ରୋହିଣୀ ଶ୍ରୀପତିର ମହଲରେ ପ୍ରବେଶ କରିବା ମାତ୍ରେ ସାରାପ୍ରାସାଦଟି ସେ ବୁଲି ବୁଲି ଦେଖି କହିଲା, “ଏଠାରେ ତ କାହିଁ କେହି ଜଣେ ହେଲେବି ଚାକର ଦିଶୁନାହାଁନ୍ତି ।” ଏକଥା ଶୁଣି ଶ୍ରୀପତି ହସି ହସି କହିଲା “ଚାକରର କ’ଣ ଆବଶ୍ୟକ? ଏବେତ ତମେ ଆସିଗଲଣି । ଘର କାମ ଆମେ ଦୁହେଁ ମିଶି ସମ୍ଭାଳି ନେବା?” ରୋହିଣୀ ରୋଷେଇ ଆରମ୍ଭ କରିବାକୁ ଯାଇ କହିଲା, “କେତେ ପ୍ରକାରର ତରକାରୀ ପ୍ରସ୍ତୁତ କରିବି? କଣ ମାଂସ କି ବିରିଆନୀ ହେବ କି?”
ତହୁଁ ଶ୍ରୀପତି କହିଲେ – “ତରକାରୀ? ଅନ୍ନ ସାଂଗକୁ ତ ଅଅଁଳା ଆଚାର ହେଲେ ଯଥେଷ୍ଟ । ଯେମିତି ହେଉ ପଛେ ଭୋକ ମେଂଟିଗଲେ ତ ଗଲା ।”
ସେଦିନ ରାତିରେ ରୋହିଣୀ ନିଜ ସ୍ୱାମୀଙ୍କୁ ଅନୁରୋଧ କଲା “ତୁମେ ଏତେ ଧନୀ, ଏତେ ସମ୍ପତ୍ତିର ମାଲିକ, ମୋ ପାଇଁ ଦାମୀ ଗହଣା, ଶାଢୀ କିଣି ଆଣ ।”
ସ୍ତ୍ରୀକୁ ବୁଝାଇବାକୁ ଯାଇ ଶ୍ରୀପତି କହିଲା, “ଦେଖ, ଧନ ପାଖରେ ଅଛି ବୋଲି ତାହା ବରବାଦ୍ କରିବା କଣ ଠିକ୍ କଥା । ବେକାର ଖର୍ଚ୍ଚ କରି, ଶାଢୀ, ଗହଣାରେ ପଇସା ଉଡେଇବା ଆଦୌ ଭଲ କଥା ନୁହେଁ । ତୁମେ ଏ ସବୁ ପ୍ରତି ଆସକ୍ତି ଦେଖାଅ ନାହିଁ । ସବୁଠାରୁ ବଡ କଥା ହେଉଛି ଆତ୍ମତୃପ୍ତି ।”
ସ୍ୱାମୀର ଏଭଳି କଥାରେ ରୋହିଣୀ ମନେ ମନେ ଭାରି ଚିଡିଯାଇ କହିଲା, “ଲୋଭୀ, କୃପଣ ।”
ଶ୍ରୀପତି ତା ପରଦିନ ପ୍ରଭାତରେ ଉଠିବା ବେଳକୁ ଦେଖିଲା ଚାରିଜଣ ଚାକର ଘରକାମରେ ନିୟୋଜିତ ହୋଇଛନ୍ତି । ଏସବୁ ଦେଖି ଶ୍ରୀପତି ସେମାନଙ୍କୁ ପଚାରିଲା, “ତୁମେମାନେ କିଏ? ଆଉ ଏଠାରେ କଣ କରୁଛ?” ଶ୍ରୀପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେମାନେ ତାଙ୍କ ହାତଯୋଡି ବିନୟର ସହିତ କହିଲେ, “ଆମେ ସେବାକାରୀ, ମାଲିକାଣୀ ଆମକୁ ଏଠାରେ ନିଯୁକ୍ତି ଦେଇଛନ୍ତି ।”
ଏହା ଶୁଣି ଶ୍ରୀପତି ରାଗରେ ଗରଗର ହୋଇ ଚିତ୍କାର କରି କହିଲା “କାହିଁକି ସେ ଚାରିଜଣଙ୍କୁ ନିଯୁକ୍ତି ଦେଇଛନ୍ତି! ମୋ ସମ୍ମୁଖରୁ ଚାଲିଯାଅ, ମୋର ତମମାନଙ୍କୁ ବେତନ ଦେବାପାଇଁ ସାମର୍ଥ୍ୟ ନାହିଁ ।”
ସ୍ୱାମୀର ଏଭଳି ଗର୍ଜନ ଶୁଣି ରୋହିଣୀ ଶାନ୍ତ, ଅବିଚଳିତ ଭାବେ ସେଠାକୁ ଆସି କହିଲା, “ଚାରି କଣ, ଚାଳିଶୀ ଜଣ ଚାକର ରଖିବାର ସାମର୍ଥ୍ୟ ବି ଆମର ଅଛି । ତୁମେ ଏଥିପାଇଁ ଗର୍ବ ଅନୁଭବ କରିବା କଥା ଯେ ଆମ ଘରେ ଏତେ ଲୋକ ଖଟୁଛନ୍ତି ।”
ଶ୍ରୀପତି ଭୋଜନ ନିମନ୍ତେ ବସିବାରୁ ପୁଝାରୀ ଆସି ଅନ୍ନ ସହିତ ନଅ ତିଅଣ, ଛଅ ଭଜାଯୁକ୍ତ ସ୍ୱାଦିଷ୍ଟ ଭୋଜନ ପରଷି ଦେଇ ଚାଲିଗଲା । ଏହା ଦେଖି ଶ୍ରୀପତି ତା’ ନିଜ ମୁଣ୍ଡରେ ହାତଦେଇ ହଠାତ୍ ଚିତ୍କାର କଲା । “ମୁଁ ବରବାଦ ହୋଇଗଲି, ମୁଁ ଦେବାଳିଆ ହୋଇଗଲି ।”
ଏହାପରେ ରୋହିଣୀ ଶ୍ରୀପତିଙ୍କୁ ଧମକ୍ ଦେଇ କହିଲା “ଚୁପ୍ ରହ! କାହିଁକି ଏପରି ଚିତ୍କାର କରୁଛ? ଚାକର ମାନେ ଶୁଣିଲେ, କଣ ଭାବିବେ?” ଆମେ ଯାହାଇଚ୍ଛା ତାହା ଖାଇ ପାରିବା, ଅନ୍ୟକୁ ବି ଖୁଆଇ ପାରିବା, ଏ ଶକ୍ତି ଆମର ଅଛି ।”
ଆଉ ଚାରିଦିନ ପରେ ରୋହିଣୀ ଦାମୀ ଦାମୀ ଶାଢୀ, ମୂଲ୍ୟବାନ୍ ଗହଣା ଆଣି ଶ୍ରୀପତିଙ୍କୁ ଦେଖାଇଲା । ଶ୍ରୀପତି ଏସବୁ ଦେଖି ଖୁବ୍ ବିଳାପ କରି କହିଲା, “ମୁଁ ଭିକାରି ହୋଇଗଲି ।” ଏହା କହିବାବେଳେ ତାଙ୍କ ଆଖିରୁ ଲୁହ ବୋହି ଯାଉଥାଏ ।
ରୋହିଣୀ ତା’ ସ୍ୱାମୀର ଲୁହ ପୋଛି ଦେଉ ଦେଉ କହିଲେ, “କାହିଁକି କାନ୍ଦୁଛ । କାନ୍ଦିଲେ ଆଉ ଲାଭ ବା କ’ଣ?” ମାତ୍ର ଶ୍ରୀପତି କାନ୍ଦି କାନ୍ଦି କହୁଥାଏ “କାନ୍ଦିବିନି ତ ଆଉ କ’ଣ କରିବି? ସେଦିନ କୂଅରୁ ପାଣି ନେଉଥିବା ସମୟରେ ତୁମର ଉଚ୍ଚ ଆଦର୍ଶ କଥାଶୁଣି ସେଥିରେ ପ୍ରଭାବିତ ହୋଇ ମୁଁ ତୁମକୁ ବିବାହ କରିଥିଲି । ଏବେ ବୁଝୁଛି, ମୁଁ ଛଳନାରେ ପଡିଯାଇଛି । ତୁମେ ମିଥ୍ୟାବାଦିନୀ ।”
ସ୍ୱାମୀର ସବୁକଥା ଶୁଣି ରୋହିଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା, “ତେବେ ଏପରି କଥା, ସେଦିନ ତାହେଲେ ଆମର କଥୋପକଥନ ଶୁଣି, ତମେ ମୋତେ ବିବାହ କରିଛ । ମୋ ଉପରେ ଏବେ ତୁମେ କେବଳ ଏତିକି ବିଶ୍ୱାସ ରଖ ଯେ, ମୁଁ ମିଥ୍ୟାବାଦିନୀ ନୁହେଁ । ଆମେ ଗରିବ ଲୋକ, ଆମ ପାଖରେ ଧନ ସମ୍ପତ୍ତି ନ ଥିଲା । ତେଣୁ ସେତେବେଳେ ମୋର ଖର୍ଚ୍ଚ କରିବାର କୌଣସି ପ୍ରଶ୍ନ ହିଁ ଉଠୁ ନଥିଲା । ତେଣୁ ସେତିକିରେ ମୁଁ ତୃପ୍ତି ପ୍ରକାଶ କରୁଥିଲି । ମାତ୍ର ଏବେତ ଆଉ ମୋର ସେ ଅବସ୍ଥା ନାହିଁ । ବର୍ତ୍ତମାନ ମୁଁ ପ୍ରଚୁର ସମ୍ପତ୍ତିର ଅଧିକାରିଣୀ, ଏଣୁ ମନଇଚ୍ଛା ଖର୍ଚ୍ଚ କଲେ କ’ଣ ବା କ୍ଷତି?