ବିଜୟପୁରୀ ଗ୍ରାମରେ ରାମଦାସ ନାମକ ଜଣେ ଶ୍ରମିକ ଥିଲା । ତା’ର ଉପାର୍ଜନ କମ୍ ଥିଲା ତେଣୁ ବଡ ପରିବାରଟି ଚଳାଇବା ତା’ପକ୍ଷେ ଭୀଷଣ କଷ୍ଟକର ହେଉଥାଏ । ସେ ମଧ୍ୟ ବେଳେବେଳେ ଭୋକ ଉପାସରେ ରହୁଥାଏ ।
ଶିବଦାସ ହେଉଛି ରାମଦାସର ଏକମାତ୍ର ପୁତ୍ର । ପିଲାଟିଦିନୁ ସେ ତ ତା’ ମାବାପାଙ୍କ ଦୁଃଖକଷ୍ଟ ଦେଖି ଆସିଛି । ତେଣୁ ତା’ମନରେ ଗୋଟିଏ ଇଚ୍ଛା ଥାଏ, ସେ ଭାବେ “ମୁଁ ବଡ ହେଲେ ଏତେ ଧନ ରୋଜଗାର କରିବି ଯେ ତାହା ଯେପରି କେବେହେଲେବି ଶେଷ ହେବ ନାହିଁ । ସମସ୍ତେ ଖୁସି ଆନନ୍ଦରେ ରହିବେ ।”
ପନ୍ଦରବର୍ଷ ପର୍ଯ୍ୟନ୍ତ ସେ ତା’ ମାବାପାଙ୍କୁ କାମରେ ସାହାଯ୍ୟ କରୁଥାଏ । କାମ ଖଟି ଖଟି ଥରେ ତା’ର ମା’ ବେମାର ପଡିଲେ । ଗାଁ ବୈଦ୍ୟ କହିଲେ ଯେ ଭଲ ଭାବରେ ଚିକିତ୍ସା କଲେ ହୁଏତ ସେ ବଞ୍ଚିଯାଇପାରେ, କିନ୍ତୁ ପଇସାର ଅଭାବ ଯୋଗୁଁ ତା’ର ମା’ ଚିରଦିନ ପାଇଁ ଆଖିବୁଜିଲେ । ଶିବୁର ମନ ବହୁତ ଭାଙ୍ଗି ପଡିଲା । ଦାରିଦ୍ର୍ୟ ହେତୁ ସେ ମାକୁ ବଂଚାଇ ପାରିଲା ନାହିଁ । ଏହା ଏକ ଅଭିଶାପ । ଏହି ଦାରିଦ୍ରତା ଯେତେଦିନ ଥିବ ସେତେଦିନ ଆନନ୍ଦ ମିଳିବ ନାହିଁ । ତେଣୁ ଏ ଜୀବନ ଏକ ଦଣ୍ଡ । ତେଣୁ ସେ ଭାବିଲା ଏପରି ଧନ ସେ ଆଣିବ ଯେ ଯାହାକି କେବେ ହେଲେ ମଧ୍ୟ ଶେଷ ହେବ ନାହିଁ । ଦୁଇବର୍ଷ ପରେ ପୁଣି ତା’ ବାପା ବି ମରିଗଲେ । ଶିବୁ ଏଥର ଆହୁରି ଦୁଃଖରେ ଭାଙ୍ଗି ପଡିଲା । ତା’ର ଭବିଷ୍ୟତ ଶୁନ୍ୟ ଲାଗିଲା । ଏପରି ପରିସ୍ଥିତିରେ ସେ ଗ୍ରାମର ମୁଖିଆ ଭୂଷଣ ତାକୁ ଡକାଇ କହିଲେ, “ଶିବୁ, ତୁ କଷ୍ଟ କରି ସେମାନଙ୍କ ପାଇଁ ଧନ ଅର୍ଜନ କରିବାକୁ ତୋ ବାପା ଚାହୁଁ ନଥିଲେ । ଏଣୁ ସେ ମୋ ପାଖରେ ଶହେଟି ମୋହର ରଖି ଯାଇଛନ୍ତି । ମୁଁ ତାକୁ ତୋତେ ଦେଇଦେବି । କହିଲୁ ତୁ ତାକୁ ନେଇ କ’ଣ କରିବୁ?”
ଏକଥା ଶୁଣି ଶିବୁ ଦେହରେ ଟିକେ ଜୀବନ ପଶିଲା; ତା’ପରେ ସେ ତା’ର ମନ କଥା ସବୁ ଖୋଲି ଭୂଷଣଙ୍କୁ କହିଲା । ଭୂଷଣ କହିଲେ, “ସେ କଥା ତୁ ତୋ ମନ ଭିତରେ ରଖ; ଏ ମୋହର ସବୁ ନେଇ ଯା ଓ କିଛି କାମ କର । ଯେଉଁଦିନ ହଜାରେ ମୋହର ହେବ, ପୁଣି ତୁ ମୋ ପାଖକୁ ଆସି ମୋତେ ଦେଖା କର ।”
ଶିବୁ ପ୍ରଥମେ କେତେଗୁଡିଏ କୁକୁଡା ପାଳିଲା ଓ ସେହି ବ୍ୟବସାୟରେ ମନ ଦେଲା । କୁକୁଡାମାନେ ଅଣ୍ଡାଦେଲେ, ତାକୁ ସେ ବିକିଲା । ପୁଣି କୁକୁଡାଛୁଆ ହେଲେ । କିଛିଦିନ ପରେ କୁକୁଡାଙ୍କୁ କିଛି ଗୋଟେ ରୋଗ ହେବା କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ମଲେ । ତଥାପି ମଧ୍ୟ ଶିବୁ ହାତରେ ଦୁଇଶହ ମୋହର ଥାଏ ।
ତା’ପରେ ସେ ଦଶଟି ମେଣ୍ଢା କିଣିଲା । ସେଥିରୁ ଦୁଇଟିକୁ ହେଟା ଖାଇଲା । ଚାରିଟି ଚୋରୀ ହୋଇଗଲା । ଗୋଟିକର ଗୋଡ ଭାଙ୍ଗିଗଲା । ସେ ଦେଖିଲା ଏ ବ୍ୟବସାୟରେ ସେତେ ଲାଭ ନାହିଁ । ତେଣୁ ଅବଶିଷ୍ଟ ମେଣ୍ଢା ତକକୁ ପଚାଶ ମୋହରରେ ସେ ବିକି ଦେଲା ।
ସେତକ ପଇସା ନେଇ ସେ ଫୁଲ ବ୍ୟବସାୟ କଲା । ପ୍ରଥମରୁହିଁ ଦେଖିଲା ଯେ କିଛିଟା ପଚିଗଲା । କିଛିଟା ବିକ୍ରି ହୋଇ ପାରିନାହିଁ । ଏହିପରି ଭାବେ ସପ୍ତାହକ ମଧ୍ୟରେ ତା’ର ଅନେକ ପଇସା କ୍ଷତି ହେଲା । ତା’ପରେ ସେ ଲଙ୍କାର ପକୋଡି ତିଆରି କରି ବିକିଲା । ଦିନେ ବର୍ଷା ହୋଇ ସବୁ ଭିଜିଗଲା । ବହୁତ କ୍ଷତି ହେଲା । ତଥାପି ମଧ୍ୟ ତା’ ହାତରେ ପାଞ୍ଚଟି ମୋହର ଥାଏ ।
କେବେ ଶେଷ ନ ହେବା ଧନ ରୋଜଗାର କରିବାକୁ ଯାଇ ଶିବୁର ଫଳ ବୀପରିତ ହେଲା । ସବୁକଥା ଭାବିଭାବି ଦୁଃଖରେ ସେ ଘରକୁ ଫେରୁଥାଏ । ଦେଖିଲା ଚାରିବର୍ଷର ବାଳକଟିଏ କାନ୍ଦି କାନ୍ଦି ହତାଶ ହୋଇ ଇଆଡେ ସିଆଡେ ଦୌଡୁଛି । ତାକୁ ସେ ଧରି ସ୍ନେହରେ ପଚାରିବାରୁ ସେ କହିଲା ଯେ ସେ ତା’ ମାବାପାଙ୍କ ସହ ହାଟକୁ ଆସିଥିଲା । ଏବେ ଅଲଗା ହୋଇ ଯାଇଛି । ପଚାରି ବୁଝିଲା ଯେ ସେ ପଡୋଶୀ ଗାଁର ସୁନ୍ଦର ଦାସର ପୁଅ ।