ଏକଦା ନିଶା ଗରଜୁଥାଏ । ସେତେବେଳେ ତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ତତ୍ସହିତ ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ପ୍ରକାଶ ନକରି, ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ, ଶବସ୍ଥିତ ସେହି ବେତାଳ କହିଲା, “ରାଜା, ତୁମେ ଏତେବେଳେ ପ୍ରାସାଦର ଦୁଗ୍ଧଫେନନିଭ ଶଯ୍ୟାରେ ଶୋଇ ସୁଖସ୍ୱପ୍ନ ଦେଖୁଥା’ନ୍ତ । ମାତ୍ର ତାହା ନକରି ତୁମେ ଏଭଳି ବିପଦ କାହିଁକି ନିଜେ ଜାଣି ଜାଣି ବରଣ କରୁଛ? ଏଥିରୁ ଯାହା ଜଣାପଡୁଛି ତମେ ବଡ ଜିଦ୍ଖୋର । ନିଜର ଲକ୍ଷ୍ୟପ୍ରାପ୍ତ କରିବା ସକାଶେ ତମେ ଯେକୌଣସି କଠିନ କାର୍ଯ୍ୟ କରିବାକୁ ପ୍ରସ୍ତୁତ । କିନ୍ତୁ ମନେରଖ ତୁମ ଲକ୍ଷ୍ୟ ବିଷୟରେ ତୁମେ ଆଗ ନିଶ୍ଚିତ ହେବା ଆବଶ୍ୟକ । ଚିନ୍ତା କରି କାମ କଲେ, ତାହା ହୁଏତ ହାତକୁ ଆସିବ । କିନ୍ତୁ ସେତିକି ଶୀଘ୍ର ମଧ୍ୟ ତାହା ଖସିଯିବ । ଏହି ପରିପ୍ରେକ୍ଷୀରେ ମୁଁ ତୁମକୁ ବଂଶୀଧରର ଉଦାହରଣ ଦେଉଛି । ମନ ଦେଇ ମୋ କଥା ଶୁଣ । ତାହା ଶୁଣିଲେ ତମ ଶ୍ରମଭାର ଲାଘବ ହେବ ।” ଏହାପରେ ସେ ବେତାଳ ଗପିଲା –
“ଚନ୍ଦ୍ରଶୀଳା ନଗରୀର ରାଜକୁମାରୀ ଦେବଦତା, ଏକଦା ନିଜର ସାଥିମାନଙ୍କ ସହିତ ସେ ବନବିହାରକୁ ଯାଇଥିଲେ । କିଛି ସମୟ ମଧ୍ୟରେ ସେମାନେ ଯାଇ ଘନଜଙ୍ଗଲରେ ପ୍ରବେଶ କଲେ । ଉକ୍ତ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ଦେଖି ସେ ରାଜକୁମାରୀ ଖୁବ୍ ମୁଗ୍ଧ ହେଲେ । ହଠାତ୍ କେଉଁଠାରୁ ମଧୁର ବଂଶୀଧ୍ୱନୀ ଆସୁଥିବାର ସେ ଶୁଣିବାକୁ ପାଇଲେ । ଏଣୁ ସେ ତାଙ୍କ ରଥରୁ ଓହ୍ଲାଇ ସଖୀମାନଙ୍କ ସହିତ ବଂଶୀଧ୍ୱନି ଆସୁଥିବା ଦିଗ ଆଡକୁ ଗଲେ । କିଛି ବାଟ ଯିବାପରେ ସେ ଦେଖିଲେ, ଗୋଟିଏ ବରଗଛ ମୂଳରେ ଯୁବକଟିଏ ବସି ବଂଶୀ ବଜାଉଛି । ଏଣେ ରାଜକୁମାରୀ ଓ ତାଙ୍କ ସଖୀମାନେ ସେଠାରୁ ଟିକିଏ ଦୂରରେ ଥାଇ ସେ ବଂଶୀଧ୍ୱନି ଶୁଣୁଥାନ୍ତି । ଯୁବକଟି କିଛି ସମୟ ପରେ ବଂଶୀ ବଜାଇବା ବନ୍ଦ କରିବାମାତ୍ରେ ରାଜକୁମାରୀ କରତାଳି ଦ୍ୱାରା ତା’ର ବଂଶୀ ବାଦନକୁ ଖୁବ୍ ପ୍ରଶଂସା କଲେ । ଯୁବକଟି ଏତେଗୁଡିଏ ସ୍ତ୍ରୀଲୋକଙ୍କୁ ଦେଖି ଅଚାନକ ଚମକି ଉଠି ବିସ୍ମୟାଭିଭୁତ ହେଲା । ରାଜକୁମାରୀ ସ୍ମିତହାସ୍ୟ କଲେ ଓ କହିଲେ, “ତୁମର ବଂଶୀବାଦନ ମୋତେ ବହୁତ ଭଲ ଲାଗିଲା ତୁମର ନାମ କ’ଣ?”
ଏହା ଶୁଣି ସେ ବଂଶୀବାଦନ କରୁଥିବା ଯୁବକଟି କହିଲା “ମୋ ନାମ ବଂଶୀଧର । ମୁଁ ତ ଗାଈ ଚରାଇବାକୁ ପ୍ରତିଦିନ ଏଠାକୁ ଆସେ ।”
ତା’କଥା ଶୁଣି ସେ ରାଜକୁମାରୀ କିଛିସମୟ ଚୁପ୍ ରହିବା ପରେ କହିଲେ, “ଶୁଣ ବଂଶୀଧର, ମୁଁ ଏଦେଶର ରାଜକୁମାରୀ । ମୁଁ ତୁମର ବଂଶୀବାଦନରେ ଅତ୍ୟନ୍ତ ମୁଗ୍ଧ ହୋଇଛି । ତୁମର କୌଣସି ଅସୁବିଧା ନହେଲେ, ତମେ ଆମ ରାଜନଅରକୁ ଆସ । ତୁମର ଖାଇବା, ରହିବା ଓ ମାସିକ ବେତନ ପାଇଁ ମୁଁ ସମସ୍ତ ପ୍ରକାରର ବ୍ୟବସ୍ଥା କରିଦେବି । ତୁମର ବଂଶୀବାଦନ ଦ୍ୱାରା ଆମକୁ ଆନନ୍ଦ ଦେବା ସେଠାରେ ତୁମର ଏକମାତ୍ର କାର୍ଯ୍ୟ ହେବ । ଭଲ ଭାବରେ ଚିନ୍ତା କରି ତୁମେ ମୋତେ ନିଜର ନିର୍ଣ୍ଣୟ ଜଣାଅ । ଏବେ ମୁଁ ତୁମକୁ ଖୁସିରେ କିଛି ଦେଉଛି, ତୁମେ ତାହା ଗ୍ରହଣ କର ।” ଏତିକି କହି ସେ ରାଜକୁମାରୀ ନିଜ ହୀରାର ମୁଦିଟିଏ ତାକୁ ଦେଲେ ।
ସୂର୍ଯ୍ୟାସ୍ତ ପୂର୍ବରୁ ରାଜକୁମାରୀ ତାଙ୍କ ନଅରକୁ ଲେଉଟିଗଲେ । ଏଣେ ଏ ବଂଶୀଧର ମଧ୍ୟ ଗାଈମାନଙ୍କୁ ନେଇ ଫେରିଗଲା । କିନ୍ତୁ ସେ ବଡ ସମସ୍ୟାରେ ପଡିଲା ଏବେ କ’ଣ କରାଯିବ । ସାରା ରାତି ଚିନ୍ତା କରି ଶେଷକୁ ସେ ଏହି ସିଦ୍ଧାନ୍ତରେ ପହଁଚିଲା ଯେ, ସେ ରାଜନଅରକୁ ଯିବ ।
ପରିଶେଷରେ ବୃଦ୍ଧପିତାଙ୍କ ସହିତ ବଂଶୀଧର ରାଜନଅରକୁ ଗଲା । ରାଜକୁମାରୀ ସେଠାରେ ତାଙ୍କୁ ସାଦର ସ୍ୱାଗତ କଲେ । ରହିବା ଲାଗି ସେ ରାଜନଅର ମଧ୍ୟରେ ଏକ ସୁନ୍ଦର ଘର ସେମାନଙ୍କୁ ଦିଆଗଲା । ସେହିଦିନଠାରୁ ସେମାନଙ୍କର ଜୀବନରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲା । ଏଣିକି ରାଜକୁମାରୀଙ୍କର ଇଚ୍ଛା ଅନୁସାରେ ବଂଶୀ ବଜାଇବା ହେଲା ବଂଶୀଧରର ମୁଖ୍ୟ ତଥା ପ୍ରଧାନ କାମ ।
ଦିନେ ରବିଶଙ୍କର ନାମକ ଜଣେ ବ୍ୟକ୍ତି ମହାରାଜାଙ୍କୁ ଦେଖା କରିବାକୁ ଆସିଲେ । ସେ ବିଦେଶୀ; ସେ କହିଲେ, ଯେ ବଂଶୀ ବଜାଇବାରେ ତାଙ୍କର ସମକକ୍ଷ ଆଉ କେହିବି ହୋଇପାରିବେ ନାହିଁ । ଠିକ୍ ସେତିକିବେଳେ ରାଜକୁମାରୀ ତ ତାଙ୍କ ପିତାଙ୍କ ନିକଟରେ ଥିଲେ । ଏଣୁ ସେ ତାଙ୍କୁ ବଂଶୀ ବଜାଇବାକୁ ଅନୁରୋଧ କଲେ । ଅଦ୍ଭୁତ ଭାବରେ ସେ ଅଧଘଂଟା ଧରି ବଂଶୀ ବଜାଇଲେ । ଉପସ୍ଥିତ ସମସ୍ତ ବ୍ୟକ୍ତି ତାଙ୍କ ବଂଶୀଧ୍ୱନୀ ଶୁଣି ଖୁବ୍ ମୁଗ୍ଧ ହୋଇଗଲେ । ରାଜା ତାଙ୍କୁ ପୁରସ୍କାର ମଧ୍ୟ ଦେଲେ ।
ଏଥିରୁ ସେ ରାଜକୁମାରୀ ବୁଝିଲେ ଯେ, ରବିଶଙ୍କର ଶାସ୍ତ୍ରୀୟ ରୀତିରେ ବଂଶୀ ବଜାଉଥିଲେ; ବଂଶୀଧରର ବଂଶୀସ୍ୱନ ମଧୁର ହୋଇପାରେ କିନ୍ତୁ ରବିଶଙ୍କରଙ୍କ ତୁଳନାରେ ସେ କିଛି ବି ନୁହେଁ; ରାଗରାଗିଣୀ ବିଷୟରେ ତା’ର କୌଣସି ଜ୍ଞାନ ମଧ୍ୟ ନଥିଲା । ତା’ପରଦିନ ଯେତେବେଳେ ରବିଶଙ୍କର ସେଠାକୁ ବିଦାୟ ନେଇ ଯିବାକୁ ବାହାରିଲେ, ରାଜକୁମାରୀ ତାଙ୍କୁ କହିଲେ, “ତୁମେ ତ ଜଣେ ଉତ୍ତମ ସଂଗୀତଜ୍ଞ । ଆମ ଦରବାରରେ ରହିଲେ ତାହା ଆମର ଗର୍ବର କାରଣ ହୁଅନ୍ତା ।” ପୁଣି ସେ ରାଜକୁମାରୀ ତାଙ୍କ ପିତାଙ୍କୁ ପଚାରିଲେ, “ବାବା, ଏଥିରେ ଆପଣଙ୍କର ମତ କ’ଣ?” ଝିଅ କଥାରେ ସଙ୍ଗେସଙ୍ଗେ ରାଜା ରବିଶଙ୍କରଙ୍କୁ କହିଲେ, “ଶୁଣ, ଆଜିଠାରୁ ତମେ ଆମ ଦରବାରର ସଙ୍ଗୀତ ବିଦ୍ୱାନ । ଏଥିଲାଗି ତୁମକୁ ମାସକୁ ଏକହଜାର ମୁଦ୍ରା ବେତନ ମିଳିବ ।”