ସ୍ତ୍ରୀ କଥାରେ ପୁରୁଷ ଟେଣ୍ଟେଇ ପକ୍ଷୀ ପୁଣି ଠୋ ଠୋ ହୋଇ ହସିଲା । ସେ କହିଲା – ତୁ ପାଗଳୁ ହେଲୁ ନା କ’ଣ । ସାଗର ଢ଼େଉର ପୁଣି ଏତେ ତାକତ ଯେ ସେ ଆମର ଅଣ୍ଡାକୁ ଭସାଇ ନେବ । ମନେରଖ ସାଗରର ସେମିତି କରାମତି ନାହିଁ । ମୁଁ ତୋତେ କଥା ଦେଉଛି, ତୋ ଛୁଆ କଥା ମୁଁ ବୁଝିବି । ତୁ କେବଳ ନିର୍ଭୟ ହୋଇ ରହିବୁ । ତାହା ନହେଲେ ଏଠାରେ ଯେପରି ତୋର ସାଗରର ଜୁଆରକୁ ଭୟ ସେହିପରି ଆଉ କିଛି ଭୟ ମଧ୍ୟ ଅନ୍ୟ ସ୍ଥାନରେ ଅଛି । ଭୟ ପୁଣି ଏପରି କଥା ଯେ ତାହା ସବୁଠାରେ ଥାଏ । ଯାହାର ମୁଣ୍ଡରେ ବିଦ୍ୟାବୁଦ୍ଧି ଅଛି ସେ ସମସ୍ତ ଭୟରୁ ମୁକତି ପାଇଯିବ । କ’ଣ ମୋର ତାକତ ଜାଣି ନାହୁଁ?
ଏତେବେଳଯାଏ ସ୍ୱାମୀ ସ୍ତ୍ରୀ ଟେଣ୍ଟେଇ ପକ୍ଷୀ ଯାହା ଯାହା ସବୁ କଥା ହେଉଥିଲେ ସେ କଥାକୁ ସବୁ ଶୁଣୁଥିଲା ସାଗର । ସାଗରର ଆକାର ଯେପରି ସେହିପରି ଶକ୍ତି ଅଛି ତା’ର । କେତେ ଅହଙ୍କାର ଏହି ପକ୍ଷୀଙ୍କର । ସେମାନଙ୍କ କଥାତ ସାଗର ସବୁ ଶୁଣିଥିଲା । ସେ କେବଳ ଅପେକ୍ଷା କରିଲା ସେହି ସମୟକୁ କେତେବେଳେ ସ୍ତ୍ରୀ ପକ୍ଷୀ ଅଣ୍ଡା ଦେବ ।
ସ୍ତ୍ରୀ ଟେଣ୍ଟେଇ ପକ୍ଷୀର ଅଣ୍ଡା ଦେବାର ସମୟ ଆସିଲା । ଉଚ୍ଚିତ ସମୟରେ ସେଠାରେ ସେ ଅଣ୍ଡା ଦେଇ ଅଣ୍ଡାକୁ ନିଜର ଡ଼େଣା ତଳେ ଲୁଚାଇ ରଖି ଦିନସାରା ଅଣ୍ଡାକୁ ଜଗି ବସି ରହିଲା । ସାଗର ମଧ୍ୟ ଅପେକ୍ଷା କରିଥିଲା, ସେ ସିନା ଆକାଶ ଖସି ପଡ଼ିଲେ ନିଜ ଗୋଡ଼ ଯୋଡ଼ାକରେ ଆକାଶକୁ ଟେକି ଧରିବାର ସାହାସ ଧରିଛି । ଦେଖିବା ଏଥର ତାର ଅଣ୍ଡାକୁ ଭସାଇ ନେଲେ ସେ ମୋର କ’ଣ କରିବ । ଏକା ଥରକେ ତାହାର ଅହଂକାର ଆଉ ଗର୍ବପଣ ଭାଙ୍ଗିଯିବ । ଏହାଭାବି ସାଗର ଗୋଟାଏ ବଡ଼ ଜୁଆର ହୋଇ ଆସିଲା ଯେ ଅଣ୍ଡାକୁ ଭସାଇ ନେଇ ଚାଲିଗଲା । ସେତେବେଳେ ଟେଣ୍ଟେଇ ଅଣ୍ଡାକୁ ତାର ପକ୍ଷତଳେ ଧରି ରଖିବାର ଉପାୟ ପାଇଲା ନାହିଁ । ଏପରି ବଡ଼ ଜୁଆର ଆସିବା ଦେଖି ନିଜକୁ କିପରି ସ୍ତ୍ରୀ ଟେଣ୍ଟେଇ ରକ୍ଷା କରିପାରିବ ସେ ତାର ଉପାୟ କରି ସେଠାରୁ ଉଡ଼ି ପଳାଇଗଲା ।
ଜୁଆର ଛାଡ଼ିଗଲା । ପୁରୁଷ ଓ ସ୍ତ୍ରୀ ପକ୍ଷୀ ଯୋଡ଼ିକ ପୁଣି ଉଡ଼ି ଉଡ଼ି ଆସି ସେହିଠାରେ ପହଞ୍ଚି ଦେଖିଲେ ଅଣ୍ଡାର କୌଣସି ପତ୍ତା ମିଳିଲା ନାହିଁ । ଅଣ୍ଡା କଥା ମନେ ପକାଇ ସ୍ତ୍ରୀ ଟେଣ୍ଟେଇ ପକ୍ଷୀ ଖାଲି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା । ଆଉ ପୁଣି ତା’ର ସ୍ୱାମୀକୁ କହିଲା ମୁଁ ଯେଉଁଥିପାଇଁ ତୁମକୁ କହୁଥିଲି ତାହାହିଁ ତ ହେଲା । ନିଜର ଅହଂକାର କଥା ନିଜକୁ ଖାଇଲା । ସତକୁ ସ୍ତ୍ରୀର କଥା ସିନା ସେଦିନ ନିଜର ଅହଂକାର ଆଉ ଗର୍ବୀ ମନରେ ଶୁଣିଲା ନାହିଁ ହେଲେ ଆଜି ସେ ଖାଲି ତା’ର ଛୁଆଙ୍କ ଲାଗି କାନ୍ଦିବାକୁ ଲାଗିଲା ।