ରାଜା ଏକଥା ପରୀକ୍ଷା କରିବାକୁ ମନକଲେ । ରାଜା, ରାଣୀ, ମନ୍ତ୍ରୀ ଓ ଦରବାରର ସବୁ ଲୋକମାନେ ଯାଇ ବଗିଚାର ଆମ୍ବଗଛ ପାଖରେ ପହଁଚିଲେ । ରାଜା ବ୍ରାହ୍ମଣକୁ ଆମ୍ବ ଫଳାଇବାକୁ କହିଲେ ।
ଯୁବକ ଗୋଟିଏ ଆମ୍ବଗଛ ଠାରୁ ସାତପାଦ ଦୂରରେ ଠିଆହୋଇ ମନ୍ତ୍ରଟି ପଢିଲା । ତାପରେ ଆଂଜୁଳାଏ ପାଣି ନେଇ ଗଛ ଉପରକୁ ଛାଟି ଦେଲା । ସାଂଗେ ସାଂଗେ ଗଛରେ ବଉଳ ହେଲା ଓ ବଉଳରୁ ଆମ୍ବକଷି ହୋଇଗଲା । ଆମ୍ବକଷି ବଡହୋଇ ଆମ୍ବ ହେଲା । ଆମ୍ବଗଡିକ ସଂଗେ ସଂଗେ ପାଚିଗଲା । ସମସ୍ତେ ଆମ୍ବଖାଇ ଖୁସିହେଲେ ।
ରାଜା ଖୁସିହୋଇ ଯୁବକକୁ ବହୁତ ଧନ ଉପହାର ଦେଲେ । ସେ ପଚାରିଲେ – “ଯୁବକ! ତୁମର ଗୁରୁ କିଏ? ତୁମେ କାହାଠାରୁ ଏ ମନ୍ତ୍ର ଶିଖିଲ?”
ଯୁବକ କହିଲା – “ମୁଁ ତକ୍ଷଶିଳାର ଜଣେ ବ୍ରାହ୍ମଣଙ୍କ ପାଖରୁ ଏ ମନ୍ତ୍ର ଶିଖିଚି ।” ‘ମୋର ଗୁରୁ ଜଣେ ଚାଣ୍ଡାଳ’ ବୋଲି ସେ କହିଲାନି । ଯୁବକ ଭାବିଲା – ମୋର ଗୁରୁ ଜଣେ ଚାଣ୍ଡାଳ ବୋଲି କହିଲେ ରାଜା ମତେ ନିନ୍ଦା କରିବେ । ସେ ଗୁରୁଙ୍କ ପାଖରେ ଯେଉଁ ସତ୍ୟ କରିଥିଲା ତାକୁ ଭୁଲିଗଲା ମିଛ କହିଲା ।
କେତେଦିନ ବିତିଗଲା । ରାଜା ପୁଣି ଦିନେ ଆମ୍ବ ଖାଇବାକୁ ମନକଲେ । ସେ ଯୁବକକୁ ଡକାଇପଠାଇଲେ । ରାଜା କହିଲେ – “ଆଜି ଆମ୍ବ ଖାଇବାକୁ ମନ ହେଉଚି । ତୁମେ ବଗିଚାକୁ ଯାଇ ଆମ୍ବ ଫଳାଇ କିଛି ଆମ୍ବ ନେଇଆସ ।”
ଯୁବକ ରାଜାଙ୍କ ବଗିଚାରେ ଥିବା ଆମ୍ବଗଛ ପାଖକୁ ଗଲା । ଆଗଭଳି ସାତପାଦ ଦୂରରେ ଠିଆହୋଇ ମନ୍ତ୍ର ପଢିଲା ଓ ଗଛ ଉପରକୁ ପାଣି ପକାଇଲା । କିନ୍ତୁ ଗଛରେ ବଉଳ ଆସିଲା ନାହିଁ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।