ଚାଉଳ, ଅଟାରେ ପିଠାପଣା ପ୍ରସ୍ତୁତ ହୁଏ। ପାଚିଲା କଦଳୀ, ନଡିଆ, ଉଖୁଡା, ଖଜା, କୋରା, ଛେନା, ଗୁଡ, କାକୁଡି, ସେଓ ଆଦି ବହୁ ପ୍ରକାର ସାମଗ୍ରୀ ପ୍ରସ୍ତୁତ ହୁଏ । ଗୃହିଣୀ ନିଷ୍ଠାର ସହ ପୁତ୍ର, କନ୍ୟା ତଥା ନିଜ ପରିବାରର ମଙ୍ଗଳ କାମନା କରେ । ଆମ ପ୍ରଦେଶରେ ରଜ ଏକ କୃଷିଭିତ୍ତିକ ପର୍ବ । ଏହାକୁ ଓଡିଶାର ଲୋକେ ତିନିଦିନ ପର୍ଯ୍ୟନ୍ତ ପାଳନ କରନ୍ତି । ଅବିବାହିତ ଝିଅମାନେ ଏହି ତିନିଦିନ ଅତି ଖୁସିରେ କାଟନ୍ତି । ରଜପର୍ବରେ ପୋଡପିଠା ପ୍ରସ୍ତୁତି କରିବା ଏକ ବିଧି । କୁମାରୀମାନେ ରଜଦୋଳିରେ ବସି ପୋଡପିଠା ଖାଇ ମନ ଆନନ୍ଦରେ ଗୀତ ଗାଇଥା’ନ୍ତି । ପ୍ରଥମାଷ୍ଟମୀରେ ପ୍ରତିଟି ଓଡିଆ ଘରେ ବଡ ପୁଅକୁ ଅଥବା ଝିଅକୁ ପୋଡୁହାଁ କରାଯାଏ । ଏଥିପାଇଁ ମାମୁଁ ଘରୁ ଭଣଜା ବା ଭାଣିଜୀ ପାଇଁ ନୂଆଲୁଗା ଆସେ । ମା’ ଏଣ୍ଡୁରୀ ପିଠା ପ୍ରସ୍ତୁତ କରି ବଡି ଭୋରୁ ବଡ ପୁଅଝିଅଙ୍କୁ ବନ୍ଦାପନା କରନ୍ତି । ଉତ୍କଳୀୟ ସଂସ୍କୃତିରେ ପର୍ବପର୍ବାଣିଗୁଡିକ ବେଶ୍ ଉତ୍ସବମୁଖର ହୋଇଥା’ନ୍ତି ।
ସଂସ୍କୃତି ଚାଲିଚଳଣର ଅନ୍ୟତମ ଉତ୍ସ । ଏଥିରେ ସକାଳୁ ଉଠିବାକୁ ପରାମର୍ଶ ଦିଆଯାଏ । ଚୀନ ପରି ଦେଶରେ ରାତିରେ ସ୍ନାନ କରନ୍ତି କାରଣ ଦିନସାରା ମନୁଷ୍ୟ ଵାୟୁପ୍ରଦୂଷଣ ସଂସ୍ପର୍ଶରେ ଆସେ ତଦ୍ୱାରା ଦିନସାରା ହୋଇଥିଆ ପ୍ରଦୂଷିତ ଶରୀରକୁ ସଫାକରି ରାତ୍ରି ଶୟନ ଶଯ୍ୟାକୁ ଯାଆନ୍ତି କିନ୍ତୁ ଆମ ଦେଶରେ ଲୋକେ ପ୍ରାତଃସ୍ନାନ କରନ୍ତି । ଗୃହିଣୀମାନେ ସକାଳୁ ଗାଧୋଇ ସୂର୍ଯ୍ୟଙ୍କୁ ନମସ୍କାର କରନ୍ତି । ବଡପାଟିରେ ସେ କେବେବି କଥାବାର୍ତ୍ତା କରନ୍ତି ନାହିଁ । ସ୍ୱାମୀଙ୍କୁ ଭକ୍ତି କରନ୍ତି । ନଣନ୍ଦ ଦିଅରଙ୍କୁ ଭଉଣୀଭାଇ ଜ୍ଞାନରେ ସ୍ନେହ କରନ୍ତି । ସେହିପରି ଆମ ସଂସ୍କୃତି କୁହେ, ସକାଳୁ ଉଠି ସମସ୍ତେ ମୁହଁ ଧୋଇବା ଉଚିତ୍ । ଦାନ୍ତ ଘଷି, ଗାଧୋଇ ସାରି, ଖାଇବା ଦରକାର । କାହା ଦେହରେ ଗୋଡ ବାଜିଲେ ତାକୁ “କ୍ଷମା ବା sorry” କହିବା ଉଚିତ୍ । ଠିକ ସମୟରେ ଖାଇଲେ ପେଟଜନିତ ରୋଗ ହୁଏ ନାହିଁ ; ପେଟଜନିତ ରୋଗରୁ ରକ୍ଷା ପାଇବା ପାଇଁ ଚାରି ଘଂଟାରେ କିଛି ଖାଇ ପାଣି ପିଇଲେ ଆମାଶୟିକ ରୋଗ କମ ହବାର ଆଶଙ୍କା ଥାଏ ।
ଉତ୍କଳୀୟ ସଂସ୍କୃତିରେ କାହା ପ୍ରତି ଖରାପ ବ୍ୟବହାର କରିବାକୁ ନିଷିଦ୍ଧ ହୋଇଛି । ଅଳସୁଆ ହେଲେ ସମ୍ପତ୍ତି ନଷ୍ଟ ହୁଏ ବୋଲି ଏକ ବଳିଷ୍ଠ ବିଶ୍ୱାସ ରହିଛି । ଘରକୁ ବନ୍ଧୁବାନ୍ଧବ ଆସିଲେ ସେମାନଙ୍କୁ ଅତିଥି ମନେକରି ସେମାନଙ୍କର ସତ୍କାର କରିବା ପ୍ରତ୍ୟେକ ଗୃହସ୍ଥର କର୍ତ୍ତବ୍ୟ ।
ସଂସ୍କୃତି ଜୀବନଯାପନର ଏକ ଧାରା । ଯେଉଁ ଦେଶର ସଂସ୍କୃତି ଯେତେ ସମୃଦ୍ଧ, ସେ ଦେଶ ସେତେ ଉନ୍ନତ । ମଣିଷ ସଂସ୍କୃତିର ଦାସ ନୁହେଁ; କିନ୍ତୁ ସଂସ୍କୃତି ପ୍ରତି ସମ୍ମାନବୋଧ ନ ରହିଲେ ସଂସ୍କୃତି ଛଡ଼ା ପରିଚୟ ହୁଏ । ଖାଦ୍ୟପାନୀୟ, ବେଶପୋଷାକ, ଗମନାଗମନରେ ମଧ୍ୟ ସଂସ୍କୃତିର ଚିହ୍ନ ବିଦ୍ୟମାନ । ଆମ ଓଡିଶା ସଂସ୍କୃତି ସାରା ବିଶ୍ୱରେ ବିରଳ ।