ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ

ଫ୍ରାନ୍ସ ରାଜ୍ୟରେ ଅତି ପ୍ରାଚୀନ କାଳରେ ଜଣେ ରାଣୀ ଥିଲେ । ଅନେକ ଦିନ ପରେ ତାଙ୍କର ପୁଅଟିଏ ହେଲା । ରାଣୀଙ୍କର ଆନନ୍ଦ କହିଲେ ନ ସରେ । ମାତ୍ର ସେ ରାଣୀ ଯେତେବେଳେ ତାଙ୍କ ପୁଅକୁ ଦେଖିଲେ, ହଠାତ୍ ଆଖିରେ ତାଙ୍କର ଲୁହ ଜମିଗଲା । ଏତେକାଳପରେ ଭଗବାନ ତାଙ୍କୁ ପୁଅଟିଏ ଦେଲେ, ସେ ପୁଣି ଏଡିକି ଅସୁନ୍ଦର । ତାର (ପୁଅଟିର) ଅପରିଛନିଆ ବିକଟାଳ ମୁହଁକୁ ସେ ରାଣୀ ଜଣକ ମୋଟେ ଅନାଇ ପାରିଲେ ନାହିଁ । କେତେ ଅନୁନୟ ବିନୟ ହୋଇ ସେ ରାଣୀ ଭଗବାନଙ୍କୁ ଡାକିଲେ – ପ୍ରଭୁ! ତୁମେ ଏ କଅଣ କଲ? ରଜାଘରେ ପୁଣି ଏମିତି ଅଲକ୍ଷଣିଆ ପୁଅ! ଜନ୍ମବେଳରୁ ତାର ମୁଣ୍ଡଟା ବଡ ଏବଂ ମୁଣ୍ଡରେ ତାର ପୁଣି ଗୋଟିଏ ଜଟ ।

ରାଣୀଙ୍କର ଏ ପ୍ରକାର ଦୁଃଖ ସହି ନ ପାରି ହଠାତ୍ ସେଠାରେ ଜଣେ ପରୀ ଆସି ପହଁଚିଲା । ରାଣୀ ସେ ପରୀ ପାଖରେ ବହୁତ ପ୍ରାର୍ଥନା କଲେ । ତହୁଁ ସେ ପରୀ କହିଲା, “ରାଣୀ! ତୁମେ ତୁମ ପୁଅର ଏ ପ୍ରକାର ଅସୁନ୍ଦର ରୂପ ଦେଖି ଆଦୌ ବ୍ୟସ୍ତ ହୁଅନାହିଁ । ତୁମ ପୁଅ ରୂପରେ ଅସୁନ୍ଦର ହେଲେ କ’ଣ ହେଲା, ତାପରି ଗୁଣର ଆଉ କେହି ହେଲେ ବି ହେବେ ନାହିଁ । ସେ ଭାରି ବୁଦ୍ଧିମାନ ଓ ଚତୁର ହେବ । ପଣ୍ଡିତ ପଣିଆରେ ଏ ରାଜ୍ୟରେ ତା’ସହିତ କେହି ବି ସମାନ ହେବେ ନାହିଁ । କେବଳ ସେତିକି ନୁହେଁ, ସେ ଯାହାକୁ ଭଲ ପାଇବ, ସେ ବି ଠିକ୍ ସେମିତି ଚତୁର ଓ ବୁଦ୍ଧିମାନ ହେବ ।”

ଏଇ ଘଟଣାର ସାତବର୍ଷ ପରେ ପାଖ ରାଜ୍ୟର ରାଣୀଙ୍କର ଦୁଇଟି ଜାଆଁଳା ଝିଅ ଜନ୍ମ ହେଲେ । ବଡ ଝିଅଟି ଭାରୀ ସୁନ୍ଦରୀ, ଆଉ ସାନ ଝିଅଟି କିନ୍ତୁ ଭାରୀ ଅସୁନ୍ଦରୀ ଥିଲା । ଠିକ୍ ଏତିକିବେଳେ ସେଠାରେ ସ୍ୱର୍ଗର ପରୀଟିଏ ଆସି ଉପସ୍ଥିତ ହେଲା । ସେ ରାଣୀଙ୍କୁ କହିଲା, “ତୁମର ସୁନ୍ଦରୀ ଝିଅଟି ଅତ୍ୟନ୍ତ ବୋକୀ ହେବ । ସାନଝିଅଟି ସିନା ଅସୁନ୍ଦରୀ ହେଲେ କ’ଣ ହେବ, ତା’ ପରି ବୁଦ୍ଧିମତୀ ଆଉ କେହି ହେଲେ ବି ହେବେ ନାହିଁ ।”

ଚନ୍ଦ୍ରଉଦିଆ ପରି ସେ ରାଜପୁରୀରେ ସମୟାନୁକ୍ରମେ ଦୁଇ ଝିଅ ବଢିବାକୁ ଲାଗିଲେ । ପ୍ରଥମ ଝିଅଟିର ସୁନ୍ଦର ପଣରେ ସମସ୍ତେ ଖୁସି ହେଲେ; କିନ୍ତୁ ଖୁବ୍ ଅଳ୍ପଦିନ ମଧ୍ୟରେ ସମସ୍ତେ ଆପେ ଆପେ ଜାଣିଗଲେ ଯେ, ସେ ଗୋଟିଏ ବୋକୀ ।

ତେଣୁ ପାଠ ଘରେ ତାର ତାଲା ପଡିଲା । ସେ ଆଦୌ କିଛି ମନେରଖି ପାରିଲା ନାହିଁ । ପାଣି ପିଇବାକୁ ଗଲେ କାଚଗ୍ଲାସ୍ ଭାଙ୍ଗିପକାଏ, ଖାଇବସିଲେ ତାକୁ କିଛି ଠିକଣା ରହେନାହିଁ । ଏସବୁ ଦେଖି ସେ ରାଜାରାଣୀ ବଡ ଚିନ୍ତିତ ହୋଇପଡିଲେ । ଏପରି ଝିଅକୁ ନେଇ ସେ ଏବେ କ’ଣ କରିବେ? ସେ କିପରି ଅବା ଏ ସଂସାରରେ ଚଳିବ? ତେଣୁ ସେ ବଡ ଝିଅକୁ କେହି ବି ଭଲ ପାଇଲେ ନାହିଁ, କି ତା ପାଖରେ କେହି ବି ବସିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ