କିଛିବାଟ ଗଲା ପରେ ଶିଷ୍ୟକୁ ଭୋକ ଲାଗିଲା । ସେ ଅତ୍ୟନ୍ତ କ୍ଷୁଧାତୁର ହୋଇଯିବାରୁ ସେ ମନରେ ଭାବିଲା, ପୋକ ଜୋକ କଥା ଚୁଲିକୁ ଯାଉ, କେଉଁଠି କ’ଣ ଗଣ୍ଡାଏ ମିଳିଲେ ସେ ଆଗ ଖାଇ ତା’ର କ୍ଷୁଧା ନିବାରଣ କରନ୍ତା ।
ଏବେ ଗୁରୁ ଶିଷ୍ୟର ମନୋଭାବ ଜାଣିପାରିଲେ । ସେ କିଛି ନକହି ନିଜେ ଧରିଥିବା ଗଣ୍ଠିଲିକୁ ଶିଷ୍ୟକୁ ଦେଇ ପୁଣି ଆଗେ ଆଗେ ଚାଲିଲେ । ଏଭଳି ଘଟଣାରେ ଶିଷ୍ୟ ଜଣକ ବିସ୍ମିତ ହୋଇଗଲା ।
କିଛି ସମୟ ପରେ ଗୁରୁ-ଶିଷ୍ୟ ଦୁହେଁ ଏକ ଗଛମୂଳେ ବିଶ୍ରାମ ନେଲେ ଓ ମଧ୍ୟାହ୍ନଭୋଜନ ପାଇଁ ଗଣ୍ଠିଲି ଖୋଲିଲେ । ଏଥର ଶିଷ୍ୟଟି ସାହସ କରି ଗୁରୁଙ୍କୁ ପଚାରିଲା, “ମହାଶୟ! ଆପଣ ଯେଉଁ ଦୁଇପ୍ରକାର ଆଦେଶ ମୋତେ ଦେଲେ ତା’ର କାରଣ କ’ଣ?”
ଏଥର ସିଦ୍ଧ ବୌଦ୍ଧ ସାଧୁ କହିଲେ, “ତୁମେ ଶିଷ୍ୟ ହିସାବରେ ମୋତେ ଅନୁଧାବନ କରିବା କଥା । ମାତ୍ର ମୁଁ ଦେଖିଲି ଯେତେବେଳେ ତୁମେ ଏକାକୀ ସେହି ପୋକଜୋକଙ୍କ କଥା ଭାବି ମ୍ରିୟମାଣ ହୋଇଯାଉଛ, ସେତେବେଳେ ତୁମଠାରେ ବୁଦ୍ଧତ୍ୱର ପରିପ୍ରକାଶ ହେଲା, ଅର୍ଥାତ୍ ତୁମେ ଗୁରୁ ପଦବାଚ୍ୟ ହୋଇଗଲ । ଅର୍ଥାତ୍ ତୁମକୁ ମୋ ଗୁରୁର ଆସନରେ ବସାଇ ପ୍ରଥମ ପ୍ରକାରର ଆଦେଶ ଦେଇଥିଲି । ମାତ୍ର ଯେତେବେଳେ ତୁମେ ଭୋକ ଦାଉରେ ପୋକଜୋକ କଥା ଭୁଲିଗଲ ସେତେବେଳେ ତୁମଠାରେ ଆଉ ବୁଦ୍ଧତ୍ୱ ପରିପ୍ରକାଶ ହେଲା ନାହିଁ । ସୁତରାଂ ତୁମକୁ ଶିଷ୍ୟ ରୂପେ ଗଣ୍ଠିଲି ମୁଣ୍ଡେଇ ନେଇ ମୋ ପଛେ ପଛେ ଆସିବାକୁ କହିଲି ।”