ଆକବର ଯେତେବେଳେ ଯୁବକ ଥିଲେ, ସେ ଥରେ ତାଙ୍କର ବଂଧୁମାନଙ୍କ ସହିତ ଜଂଗଲକୁ ଶିକାର କରିବାକୁ ବାହାରିଲେ । ସେହି ସମୟଟି ଗ୍ରୀଷ୍ମ ସମୟ ଥିଲା । କିନ୍ତୁ ସେମାନେ ଶିକାର ସଂଧାନରେ ଏତେ ମଜ୍ଜିଯାଇଥିଲେ ଯେ, ସେମାନଙ୍କୁ ଖରା କାଟୁ ନଥାଏ । କିଛି ସମୟ ଜଂଗଲରେ ବୁଲିଲେ । ହେଲେ କେଉଁଠାରୁ କିଛି ଶିକାର ମିଳିଲା ନାହିଁ ।
ସେତେବେଳକୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ଖରାତାତି ମଧ୍ୟ ସହି ହେଉନଥାଏ । ଦିନ ସାରା ବୁଲାବୁଲି କରିଥିବାରୁ ସେମାନଙ୍କର ତଂଟି ଶୁଖି ଅଠା ହୋଇଯାଉଥାଏ । ପାଣି ମୁନ୍ଦିଏ ମଧ୍ୟ ଖୋଜି ଖୋଜି କେଉଁଠାରେ ପାଇଲେ ନାହିଁ । ଏହି ସମୟରେ ବଂଧୁମାନଙ୍କ ମଧ୍ୟରୁ ଜଣେ କହିଲା, “ଭାଇମାନେ! ଦୂରରେ ବୋଧହୁଏ ଏକ ଜନ ବସତି ଅଛି । ଚାଲ ଆମେ ସମସ୍ତେ ସେଠାକୁ ଯିବା ।” କିଛିବାଟ ଚାଲି ଚାଲି ଯିବା ପରେ ସେମାନେ ବାଟରେ ଏକ ବାଳକକୁ କାଠ ମୁଣ୍ଡାଇ ଯାଉଥିବାର ଦେଖିଲେ । ଆକବର ପିଲାଟିକୁ ପାଖକୁ ଡାକି କହିଲେ, “ବାଳକ! ଏଠାରୁ ଗାଁ କେତେ ଦୂର? ଆମେ ସମସ୍ତେ ଶିକାର ଉଦ୍ଧେଶ୍ୟରେ ଏଠାକୁ ଆସିଥିଲୁ । ଶୋଷରେ ଆମର ପାଟି ଅଠା ହୋଇଗଲାଣି ।”
ଆକବରଙ୍କର କଥା ଶୁଣି ପିଲାଟି କହିଲା,- “ମହାଶୟ! ଆଉ କିଛି ବାଟ ଗଲେ ମୋ ଗାଁ ପଡିବ । ସେଠାରେ ଆପଣ ପିଇବା ପାଇଁ ପାଣି ପାଇବେ ।” ଏହାକହି ବାଳକଟି ବଂଧୁମାନଙ୍କ ମଧ୍ୟରୁ ଜଣକର ଘୋଡା ଉପରେ ବସିପଡିଲା । କିଛି ବାଟ ଯିବା ପରେ ଗାଁ ପଡିଲା । ପିଲାଟି ତା’ର ଘର ପାଖରେ ଓହ୍ଲାଇ ପଡି ଆକବର ଓ ତାଙ୍କର ବଂଧୁମାନଙ୍କୁ ପିଇବା ପାଇଁ ପାଣି ଆଣିଦେଲା ।