ପ୍ରତ୍ୟେକ ଦିନ ଭାଟମାନେ ଆସି ବିଦ୍ୟାଧରକୁ ପ୍ରଶଂସା କରନ୍ତି, ତାହାକୁ ମହାବୀର କହି ଗୀତ ଗାଆନ୍ତି । ନିଜର ପ୍ରଶଂସା ଶୁଣି ସେ ଖୁବ୍ ବ୍ୟସ୍ତ ହୋଇ ପଡେ । ବାହାରେ ତା’ର ନମ୍ର ଓ ବିନୟ ସ୍ୱଭାବ ଦେଖି ସମସ୍ତେ ବେଶ୍ ଖୁସି ହୁଅନ୍ତି । ସେ ସମସ୍ତ ପ୍ରଜାଙ୍କ ଦୁଃଖ ଯାତନା ଶୁଣେ ଓ ବହୁତ ଦାନ ଧର୍ମ କରେ ।
ଏହିପରି ଦିନ ମାସ ବର୍ଷ ବିତିଗଲା । ବିଦ୍ୟାଧର ରୂପୀ ଶେଖର ଏଣେ ଶମୀବୃକ୍ଷରୁ ଶକ୍ତିସବୁ ପାଇଲେ ଓ ଦେଶ ଉପରେ ହଜାରବର୍ଷ ପରେ ଆସୁଥିବା ବିପଦକୁ ସମୂଳେ ଧ୍ୱଂସ କଲେ । ସେ ବୀର ଥିଲେ, ପୁଣି ତପସ୍ୱୀମାନଙ୍କ ଶକ୍ତି ପ୍ରାପ୍ତ କଲେ । ଏଥର ସେ ଋଷିଙ୍କର ଶକ୍ତି ବୁଝିପାରିଲେ । ସେ ବୁଝିପାରିଲେ ଯେ ଦେଶକୁ ଏତେବଡ ବିପତ୍ତିରୁ ରକ୍ଷା କରିବା ପାଇଁ ଋଷି ଏକ ନାଟକ ରଚନା କଲେ । ସେହିଦିନଠାରୁ ତାଙ୍କର ଋଷିମାନଙ୍କ ଉପରେ ବିଶ୍ୱାସ ଆସିଲା । ସେମାନଙ୍କୁ ଅନାଦର କରିବା ପାପ ବୋଲି ସେ ଭାବିଲେ; ତାଙ୍କର ଅହଂକାର କୁଆଡେ ଉଭେଇଗଲା । ଏହାପରେ ସେ ତାଙ୍କ ରାଜଧାନୀକୁ ଫେରିଲେ ।
ଋଷି ବିଦ୍ୟାଧରକୁ ଏକାନ୍ତରରେ କହିଲେ, “କେବଳ ଅହଂକାର ଯୋଗୁଁ ଏତେ ବଡ କାମକୁ ଶେଖର କରିପାରୁ ନଥିଲେ । ସେ ଏହି ଦେଶର ଯୁବରାଜ, ଏବଂ ଯୁବରାଜଙ୍କର ଯାହା କର୍ତ୍ତବ୍ୟ ସେ କରିଛନ୍ତି । ଏକଥା ଶୁଣି କ୍ଷଣକ ପାଇଁ ବିଦ୍ୟାଧର ମହା ଅଡୁଆରେ ପଡିଲା ଓ ପରେ ସଚେତନ ହୋଇ ଋଷିଙ୍କୁ କହିଲା, “ଦୟାକରି ମୋତେ ମୋର ନିଜରୂପ ଫେରାଇ ଦିଅନ୍ତୁ ।”
ଋଷି ପଚାରିଲେ “କାହିଁକି? ତୁମେ ଦେଶର ରାଜା ହୋଇଛ; ଏବେତ ତୁମର ବହୁତ ପ୍ରଶଂସା?”
ବିଦ୍ୟାଧର ବିନୟପୂର୍ବକ କହିଲା, “ପ୍ରତ୍ୟେକ ଦିନ ଲୋକେ ମହାବୀର କହି ମୋର ପ୍ରଶଂସା କରୁଛନ୍ତି । ଏହାତ ଏକ ବଡ ମିଥ୍ୟାଚାର । ସେଥିରେ ତୃପ୍ତି କାହିଁ? କିନ୍ତୁ ଶେଖର ରୂପରେ ଯେତେ ପାରେ ମୁଁ ପ୍ରଜାହିତକର କାମ କରିଛି । ସେଥିରୁ ଯାହା ପ୍ରଶଂସା ପାଇଛି; ମୁଁ ସେଥିରେ ଅତ୍ୟନ୍ତ ଖୁସି । ମୁଁ ଭବିଷ୍ୟତରେ ବି ଏହିପରି ପରୋପକାର କାର୍ଯ୍ୟ କରିବି । ତେଣୁ ମୁଁ ପ୍ରାର୍ଥନା କରୁଛି କି ଆମର ରୂପ ପୂର୍ବପରି ବଦଳାଇ ଦିଅନ୍ତୁ ।”
ଋଷି ତାଙ୍କ କଥାରେ ପ୍ରସନ୍ନ ହୋଇ କହିଲେ, “ଶେଖରର ଅହଂକାର ଚାଲିଯାଇଛି । ତୋର ଭୟ ଓ ଅଳସୁଆପଣ ମଧ୍ୟ ଭାଙ୍ଗି ଯାଇଛି । ଭବିଷ୍ୟତରେ ଶେଖର ତୁମର କ୍ଷତି କରିବାକୁ ଚାହିଁଲେ ତୁମେ ରୂପ ପରିବର୍ତ୍ତନ କରି ନେବ । ତେଣୁ ସାବଧାନତାର ସହିତ ନିଜ ନିଜର କର୍ତ୍ତବ୍ୟ ଠିକ୍ କରି ପ୍ରଜାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କର ।” ସେମାନଙ୍କୁ ନିଜ ନିଜର ରୂପରେ ବଦଳାଇ ଦେଇ ସେ କହିଲେ, “ଦୁହେଁ, ଆଜିଠାରୁ ବନ୍ଧୁ ହୋଇ ଚଳ । ପରସ୍ପରକୁ ସହାୟତା କର ।” ତା’ପରେ ସେ ଋଷି ବନକୁ ଚାଲିଗଲେ ।
ଧନ ସମ୍ପତ୍ତି ସହିତ ବିଦ୍ୟାଧର ସଦବୁଦ୍ଧି ମଧ୍ୟ ପାଇଲା । ଅହଂକାର ତ୍ୟାଗ କରି ଶେଖର ବିନୟ ବ୍ୟବହାର କଲା । ଦୁଇଜଣଙ୍କର ଏପରି ପରିବର୍ତ୍ତନ ଓ ଉନ୍ନତି ଦେଖି ସେମାନଙ୍କ ପିତାମାତା ମଧ୍ୟ ବହୁତ ଖୁସି ହେଲେ ।