ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅହଂକାର

ରାଜା ବଳବନ୍ତ ସିଂହ ମଧ୍ୟବୟସ୍କ ବ୍ୟକ୍ତି ଥିଲେ । ସେ ଭାଷ୍ୟଗ୍ରନ୍ଥର ସହାୟତାରେ ଶ୍ରୀମଦ୍ଭାଗବତ୍ ଗୀତା ପଢିଲେ ଓ କାବ୍ୟ ରୂପରେ ସେ ତାହାର ଅନୁବାଦ କଲେ । କାବ୍ୟ ସମ୍ପୂର୍ଣ୍ଣ ହେବା ପରେ ସେ ଭାବିଲେ ଯେ ସେ ଜଣେ ମହାନ୍ କବି । ସେତେବେଳେ ବିଷ୍ଣୁ ଶର୍ମା ତାଙ୍କ ରାଜ୍ୟର ବଡ ପଣ୍ଡିତ ଥା’ନ୍ତି । ତାଙ୍କ ପାଖକୁ ରାଜା କହି ପଠାଇଲେ କି ଯଦି କେହି ରାଜାଙ୍କ ସମାନ ପଣ୍ଡିତ ଅଛନ୍ତି ବୋଲି ସେ ଭାବନ୍ତି ତେବେ ସେ ତାଙ୍କୁ ଦରବାରକୁ ପଠାଇ ଦେବେ ।

ଏଥିରୁ ବିଷ୍ଣୁଶର୍ମା ତ ନିଜେ ପ୍ରଥମେ କିଛି ବୁଝିପାରିଲେନି । ସେ ବହୁତ ଭାବିଚିନ୍ତି ଶେଷରେ ଶ୍ରୀବତ୍ସ ନାମକ ଜଣେ ଯୁବକଙ୍କୁ ରାଜାଙ୍କ ପାଖକୁ ପଠାଇ ଦେଲେ । ଶ୍ରୀବତ୍ସକୁ ଦେଖି ରାଜା କହିଲେ, “ଗୀତା ପଢି ବୁଝିବା କେତେ କଷ୍ଟ । ପୁଣି ତାକୁ କବିତାରେ ଅନୁବାଦ କରିବା କେତେ କଷ୍ଟ । ସେ କ୍ଷେତ୍ରରେ ତମେ ବା କ’ଣ ବୁଝି ପାରିବ? ଯାଅ ତୁମ ଗୁରୁ ବିଷ୍ଣୁଶର୍ମାଙ୍କୁହିଁ ପଠାଇ ଦେବ ।

କିଛିଦିନ ପରେ ବିଷ୍ଣୁଶର୍ମାଙ୍କୁ ଦେଖି ରାଜା କହିଲେ, “ଶ୍ରୀବତ୍ସ ପରି ଅଜ୍ଞାନକୁ ମୋ ସହିତ ସମାନ ତୁମେ କିପରି କରୁଥିଲ?” ବିଷ୍ଣୁଶର୍ମା କହିଲେ, “ମହାରାଜ ଯେଉଁ ଗ୍ରନ୍ଥ ଟୀକା ପଢି ଆପଣ ଗୀତା ବୁଝିପାରିଲେ ସେ ଭାଷ୍ୟ ସେହି ଯୁବକ ଶ୍ରୀବତ୍ସାଚାର୍ଯ୍ୟହିଁ କରିଛନ୍ତି ।”

ତାଙ୍କ କଥା ଶୁଣି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ସେ ଯୁବକ ତ ମୋତେ ଏସବୁ କଥା କାହିଁ କିଛି କହି ନାହାଁନ୍ତି! ସତରେ ସେ କ’ଣ ଏତେ ବଡ ପଣ୍ଡିତ?”

ବିଷ୍ଣୁଶର୍ମା ନମ୍ର ସ୍ୱରରେ କହିଲେ, “ପ୍ରକୃତ ବଡ କବି ନିଜର ଆତ୍ମପ୍ରଶଂସା କେବେ ମଧ୍ୟ କରନ୍ତି ନାହିଁ ।” ଏସବୁ କଥା ଶୁଣି ବଳବନ୍ତ ସିଂହଙ୍କର ଅହଙ୍କାର ସେହିକ୍ଷଣି ଭାଙ୍ଗିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ