“କେତେ ସହଜରେ କହିଦେଉଛ, ଚିନ୍ତିତ ହେବା ଦରକାର ନାହିଁ । ହଁ, ମୋର ମନସ୍ତାପ ତୁମକୁ ବା କାହିଁକି ମାଲୁମ୍ ପଡିବ? ମୋତେ କିଛି ବୁଦ୍ଧିବାଟ ଦିଶୁନାହିଁ । କଣ କରିବି? କିପରି ଏହି ବାର ପ୍ରକାର ରୋଗ ଦାଉରୁ ମୁକ୍ତ ହେବି ।” ସେତେବେଳେ ଗୁରୁନାଥଙ୍କ କଥାରେ ନୀରସତା ଓ ଅସହାୟତା ଭରି ରହିଥିଲା ।
“ମୋ କହିବାର ଅର୍ଥ ଏହା ନୁହେଁ ଯେ, ତୁମେ ରୋଗକୁ ଖାତିର୍ କରିବ ନାହିଁ । ରୋଗ ପ୍ରତି ଅସାବଧାନ ହେବା ଖୁବ୍ ବିପଦଜନକ ଅଟେ । ଏହିପରି ଭୟଙ୍କର ରୋଗର ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନ କରି ପରିଣାମ ସ୍ୱରୂପ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରନ୍ତି । ମୋର କଥାର ଉଦ୍ଧେଶ୍ୟ ହେଉଛି, ରୋଗର ଆରୋଗ୍ୟର ଆଧାର ଏକମାତ୍ର, ଔଷଧ ସେବନ ନୁହେଁ । ଜୀବନରେ ପ୍ରତିଦିନ କେତେଗୁଡିଏ ନୀରୋଗୀ ରହିବାର ନିୟମ ମଧ୍ୟ ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ ।” ଶଙ୍କରଙ୍କର ଏପରି କଥା ଶୁଣି ସେହି ‘ଆରୋଗ୍ୟ-ସୂତ୍ର’ ମାନ ସମ୍ବନ୍ଧରେ ଗୁରୁନାଥ ଜାଣିବାପାଇଁ ଚାହିଁଲେ ।
“ମୁଁ ତ କେବେହେଲେବି ବାହାରେ ଭୋଜନ କରେନାହିଁ । ଘରେ ନିଜର ଆବଶ୍ୟକତା ଅନୁଯାୟୀ ଭୋଜନ ଗ୍ରହଣ କରେ । ଉଦର ଭର୍ତ୍ତି କରି ଖାଦ୍ୟ ଖାଏ ନାହିଁ । ପର୍ବପର୍ବାଣୀରେ, ଅଧିକ ବା ଅନିୟମିତ ଖାଦ୍ୟ ଗ୍ରହଣ କଲେ, ତା ପରଦିନ ଉପବାସ ପାଳନ କରେ । ପ୍ରତ୍ୟେକ ଦିନ କିଛି ପଥ ପାଦରେ ଚାଲି ଭ୍ରମଣ କରେ । ନିଜର ସବୁ କାମ ନିଜ ହାତରେ କରେ । ଯେଉଁ କାମ କରେ ଭାବିଚିନ୍ତି, ଧୀରସ୍ଥିର ଭାବରେ କରେ । କେବେ କୌଣସି କଥାରେ ବିଶେଷ ଚିନ୍ତିତ ବା ଉତ୍ତେଜିତ ହୁଏ ନାହିଁ । କର୍ମ କରି ସାରିବା ପରେ ଫଳାଫଳ ଭଗବାନଙ୍କ ଉପରେ ଛାଡିଦିଏ । ସମସ୍ତଙ୍କୁ ସ୍ୱଚ୍ଛ ମନରେ ବିଶ୍ୱାସ କରେ । ମୋ ଆଖପାଖରେ ଚଳୁଥିବା ମଣିଷଙ୍କୁ ମୁଁ ତ କେବେବି ସନ୍ଦେହ ଚକ୍ଷୁରେ ଦେଖେନାହିଁ । ଭଲକାମ କରୁଥିବା ବ୍ୟକ୍ତିଙ୍କୁ ପ୍ରଶଂସା କରେ । ମନ୍ଦ କାମ କରୁଥିବା ବ୍ୟକ୍ତିଙ୍କ ଠାରୁ ସଦା ସର୍ବଦା ଦୂରରେ ରହେ । ମୋ ଦୃଷ୍ଟିରେ ଏହା ସବୁ ଆରୋଗ୍ୟ-ସୂତ୍ର ଅଟେ ।” ଶଙ୍କର ଏହିଭଳି ଭାବେ ନିଜ ଚିନ୍ତାଧାରା ବ୍ୟକ୍ତ କଲେ । ଗୁରୁନାଥ ତାହା ଶୁଣି ସଙ୍ଗେ ସଙ୍ଗେ କହିଉଠିଲେ, “ତୁମେ ଯାହାସବୁ କହିଲ ମୁଁ ବି ତ ମଧ୍ୟ ସେସବୁ ନିୟମ ପାଳନ କରୁଛି । ତେବେ ବି କାହିଁକି ରୋଗ ମୋର ପିଛା ଛାଡୁନାହିଁ?”
ଶଙ୍କର ଅଳ୍ପହସି କହିଲେ, “ଆଚ୍ଛା, ତେବେ ତୁମେ ଖୁବ୍ ଚିନ୍ତା, ବିଚାର କରି ଭାବିଦେଖ, ମୁଁ ଯାହାସବୁ କହିଲି, ତାହା ତୁମେ କେତେ ମାତ୍ରାରେ ପାଳନ କରୁଛ ।”
ଗୁରୁନାଥ ଏହି ବିଷୟରେ ଗଭୀର ଭାବେ ଚିନ୍ତାକଲେ । ନିଜର ଦୋଷତ୍ରୁଟି ନିଜେ ବାଛି ପାରିବେ ନାହିଁ ସ୍ଥିର କରି ପତ୍ନୀଙ୍କୁ ଏ ବିଷୟରେ ସେ ପଚାରିଲେ । କିନ୍ତୁ ପତିଙ୍କର ଦୋଷଗୁଣ ବାହୁନିବା ସମୁଚିତ ହେବ ନାହିଁ ଭାବି ପତ୍ନୀ ଏ ବିଷୟରେ ନୀରବ ରହିଲେ । ତାପରେ ସେ ପୁତ୍ରଙ୍କୁ ପଚାରିଲେ । ପିତାଙ୍କ ସମ୍ମାନ ଦୃଷ୍ଟିରୁ ସେ ମଧ୍ୟ ନୀରବ ରହିଲେ । ନିଜ ଭୃତ୍ୟକୁ ଏ ବିଷୟରେ ମତାମତ ଦେବାପାଇଁ କହିବାରୁ, ବାକ୍ଚାତୁରୀରେ ସେ ମଧ୍ୟ ଏଡାଇଗଲା ।
ଗୁରୁନାଥ ଏହି କଥା ଶଙ୍କରଙ୍କୁ କହିବାରୁ ସେ କହିଲେ, “ସେମାନଙ୍କୁ ଏପରିକି ମୋତେ ଏହା ପଚାରିଲେ ତୁମେ ପ୍ରକୃତ ସତ୍ୟ କେବେବି ଜାଣିପାରିବ ନାହିଁ । କାରଣ ଆମେ ତୁମର ନିଜଲୋକ । ତୁମଠାରୁ ବୟସରେ ବଡ, ନୀରୋଗ ତଥା ସ୍ପଷ୍ଟବାଦୀ, ନିର୍ଭୀକ ଲୋକଙ୍କଠାରୁ ପରାମର୍ଶ ନିଅ ।”