିଛି ଧନ ଆଣିବ । ବିଦେଶରୁ ଧନ ରୋଜଗାର କରି ଘରକୁ ଫେରିଲେ ସାହୁକାରକୁ ସୁଧ ମୂଳ ଦେଇ ନିକିତିଟିକୁ ମୁକୁଳାଇ ନେବ ।
ବଣିଆ ସେୟା କଲା । ନିକିତିଟିକୁ ସାହୁକାର ପାଖରେ ବନ୍ଧା ପକାଇ ବିଦେଶକୁ ଗଲା । ବିଦେଶରୁ ସେ ଭଲ ରୋଜଗାର କରି ଗ୍ରାମକୁ ଆସି ସାହୁକାରକୁ ତାର ସୁଧ ମୂଳ ଦେଇ ନିକିତିଟି ଆଣିବା ଲାଗି ଯେତେବେଳେ କହିଲା – ସେତେବେଳେ ନିକିତି ଉପରୁ ସାହୁକାର ଲୋଭ ଛାଡ଼ିଲା ନାହିଁ । ସେ କହିଲା – ଏତେ ଦିନ ହେଲା ଗଲୁଣି । ମୁଁ କ’ଣ ତୋ ନିକିତିଟିକୁ ସବୁଦିନ ଜଗି ବସିଥାଆନ୍ତି । କେତେବେଳେ ନିକିତିଟାକୁ ମୂଷା ଖାଇଗଲା ଯେ ତାହା ମୁଁ ଜାଣି ପାରିଲି ନାହିଁ । ତୁ ଆଉ ମୋତେ ଟଙ୍କା ଦେବୁ କ’ଣ । ବରଂ ସେହି ଟଙ୍କାରେ ତୁ ଗୋଟିଏ ନିକିତି କିଣି ଆଣିବା ଦରକାର ।