ଏକଥା ଶୁଣିବା ମାତ୍ରେ ସ୍ୱାମୀ ଟେଣ୍ଟେଇ କହିଲା – ଏହି ସ୍ଥାନ ତ ଆମ ଲାଗି ନିରାପଦ । ଅଣ୍ଡା ଦେବା ଲାଗି ଆଗରୁ ଏତେ ଚିନ୍ତା କରୁଛ କାହିଁକି?
ସ୍ତ୍ରୀ ଟେଣ୍ଟେଇ ପକ୍ଷୀ କହିଲା – ମୁଁ କହିବାର କାରଣ ହେଉଛି ଏ ହେଉଛି ସାଗର କୂଳ । ଏଠାରେ ମୋ ଛୁଆ ପାଇଁ ନିରାପଦ ସ୍ଥାନ ହେବ ନାହିଁ । ବରଂ ଆଜିଠାରୁ କିଛି ଗୋଟାଏ ବ୍ୟବସ୍ଥା କରି ଆମେ ଏଠାରୁ ଚାଲିଯିବା । ନିରାପଦ ସ୍ଥାନରେ ଅଣ୍ଡାଦେବା, ମୋର ଛୁଆ ଗୁଡ଼ିକ ଯେତେବେଳେ ବଡ଼ ହୋଇଯିବେ ଆମେ ପୁଣି ଏହି ସ୍ଥାନକୁ ଫେରିଆସିବା ।
ଏତେବେଳଯାଏ ଟେଣ୍ଟେଇ ପକ୍ଷୀ ଯେତେ କଥା କହିଲା ସେକଥା ଅତି ହାଲୁକା ଭାବରେ ପୁରୁଷ ଟେଣ୍ଟେଇ ପକ୍ଷୀ ଗ୍ରହଣ କରି କହିଲା – ଆଲୋ ସତରେ ତୁ ପାଗଳି ହୋଇଗଲୁଣି । ଏ ସାଗର କୂଳ କେଡ଼େ ସୁନ୍ଦର । ଏପରି ପ୍ରଶସ୍ତ ସାଗର କୂଳକୁ ଛାଡ଼ି କେଉଁ ଅଜଣା ଦୂର ସ୍ଥାନକୁ ଯିବା ଲାଗି ଇଚ୍ଛା କରୁଛୁ କହିଲୁ । ମୁଁ କହୁଛି, ତୁ ଏଇଠାରେ ହିଁ ଅଣ୍ଡା ଦେବୁ । ଏହି ପ୍ରଶସ୍ଥ ସ୍ଥାନରେ ମୁଁ ମୋର ଛୁଆକୁ ଉଡ଼ାଇ ଶିଖାଇବି । ତେବେ ଏଠାରେ ତ ଖାଦ୍ୟରେ ଆମର ଅଭାବ ନାହିଁ ।
ସ୍ୱାମୀ ତା’ର ଯେତେ କଥା ବୁଝାଇ ଶୁଝାଇ କହିଲା ସ୍ତ୍ରୀ ଟେଣ୍ଟେଇ କିନ୍ତୁ ସେକଥାକୁ ବୁଝିଲା ନାହିଁ । ସେ କହିଲା ମୁଁ ତୁମର ମଙ୍ଗଳ କଥା କହୁଛି । କାହିଁକିନା ଆଗକୁ ଆସୁଛି ଚାନ୍ଦିନୀ ରାତି । ତମେ ଜାଣିଛ ଚାନ୍ଦିନୀ ରାତି ହେଲେ ଏ ସାଗର ଆନନ୍ଦ କହିଲେ ନ ସରେ । ତା’ ଦେହରୁ ଏତେ ଜୋରରେ ଜୁଆର ଆସେ ଯେ ଦେଖିଲେ ଭୟ ଲାଗେ । ମୋତେ ସାଗରର ସେହି ବଡ଼ ବଡ଼ ଜୁଆରକୁ ଭୟ । ଯଦି ବଡ଼ ଜୁଆରଟେ ଆସିବ ନା ସେ ମୋ ଛୁଆଙ୍କୁ ଭସାଇ ନେଇଯିବ ତା କୋଳକୁ । ତମର ସେତେବେଳେ କି ଉପାୟ ଥିବ? ତମେ କ’ଣ ସାଗର ସାଥିରେ ଲଢ଼େଇ କରି ତା’ କୋଳରୁ ମୋ ଛୁଆମାନଙ୍କୁ ଛଡ଼ାଇ ଆଣିବ! ତମେ ଜାଣିଛଟି ସେହି ସାଗର ଜୁଆରରେ ହାତୀଟିଏ ପଡ଼ିଲେ ସେ ବି ଭାସିଯିବ। ହାତୀ ଆଗରେ ଆମେ ତ ଛାର ସାଧାରଣ ।