ଟ୍ରଫଲ୍ଗାର୍ ଯୁଦ୍ଧ ଚାଲିଥାଏ । ଯୁଦ୍ଧରେ ନେଲ୍ସନ୍ ଗୁରୁତର ଭାବେ ଆହତ ହୋଇପଡିଲେ । ଠିକ୍ ଏତିକିବେଳେ ସେ ଦେଖିଲେ ଯେ, ତାଙ୍କ ଆଗରେ ଆଉ ଜଣେ ସୈନିକ ଆହତ ହୋଇପଡି ଆର୍ତନାଦରେ ଚିତ୍କାର କରୁଛି । ଏଣେ ଏ ନେଲ୍ସନ୍ଙ୍କ ଶରୀରରେ କ୍ଷତଜନିତ ଯନ୍ତ୍ରଣା ବେଳକୁ ବେଳ ବଢିଚାଲିଥାଏ । ଶୋଷରେ ବି ତାଙ୍କର ତଂଟି ଶୁଖି ଯାଉଛି । ନିଜ ପାଖରେ ଥିବା କିଛି ଜଳପିଇ ସେ ନିଜ ଜୀବନ ବଂଚାଇବାକୁ ଉଦ୍ୟମ କରିବାକୁ ଯାଉଛନ୍ତି; ଠିକ୍ ଏତିକିବେଳେ ତାଙ୍କ ପାଖରେ ପଡିଥିବା ସେହି ଆହତ ସୈନିକ ଜଣକ ହଠାତ୍ କ୍ଷୀଣସ୍ୱରରେ ପାଣି ବୋଲି କହିଉଠିଲା ।
ଏହା ଶୁଣି ନେଲ୍ସନ୍ଙ୍କ ହାତ ସେଇଠି ଅଟକିଗଲା । ତା’ପରେ ସେ ବହୁକଷ୍ଟରେ ଘୁଷୁରି ଘୁଷୁରି ସେଇ ସୈନିକ ପାଖରେ ଯାଇ ପହଁଚିଗଲେ । ତା’ପାଟିକୁ ସବୁ ତକ ପାଣି ସେ ଢାଳିଦେଲେ । କିଛି ସମୟ ପରେ ନେଲ୍ସନ୍ଙ୍କର ପ୍ରାଣବାୟୁ ବି ଉଡିଗଲା ।
ସେଇ ଯୁଦ୍ଧରେ ଇଂଲଣ୍ଡର ବିଜୟ ଲାଭ ହେଲା ସତ, ହେଲେ ନେଲ୍ସନ୍ଙ୍କ ମୃତ୍ୟୁ ଥିଲା ଇଂଲଣ୍ଡର ଅଧିବାସୀଙ୍କ ପାଇଁ ଏକ ଦାରୁଣ ଦୁଃସମ୍ବାଦ । ସେଦିନ ନେଲ୍ସନ୍ ମରିଗଲେ ସିନା, ହେଲେ ମୃତ୍ୟୁ ଆଗରୁ ସେ ଯେଉଁ ତ୍ୟାଗ ଓ ସାହସ ପ୍ରଦର୍ଶନ ଦେଖାଇ ଦେଇଗଲେ ତାହା ତାଙ୍କୁ କାଳକାଳକୁ ଅମର କରି ରଖିଦେଲା ।
“ଅସୀମ ସାହସ ତ୍ୟାଗ ବଳେ ଯେଣୁ ମଣିଷପଣିଆ ପଡଇ ଜଣା
ଆସ ପିଲାମାନେ ଅରଜି ସେ ଗୁଣ ଭଲ ମଣିଷରେ ହୋଇବା ଗଣା ।”