ଥରେ ମହାରାଜ ଆକବର ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନଟି ଥିଲା ଆକବରଙ୍କର ସବୁ ଦାନ୍ତ ପଡିଯାଇଛି କେବଳ ଗୋଟିଏ ଦାନ୍ତ ରହିଛି । ସ୍ୱପ୍ନଟି ଦେଖିବାପରେ ଆକବରଙ୍କୁ କିଛି ଭଲ ଲାଗିଲା ନାହିଁ । ସେ ରାଜ୍ୟରେ ଥିବା ସମସ୍ତ ଜ୍ୟୋତିଷମାନଙ୍କୁ ଡକାଇଲେ । ଜ୍ୟୋତିଷମାନେ ଆସିବାପରେ ମହାରାଜ୍ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ଜ୍ୟୋତିଷମାନେ ସବୁ ଶୁଣିବାପରେ କହିଲେ, “ହଜୁର୍! ଏପରି ସ୍ୱପ୍ନ ଦେଖିବା ଅର୍ଥ ଏହା ସୂଚନା ମିଳୁଛି ଯେ, ଆପଣଙ୍କର ସଂପର୍କୀୟମାନେ ସମସ୍ତେ ମୃତ୍ୟୁବରଣ କରିବେ, ଆପଣଙ୍କ ପୂର୍ବରୁ ।” ଜ୍ୟୋତିଷମାନେ ଏହି କଥା କହି ଦରବାରରୁ ବିଦାୟ ନେଲେ ।
ଜ୍ୟୋତିଷମାନଙ୍କ କଥା ଶୁଣି ଆକବର ମନ ଦୁଃଖ କଲେ । ମନମାରି ସେମିତି ଗୋଟିଏ ଜାଗାରେ ବସି ରହିଲେ । ସମସ୍ତ ସଂପର୍କୀୟମାନଙ୍କ ପାଖକୁ ଖବର ପଠାଇ ସେମାନଙ୍କର ଭଲ ମନ୍ଦ ବୁଝୁ ଥାଆନ୍ତି । ସବୁ ସମୟରେ ସେ ସେହି ସ୍ୱପ୍ନ କଥା ହିଁ ଭାବୁଥାଆନ୍ତି । ବିରବଲ ଯେତେବେଳେ ଆକବରଙ୍କର ଦରବାରରେ ଆସି ପହଁଚିଲେ, ରାଜାଙ୍କ ଠାରୁ ସବୁ କଥା ଶୁଣିଲେ । ଜ୍ୟୋତିଷମାନଙ୍କ କଥା ମଧ୍ୟ ଶୁଣିଲେ । ସବୁ କଥା ଶୁଣିବାପରେ ବିରବଲ କିଛି ସମୟ ଚିନ୍ତା କଲେ । ଚିନ୍ତା କରି ମହାରାଜଙ୍କୁ କହିଲେ, “ହଜୁର୍! ଆପଣ ଜ୍ୟୋତିଷମାନଙ୍କ କଥା ବୁଝିପାରିନାହାଁନ୍ତି । ପ୍ରକୃତରେ ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଠାରୁ ଅଧିକ ଦିନ ବଂଚିବେ ।”
ବିରବଲଙ୍କ କଥା ଶୁଣି ଆକବର ଖୁସି ହୋଇଗଲେ । ପ୍ରକୃତରେ ମହାରାଜ୍ଙ୍କର ଯେତେ ସମସ୍ୟା ସୃଷ୍ଟି ହେଉଥିଲା ବିରବଲ ହିଁ ସମସ୍ୟାର ସରଳ ସମାଧାନ କରିଦେଉଥିଲେ ।