ମଝି ରାତିରେ ହଠାତ୍ ତା’ର ନିଦ ଭାଙ୍ଗିଗଲା । ତା’ର ମନେ ହେଲା, ଯେପରି କେହି ଜଣେ ତା’ ଦେହରେ ହାତ ବୁଲାଇ ଦେଉଛି । ତା’ପରେ ସେ ଧିରେ ଧିରେ ତା’ଆଖି ଖୋଲି ଅନାଇଲା । ସେ ଯାହା ଦେଖିଲା, ତାହା ତ ପ୍ରଥମେ ତା’ର ସ୍ୱପ୍ନ ବୋଲି ମନେ ହେଲା । ଜଣେ ଅପୂର୍ବ ସୁନ୍ଦରୀ ଯୁବତୀ ତା’ ଦେହରେ ହାତ ବୁଲାଇ ଦେଉଥିଲା । ଟୋଙ୍ଗ୍ ଅନାଇବାରୁ ଯୁବତୀ କହିଲା, “ଚିନ୍ତା କର ନାହିଁ । ତମେ ଭଲ ହୋଇଗଲଣି ।” ସତରେ ସେତେବେଳେ ଟୋଙ୍ଗ୍ ଅନୁଭବ କଲା, ତା’ ଜ୍ୱର ତ ସମ୍ପୂର୍ଣ୍ଣ ରୂପେ ଛାଡି ଯାଇଛି, ସେ ତା’ ଦେହରେ ଅପୂର୍ବ ବଳବି ପାଇଛି ।
ସେ ଯୁବତୀ ଜଣକ କହିଲା “ଉଠ, ଖାଇବ ।” କେତେବେଳେ ସେ ଯୁବତୀ ଅତି ସୁସ୍ୱାଦୁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ରଖିଥିଲା । ଟୋଙ୍ଗ୍ ତାକୁ ଖାଇ ଏପରି ସନ୍ତୋଷ ଲାଭ କଲା, ଯାହା ସେ ତା’ ଜୀବନରେ କେବେବି ପାଇ ନଥିଲା ।
ଟୋଙ୍ଗ୍ ପ୍ରଥମେ ଭାବିଥିଲା, ତା’ର ମତିଭ୍ରମ ହୋଇଛି । ପରେ ଯେତେବେଳେ ସେ ବୁଝିଲା ଯେ ସେ ଯାହା ଦେଖୁଛି ତାହା ସ୍ୱପ୍ନ ନୁହେଁ ବରଂ ବାସ୍ତବ, ତା’ର ବିସ୍ମୟର ଆଉ ସୀମା ରହିଲା ନାହିଁ । ସକାଳ ହେବା ମାତ୍ରେ ସେ କାମକୁ ବାହାରିଗଲା । ସେ ଫେରି ଆସିବା ବେଳକୁ ଘର ସଫା ସୁତୁରା ହୋଇ ରହିଛି; କାନ୍ଥରେ କେତେ ପ୍ରକାର ଚିତ୍ର ହୋଇଛି । ରୋଷେଇ ମଧ୍ୟ ହୋଇଛି ।
ସେ ଯୁବତୀ ଜଣକ କହିଲା, “ଶୁଣ!” “ମୋ ନାମ ଚି । ତୁମର ମୋ ବିଷୟରେ ଏହାଠୁଁ ଆଉ ଅଧିକା କିଛି ଜାଣିବା ଦରକାର ନାହିଁ । ଚାଲ ଏବେ ଆମେ ବିଭା ହେବା ।”
ତା’ର ଏଭଳି କଥାରେ ଟୋଙ୍ଗ୍ ଆଗ ଚମକି ପଡିଲା । ସେ କହିଲା, “କିନ୍ତୁ…”
ଯୁବତୀ ପୁଣି କହିଲା, “ଚଳିବା ପାଇଁ ମୋଟେ ଚିନ୍ତା କର ନାହିଁ । ମୁଁ ତା’ର ସବୁ ବ୍ୟବସ୍ଥା କରିଦେବି ।”
ଟୋଙ୍ଗ୍ ଏଥିରେ ପୁଲକିତ ହେଲା । ତା’ପରେ ସେ ଦୁହେଁ ବିଭା ହେଲେ । ଟୋଙ୍ଗ୍ ସବୁଦିନ କ୍ଷେତରୁ ଫେରି ଦେଖେ, ଚି ରେଶମ ଲୁଗା ଉପରେ ଅତି ସୁନ୍ଦର ସୂଚୀ ଶିଳ୍ପ କରୁଛି । ସେସବୁ ଲୁଗା ବହୁତ ଦାମ୍ରେ ବିକ୍ରି ହେବାକୁ ଲାଗିଲା । ଚି କ୍ଷୀପ୍ର ଗତିରେ ସେସବୁ ପ୍ରସ୍ତୁତ କରୁଥାଏ । ସେସବୁ ସଙ୍ଗେ ସଙ୍ଗେ ବିକ୍ରି ହୋଇ ଯାଉଥାଏ ।
ଦିନେ ସେ ଟୋଙ୍ଗ୍ କ୍ଷେତରୁ ଫେରିବା ମାତ୍ରେ ଚି ହସି ହସି କହିଲା, “ତମେ ଆଉ କ୍ଷେତକୁ ଯିବା ଦରକାର ନାହିଁ ।”
ଟୋଙ୍ଗ୍ ପଚାରିଲା “କାହିଁକି?”
ଏହାପରେ ଚି ତାକୁ ଖଣ୍ଡିଏ କାଗଜ ଦେଖାଇଲା । ତହିଁରେ ଲେଖାଥିଲା କି ଜମିଦାର ତାଙ୍କର ସମସ୍ତ ଟଙ୍କା ଫେରିପାଇ ଟୋଙ୍ଗ୍କୁ ଏଥର କ୍ରୀତଦାସତ୍ୱରୁ ମୁକ୍ତି ଦେଲେ ।
ଏହି ସମ୍ବାଦ ପାଇ ଟୋଙ୍ଗ୍ ଅତି ଆନନ୍ଦରେ ଆଉ କିଛିବି କଥା କହିପାରିଲା ନାହିଁ । ତା’ପରେ ସେ ଦୁହେଁ ଟୋଙ୍ଗ୍ର ଗାଁକୁ ଫେରିଗଲେ । ଯୁବତୀ ଉପାର୍ଜନ କରିଥିବା ଅର୍ଥରେ ସେମାନେ ଗୋଟିଏ ସୁନ୍ଦର ଘର ତିଆରି କଲେ ।
ଚି କିଛିଦିନ ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲା । ପ୍ରତିବେଶୀମାନେ କହିଲେ, “ଏ ଶିଶୁ ମଣିଷ ନୁହେଁ, ମଣିଷରୂପୀ କୌଣସି ଗନ୍ଧର୍ବ ।”
ପିଲାଟିର ବୟସ ବର୍ଷେ ହେଲା । ଦିନେ ଟୋଙ୍ଗ୍ ସଂନ୍ଧ୍ୟାବେଳେ ଘରକୁ ଫେରି ଆଶ୍ଚର୍ଯ୍ୟ ହୋଇ ଦେଖିଲା, ଚି ଅପୂର୍ବ ଦେଖାଯାଉଛି । ତା’ ମୁଖମଣ୍ଡଳରୁ ଏକ ପ୍ରକାର ଆଲୋକ ନିର୍ଗତ ହେଉଛି ।
ଚି କହିଲା, “ଏଥର ମୁଁ ଚାଲିଲି!”
ତା’କଥା ଶୁଣି ଟୋଙ୍ଗ୍ ବିସ୍ମୟରେ ପଚାରିଲା “କୁଆଡେ?”
ଚି ହସିଲା ଓ କହିଲା, “ମୁଁ କୌଣସି ସାଧାରଣ ମଣିଷ ନୁହେଁ । ମୁଁ ଜଣେ ଅପ୍ସରା । ତୁମର ଏପରି ପିତୃଭକ୍ତି ମାତୃଭକ୍ତିରେ ମୁଗ୍ଧ ହୋଇ ପିତୃଲୋକର ଦେବତା ମୋତେ ତୁମକୁ କ୍ରୀତ ଦାସତ୍ୱରୁ ଉଦ୍ଧାର କରିବା ନିମନ୍ତେ ଏଠାକୁ ପଠାଇଥିଲେ । ଏ ପୁଅ ଏଠି ରହିଲା । ଏହାକୁ ନେଇ ତୁମେ ସୁଖରେ ଓ ସତ୍ ପଥରେ ରହିଥାଅ ।”
ଟୋଙ୍ଗ୍ କିଛି କହିବା ପୂର୍ବରୁ ଚି ଧିରେ ଧିରେ ଅନ୍ତର୍ହିତା ହୋଇଗଲା ।