ମଧୁପୁରର ରାଜା ବିକଟ ସେନଙ୍କର ଅତ୍ୟନ୍ତ ହିଂସାମୂଳକ ସ୍ୱଭାବ ଥିଲା । ଯୁଦ୍ଧ କରିବା, ଧରା ପଡିଥିବା ଚୋର ବା ଦୋଷୀମାନଙ୍କୁ ହାଣିବା କାଟିବା, ଓ ପୂଜା ନାମରେ ଅନେକ ନିରୀହ ପଶୁଜନ୍ତୁଙ୍କୁ ବଳୀ ଦେବା ତାଙ୍କର ଏକ ଅଭ୍ୟାସ ଥିଲା ।
ମନ୍ତ୍ରୀ ଧର୍ମକୀର୍ତ୍ତିଙ୍କର ହିତବଚନ ସେ ଗୋଟାଏ କାନରେ ଶୁଣନ୍ତି ଓ ଅନ୍ୟପଟରେ ତାକୁ ବାହାର କରିଦିଅନ୍ତି । “ଯଥା ରାଜା ତଥା ପ୍ରଜା” ପ୍ରଜାମାନଙ୍କ ମଧ୍ୟରେ ବି ହିଂସାପ୍ରବୃତ୍ତି ଜାଗ୍ରତ ହେଲା ।
ସେହି ସମୟରେ ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶତାନନ୍ଦ ନାମକ ଜଣେ ସାଧୁ ରାଜାଙ୍କୁ ଦେଖା କରିବାକୁ ଆସିଲେ । ସେ ରାଜାଙ୍କୁ ପୁରାଣ, ଉପନିଷଦ, ସ୍ମୃତି ଓ ଶ୍ରୁତି ଶାସ୍ତ୍ର ପଢି କହନ୍ତି ଯେ ଅହିଂସା ପରମ ଧର୍ମ ଓ ମନୁଷ୍ୟର ଏକ ଶ୍ରେଷ୍ଠ ପ୍ରବୃତ୍ତି । ତେଣୁ ହିଂସାତ୍ମକ ବ୍ୟବହାର ଛାଡିଦେବା ଉଚିତ୍ ।
ରାଜା ହାତଯୋଡି କହିଲେ, “ଆଜ୍ଞା, ଆପଣ ମୋର ଗୁରୁ । ମୁଁ ଆପଣଙ୍କୁ କ’ଣ ଦକ୍ଷିଣା ଦେବି ଆଜ୍ଞା କରନ୍ତୁ ।” ସାଧୁ ଅଳ୍ପ ହସି କହିଲେ, “ରାଜା ତୁମ ରାଜ୍ୟରେ ହିଂସା ତାଣ୍ଡବ ନୃତ୍ୟ କରୁଛି । ତୁମେ ଓ ତୁମର ପ୍ରଜା ହିଂସା ତ୍ୟାଗ କର । ତାହାହିଁ ହେବ ମୋ ପାଇଁ ସନ୍ତୋଷଜନକ ଗୁରୁଦକ୍ଷିଣା ।”
ରାଜା କହିଲେ “ଅବଶ୍ୟ, ତାହାହିଁ ହେବ ।” ତା’ପରେ ସେ ସେନାପତିଙ୍କୁ ଡାକି କହିଲେ, “ସେନାପତି, ଆଜିହିଁ ରାଜ୍ୟରେ ଘୋଷଣା କରିଦିଅ କି ରାଜ୍ୟରେ ସମସ୍ତେ ଅହିଂସା ନୀତି ପାଳନ କରିବେ । ଏହାହିଁ ମୋର ଆଜ୍ଞା । ଯଦି କେହି ମୋର ଆଜ୍ଞା ଉଲ୍ଲଘଂନ କରିବ, ଅର୍ଥାତ୍ ଅହିଂସା ନୀତି ପାଳନ ନ କରିବ, ତତକ୍ଷଣାତ୍ ତାକୁ ପିଟିପିଟି ମାରିବ ବା ଫାଶୀ ଚଢାଇ ଦେବ, ହତ୍ୟା କରିବ, ଏହାହିଁ ମୋର ଆଜ୍ଞା ।”
ଏକଥା ଶୁଣି ମନ୍ତ୍ରୀ ଧର୍ମକୀର୍ତ୍ତି ଓ ସାଧୁ ଶତାନନ୍ଦ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ । ଭଲ ପ୍ରସ୍ତାବର ଫଳ କ’ଣ ହେଲା ।