ଅନେକ ପୁରା କାଳର କଥା । ଚୀନ ଦେଶରେ ଟୋଙ୍ଗ୍ ନାମକ ଯୁବକଟିଏ ଥିଲା । ସେ କେବେ ତା’ର ମା’କୁ ହରାଇଥିଲା, ସେ ବିଷୟରେ ତା’ର କୌଣସି ହେତୁ ନଥିଲା । ପିଲାବେଳଠୁଁ ତା’ ବାପା ତାକୁ ବଢାଇଥିଲେ । ବାପା ସତ୍ ମଣିଷ ଥିଲେ । ସେ ଟୋଙ୍ଗ୍କୁ ଶିଖାଇଥିଲେ କି କୌଣସି ଅବସ୍ଥାରେ, କୌଣସି କାରଣରୁ ମିଥ୍ୟାର ଆଶ୍ରୟ ନେବା ଆଦୌ ଉଚିତ୍ ନୁହେଁ କି ଅନ୍ୟ ପ୍ରତି ନିଷ୍ଠୁର ଆଚରଣ କରିବା ବି ଉଚିତ୍ ନୁହେଁ ।
ଟୋଙ୍ଗ୍ ମଧ୍ୟେ ମଧ୍ୟେ ତା’ ମା’ଆର ସମାଧି ପାଖକୁ ଯାଇ ସେଠାରେ ବସୁଥାଏ । ଗରୀବ ସ୍ତ୍ରୀ ଲୋକର ସମାଧିରେ କ’ଣ ବା ବିଶେଷତ୍ୱ ଥାନ୍ତା? ଟୋଙ୍ଗ୍ ଭାବୁଥାଏ, ମା’ର ସମାଧି ଉପରେ ଗୋଟାଏ ଘର ତୋଳିପାରନ୍ତା ହେଲେ!
କିଛିଦିନ ପରେ ତା’ର ବାପା ମଧ୍ୟ ମରିଗଲେ । ସେ ତା’ ମାଆର ସମାଧି ପାଖରେ ବାପାର ସମାଧି ଦେଲା । କିନ୍ତୁ ତା’ପରେ ସେ ଭାବିଲା, “ଯଦି ଏ ଦୁଇଜଣଙ୍କ ସମାଧି ଉପରେ ଗୋଟିଏ ସମାଧି ମନ୍ଦିର ନ ତୋଳିପାରିବି, ତେବେ ମୁଁ ଗୋଟେ ଯୋଗ୍ୟ ପୁଅ ନୁହେଁ ।”
କିନ୍ତୁ ସମାଧି ମନ୍ଦିରଟିଏ ତୋଳିବା ନିମନ୍ତେ ବେଶ୍ କିଛି ଅର୍ଥ ପ୍ରୟୋଜନ । ସେ ତାହା କେଉଁଠୁ ପାଇବ? ଏମିତି କେତେକଥା ଭାବୁଭାବୁ ହଠାତ୍ ତା’ ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ସେ ତା’ ନିଜ ଛାତିରେ ଗୋଟାଏ ଲେଖା ଝୁଲାଇ ସହର ଭିତରେ ରାସ୍ତାକଡରେ ଯାଇ ବସିଲା । ସେଥିରେ ଲେଖାଥିଲା କି କ୍ରୀତଦାସ ରୂପେ ସେ ଆଜୀବନ କାହାରି ପାଖରେ କାମ କରିବାକୁ ପ୍ରସ୍ତୁତ । କିନ୍ତୁ ସେଥିପାଇଁ ତାକୁ ଯଥେଷ୍ଟ ମୂଲ୍ୟ ଅଗ୍ରୀମ ଦେଇ ସେ ତା’ ବାପା ମା’ଙ୍କ ସମାଧି ମନ୍ଦିର ନିର୍ମାଣ କରିସାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଆବଶ୍ୟକ ।
ସେଠାରେ ତ ସେ ସବୁଦିନ ଯାଇ ବସେ । ଏଣେ କାମଦାମ ନ କରିବାରୁ ଖିଆପିଆ ନିମନ୍ତେ ଯେତିକି ଉପାର୍ଜନ ହେବା ଦରକାର ସେତିକି ପଇସା ବି ସେ ଆୟ କରିପାରେ ନାହିଁ । ତେଣୁ ତାକୁ ପ୍ରାୟ ଓପାସ ରହିବାକୁ ପଡେ । କିନ୍ତୁ ଯେତେ ହାଲିଆ ହୋଇପଡିଲେ ବି ସେ ଆଦୌ ହତୋତ୍ସାହ ହୁଏ ନାହିଁ । ସର୍ବଦା ପିତାମାତାଙ୍କ ଆତ୍ମାକୁ ସେ ସ୍ମରଣ କରୁଥାଏ ଓ ଧୈର୍ଯ୍ୟ ଧରି ରହିଥାଏ ।
ଦିନେ ଜଣେ ଜମିଦାର ଆସି ତା’ ସର୍ତ୍ତ ପଢିଲେ ଓ ତା’ ଆଡେ କିଛି ସମୟ ଅନାଇ ରହି ତାକୁ ସେ ଚାହିଁବା ଅନୁସାରେ ଅର୍ଥ ଦେଇଦେଲେ । ଟୋଙ୍ଗ୍ ଏଥିରେ ଖୁସି ହୋଇ ତାଙ୍କୁ ଧନ୍ୟବାଦ ଦେଇ ସମାଧି ନିର୍ମାଣ କାମରେ ଲାଗିଗଲା । ତା’ର ଆନ୍ତରିକତା ଯୋଗୁଁ ମିସ୍ତ୍ରୀମାନେ ଯେତେ ସମ୍ଭବ କମ୍ ପଇସା ନେଇ ତା’ କାମଟି କରିଦେଲେ । ସମାଧି ନିର୍ମାଣ ଶେଷ ହେଲା । ଟୋଙ୍ଗ୍ ସେଠାରେ ସାରା ଦିନ ବସି ରହି ଧ୍ୟାନ କଲା । ପରଦିନ, ସର୍ତ୍ତ ଅନୁସାରେ ସେ ଯାଇ ତା’ ଖାଉନ୍ଦ ଘରେ ପହଁଚିଗଲା । ଗାଁ ବାହାରେ ସେ ଜମିଦାରଙ୍କର ଗୋଟାଏ ଭଙ୍ଗାଘର ପଡି ରହିଥାଏ । ଟୋଙ୍ଗ୍କୁ ଜମିଦାର ସେହି ଘରେ ରହିବାକୁ କହିଲେ ଓ ତାଙ୍କ କ୍ଷେତରେ କାମ ଦେଲେ ।
ଟୋଙ୍ଗକୁ ନିଜେ ରୋଷେଇ କରି ଖାଇବାକୁ ପଡୁଥାଏ । ତାକୁ ଯେଉଁ ଖାଦ୍ୟପଦାର୍ଥ ଜମିଦାରଙ୍କ ଘରୁ ଯୋଗାଇ ଦିଆ ହେଉଥିଲା, ତାହା ଅତି ସାଧାରଣ । ଅଥଚ ତାକୁ ଯେତେ ସମୟ କ୍ଷେତରେ ହାଡଭଙ୍ଗା ପରିଶ୍ରମ କରିବାକୁ ପଡୁଥିଲା, ସେଥିପାଇଁ ସେତକ ଖାଦ୍ୟ ଯଥେଷ୍ଟ ନୁହେଁ । ଫଳରେ ସେ ଦିନେ ଅସୁସ୍ଥ ହୋଇ ପଡିଲା । ଏଭଳି ପରିସ୍ଥିତିରେ ଜମିଦାର ତା’ର ଆରୋଗ୍ୟ ଦିଗରେ କିଛି କରିବା ପରିବର୍ତ୍ତେ ସେ କେବେ ସୁସ୍ଥ ହୋଇ ପୁଣି କ୍ଷେତକୁ କାମ କରିବାକୁ ଯିବ, ଖାଲି ସେହି ଖବର ସେ ନେଉଥାନ୍ତି ।
ଟୋଙ୍ଗ୍ ମନେ ମନେ ବଡ କଷ୍ଟ ପାଉଥାଏ । କାରଣ ସେ ଅନେକ ଦିନ ଧରି ତା’ ବାପା ମା’ଙ୍କ ସମାଧି ଦେଖିବାକୁ ଯାଇପାରି ନଥିଲା, ଏଣେ ଜମିଦାରଙ୍କ କାମରେ ସେ ହେଳା କରୁଥିଲା । ଦିନକୁ ଦିନ ଦେହର କଷ୍ଟ ଅପେକ୍ଷା ତା’ ମନର କଷ୍ଟ ବଳିଗଲା ।