ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆମ ଦେଶର ଋଷି ଶୁକଦେବ

ବେଦର ସଂକଳନ ଓ ମହାଗାଥା ମହାଭାରତର ରଚୟିତା ଋଷିଶ୍ରେଷ୍ଠ ବ୍ୟାସଦେବଙ୍କର ପୁତ୍ର ହେଉଛନ୍ତି ଶୁକଦେବ ।

ଦେବଗୁରୁ ବୃହସ୍ପତିଙ୍କ ନିକଟରେ ସେ କିଛିକାଳ ବିଦ୍ୟାଧ୍ୟନ କଲେ । ଅନେକ ବିଷୟରେ ଜ୍ଞାନଲାଭ କରି ସେ ପିତାଙ୍କ ପାଖକୁ ଫେରିଲେ ।

ଦିନେ ଶୁକ ପିତା ବ୍ୟାସଙ୍କ ନିକଟରେ ପ୍ରକାଶ କଲେ, “ପିତାଶ୍ରୀ, ବେଦ ବେଦାନ୍ତ ଅଧ୍ୟୟନ କଲି, ନିରନ୍ତର ଧ୍ୟାନରତ ରହି, ସର୍ବସଂଗ ପରିହାର କରି, ନିର୍ବିକାର ଚିତରେ ତପସ୍ୱୀବତ୍ ଜୀବନଧାରଣ କରୁଛି । ତେବେବି ମୁଁ ସଂତୃପ୍ତିୂ ଲାଭ କରିପାରୁନାହିଁ । ଏହଠାରୁ ବଳି ସର୍ବୋତ୍ତମ ଜୀବନଧାରଣର ମାର୍ଗ କ’ଣ ଆଉକିଛି ବି ନାହିଁ?”

ତହୁଁ ବ୍ୟାସଦେବ ପରାମର୍ଶ ଦେଲେ, “ତୁମେ ବିବାହ କରି ଗୃହସ୍ଥଧର୍ମ ପାଳନ କର ।”

“ସାଧାରଣ ମଣିଷଙ୍କ ପରି, ଜନ୍ମଗ୍ରହଣ ପରେ, ସାଂସାରିକ ବଂଧନରେ ଛନ୍ଦିହୋଇ, ଅନେକ ଦୁଃଖଯାତନା ସହ୍ୟକରି ମୃତ୍ୟୁର ଶରଣକୁ ଯିବା ମୋର କାମ୍ୟ ନୁହେଁ । ଏହା ମୋତେ ତୃପ୍ତି ଦେଇପାରିବ ନାହିଁ ।” ଏହିପରି ଅନେକ କଥା ଭାବି ଶୁକ ସନ୍ଦେହ ପ୍ରକାଶ କଲେ ।

କିଛି ସମୟ ମୌନତା ଧାରଣ ପରେ ବ୍ୟାସଦେବ ଉତ୍ତର ଦେଲେ, “ପୁତ୍ର, ତୁମେ ଥରେ ମିଥିଳା ଯାଇ ମହାରାଜ ଜନକଙ୍କର ଦର୍ଶନ କରିଆସ ।”

ପିତାଙ୍କ ଆଜ୍ଞା ଅନୁସାରେ ଶୁକ ପଦଯାତ୍ରାରେ ମିଥିଳାନଗରୀ ଅଭିମୁଖେ ବାହାରି, ଜନକଙ୍କୁ ସାକ୍ଷାତ କଲେ । ଏପରି ଐଶ୍ୱର୍ଯ୍ୟପୂର୍ଣ୍ଣ ଜୀବନଯାପନ କରୁଥିବା, ପାରିଷଦବର୍ଗଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଜଣେ ସାଧାରଣ ରାଜାଙ୍କ ପରି ଜୀବନ ବଂଚୁଥିବା ଜନକଙ୍କ ନିକଟକୁ କାହିଁକି ତାଙ୍କ ପିତା ପ୍ରେରଣ କରିଛନ୍ତି । ପ୍ରଥମେ ତାହା ତାଙ୍କର ବୋଧଗମ୍ୟ ହେଲାନାହିଁ ।

କିନ୍ତୁ ପରେ ଯେତେବେଳେ ସେ ଜନକ ମହାରାଜଙ୍କ କାର୍ଯ୍ୟଧାରାକୁ ସୂକ୍ଷ୍ମ ପର୍ଯ୍ୟବେକ୍ଷଣ କଲେ, ବିଭିନ୍ନ ପରିସ୍ଥିତିରେ ମହାରାଜଙ୍କ ପ୍ରତିକ୍ରିୟାକୁ ଅବଲୋକନ କଲେ, ଏବଂ ତାଙ୍କ ସହ ବହୁ ଶାସ୍ତ୍ରାଦି ଆଲୋଚନା କରିବା ପରେ ସେ ଅନୁଭବ କଲେ ଯେ, ପ୍ରକୃତରେ ଜନକ ଜଣେ ଅସାଧାରଣ ମାନବ । ତାଙ୍କର ଜୀବନ ବିଳାସବ୍ୟସନର ଆତିଶଯ୍ୟରେ ପରିପୂର୍ଣ୍ଣ ଥାଇ ମଧ୍ୟ ସେ ତା ସହିତ ଅଣୁମାତ୍ର ସଂଶ୍ଳିଷ୍ଟ ନ ଥିଲେ । ସମସ୍ତ ପ୍ରକାର ସଂସାରିକ ଜଂଜାଳ ମଧ୍ୟରେ ଥାଇ ମଧ୍ୟ, କମଳ ପତ୍ର ଉପରର ଜଳବିନ୍ଦୁ ସଦୃଶ ଋଷିପ୍ରତିମ ଜୀବନ ସେ ବିତାଉଥିଲେ । ଜନକ ମହାରାଜଙ୍କ ଜୀବନଶୈଳୀର ଏହି ନିଗୂଢ ସତ୍ୟକୁ ସେ ଉପଲବ୍ଧି କଲେ ।

ସାର୍ଥକ ମାନବ ଜୀବନ ପାଇଁ ଜନକ ହିଁ ଚରମ ଆଦର୍ଶ । ଏହା ପ୍ରାପ୍ତ ହୋଇ ଶୁକ ପିତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ