ଶ୍ରୀଧରପୁରରେ କମଳାକାନ୍ତ ନାମକ ଜଣେ ଧନୀ ବ୍ୟବସାୟୀ ଥା’ନ୍ତି । ତାଙ୍କର ଅନେକ କୋଠାବାଡି ଓ ଅନେକ ବ୍ୟବସାୟ । ପ୍ରତିଦିନ ରାତିରେ ଦୋକାନରୁ ହେଉଥିବା ଲାଭକୁ ଗଣାଗଣି କରି ରଖି ସେ ବହୁତ ରାତିରେ ଘରକୁ ଫେରନ୍ତି ।
ଦିନେ ପଇସା ଗଣିବା ବେଳେ କେହି ଦରଜା ଠକ୍ ଠକ୍ କଲା । କମଳାକାନ୍ତ ତରବରରେ ଟଙ୍କାସବୁ ଉପରେ କନା ଖଣ୍ଡେ ଘୋଡାଇ ଦେଇ କବାଟ ଖୋଲିଲେ । ତାଙ୍କର ସମ୍ପର୍କୀୟ ବନ୍ଧୁ ରାମନାଥଙ୍କୁ ସେ ଦେଖିଲେ । ପଇସା ଉପରେ କାଳେ ତାଙ୍କର ଆଖି ପଡିବ, ସେହି ଭୟରେ ସେ ବାଆଁରେଇ ପଚାରିଲେ, “ମିତ୍ର ଏତେ ରାତିରେ କୁଆଡେ ଆସିଲ?” ରାମନାଥ କହିଲେ, “ମିତ୍ର ଗୋଟାଏ ଛୋଟ କାମରେ ମୁଁ ତୁମପାଖକୁ ଆସିଛି । ପଚିଶଟି ଟଙ୍କା ମୋର ହଠାତ୍ ଦରକାର । କଅଣ କରିବି ଏପରି ଅସମୟରେ ଏହି କଥା ପାଇଁ କେଉଁଠିକୁ ବା ଯିବି? ତୁମ ଛଡା ଆଉ କିଏ ବା ମୋର ଘନିଷ୍ଠ ଅଛି?”
କିଛିସମୟ ପର୍ଯ୍ୟନ୍ତ କମଳାକାନ୍ତ ଚୁପ୍ ରହିଲେ, ତା’ପରେ ଧୀର ଭାବରେ ସେ କହିଲେ, “ଆଜିକାଲି ତ ମୋ ବ୍ୟବସାୟ ଆଉ ଭଲ ଚାଲୁନାହିଁ । ତେଣୁ ମୁଁ ପ୍ରାୟ କ୍ଷତିରେ ଚାଲୁଛି । ସେଥିରେ ପୁଣି ଟଙ୍କା କେଉଁଠୁ ଆସିବ? ଆଜି ତ ପାଂଚଟଙ୍କାର ବି ଜିନିଷ ବିକ୍ରି ହୋଇ ନାହିଁ ।” ରାମନାଥ ଏକଥା ଶୁଣି ଚୁପ୍ ନ ରହି ବାରବାର ଟଙ୍କା ବିଷୟ କହିଲେ ଓ ସୁଧ ମଧ୍ୟ ଯାଚିଲେ । ତଥାପି ମଧ୍ୟ ସେ ନଛୋଡବନ୍ଧା । ଶେଷକୁ ଜୋର୍ରେ ଖିଡିକି ବନ୍ଦ କରି ଦେବାରୁ ଦୀପଟି ଲିଭିଗଲା ଚତୁର୍ଦ୍ଦିଗ ଅନ୍ଧାର ହୋଇଗଲା ।
ତା’ପରେ କମଳାକାନ୍ତ, ରାମନାଥଙ୍କ ହାତ ଧରି ଅତି ପ୍ରେମରେ କହିଲେ, “ରାମନାଥ, ଭୁଲ୍ ବୁଝନାହିଁ । ମୋର ଅବସ୍ଥା ଖରାପ । ମୁଁ ତୁମକୁ ସାହାଯ୍ୟ କରିବି ନାହିଁ ତ ଆଉ କାହାକୁ କରିବି, ମୋତେ କ୍ଷମା କର । ରାମନାଥ କହିଲେ, “ଠିକ୍ କଥା, ତୁମ ପାଖରେ ପଇସା ନଥିଲେ ତୁମେ ଆଉ କଅଣ କରିବ? ଯାଏ ଆଉ କେଉଁଠି ଚେଷ୍ଟାକରେ ।” କିନ୍ତୁ କମଳାକାନ୍ତ କହିଲେ, “ମିତ୍ର, ବହୁଦିନ ପରେ ଆସିଛ, ଆମଘରେ ଖାଇକରି ନିଶ୍ଚୟ ଯିବ ।” ରାମନାଥ ଯେତେ କହିଲେ ଯେ ସେ ଖାଇକରି ଆସିଛନ୍ତି, କମଳାକାନ୍ତ ସେତେ ତାଙ୍କୁ ଖାଇବାକୁ ଅନୁରୋଧ କଲେ । ଇତିମଧ୍ୟରେ କମଳାକାନ୍ତଙ୍କ ସ୍ତ୍ରୀ ଦୀପ ଲଗାଇ ଆଣିଲେ । ତେଣୁ କମଳାକାନ୍ତ କହିଲେ, “ଏତେ ରାତିରେ କୁଆଡେ ବା ଯିବ? କିନ୍ତୁ ଯଦି ଟଙ୍କାପାଇଁ କାହାପାଖକୁ ଯିବ ତେବେ ଶୀଘ୍ରଯାଅ ।” “ହଁ ମୁଁ ଚାଲିଲି” କହି ରାମନାଥ ତାଙ୍କ ବାଟରେ ଚାଲିଗଲେ । କମଳାକାନ୍ତଙ୍କର ଏସବୁ ବ୍ୟବହାରରେ ତାଙ୍କ ସ୍ତ୍ରୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ଓ କହିଲେ, “ଆଚ୍ଛା ତମେ ତ ଥରେ ହେଲେବି କାହାକୁ ଡାକନାହିଁ । ମାତ୍ର ଆଜି ତାଙ୍କୁ ଡାକିଲ ଓ ତାଙ୍କୁ ଖାଇବାକୁ ଏତେ ଯିଦ୍ ଧରି ବସିଲ କାହିଁକି?” ତା’ପରେ କମଳାକାନ୍ତ କହିଲେ “ଆରେ ତମେ ଏତିକି ଟିକିଏ ବୁଝି ପାରିଲ ନାହିଁ?” ଘର ଅନ୍ଧାର ହେବାରୁ କାଳେ ଟଙ୍କା ଗଦା ଉପରେ ତାଙ୍କ ଗୋଡ ପଡିଯିବ କେବଳ ସେହି ଭୟରେ କିନ୍ତୁ ଇଲେକ୍ଟ୍ରି ଫେରି ଆସିବା ପରେ ମୁଁ କ’ଣ ତାଙ୍କୁ ଆଉ ଅନୁରୋଧ କରିଛି?” ଖାଇବାକୁ ଡାକିବା ଆଉ ତାଙ୍କ ହାତ ଧରି ରୋଷେଇ ଘର ଆଡକୁ ନେଇ, ଯାଉଥିଲି ଆଉ ତୁମେ କ’ଣ ଭାବିଲ ସ୍ନେହ ଓ ଦୟାରେ?