ଶ୍ରୀନିବାସପୁର ଗ୍ରାମରେ ସୁମନ୍ତ ବୋଲି ଯୁବକଟିଏ ଥାଏ ଯେ ସେ ବଡ ଅଳସୁଆ । ଛୁଆଦିନରୁ ମା’ ମରିଯିବାରୁ ବାପା ତାକୁ ଗେହ୍ଲା କରି ଏମିତି ନଷ୍ଟ କରିଛି । ପଚିଶବର୍ଷର ଯୁବକ ଦିପହର ହେଲେ ଶେଯରୁ ଉଠିବ । ତା’ ବାପା ସକାଳୁ ଉଠି ଗାଈ ଦୁହିଁ, ଦୁଧ କେତେଜଣଙ୍କ ଘରେ ନାଗୁଆ ଦେଇ ଆସେ ରନ୍ଧାବଢା କରିସାରି କ୍ଷେତକୁ ଯାଏ; ତା’ପରେ ଯାଇ ବାବୁଙ୍କର ନିଦ ଭାଙ୍ଗେ । ନିତ୍ୟକର୍ମ କୌଣସିମତେ ଶେଷ କରି ଖାଇଦେଇ ଯାଇ ଏଠି ସେଠି ସେ ବୁଲେ । ପୁଣି ଖାଇବା ବେଳକୁ ଘରକୁ ଫେରେ । ତା’ମନ ଖରାପ ହେବ ବୋଲି ବାପ ମଧ୍ୟ କିଛି କହେ ନାହିଁ ।
ସେ ଗାଁରେ ସମସ୍ତେ ତ ତା’କୁ ବେଶ୍ ଭଲଭାବେ ଜାଣନ୍ତି । ତେଣୁ ତାକୁ ଝିଅ ଦେବାକୁ କେହିବି ମଙ୍ଗିଲେ ନାହିଁ । ଶେଷକୁ ତା’ ବାପା ଦୂର ଗାଁର ସୁକାନ୍ତି ବୋଲି ଝିଅଟିଏ ସହିତ ତା’ର ବିବାହ କରାଇ ଦେଲେ । ସୁକାନ୍ତି ଶାଶୁଘରେ କିଛିଦିନ ରହିବା ପରେ ସ୍ୱାମୀଙ୍କର ଗୁଣ ସେ ଜାଣିଗଲା । ଦିନେ ସେ ତା’ ସ୍ୱାମୀଙ୍କୁ କହିଲା, “ଦେଖ ତୁମ ବାପାଙ୍କୁ ଷାଠିଏରୁ ବେଶି ବୟସ ହେଲାଣି କିନ୍ତୁ ସେ କଠିନ ପରିଶ୍ରମ କରୁଛନ୍ତି । ଆଉ ତୁମେ ଟିକିଏ ତାଙ୍କୁ ସାହାଯ୍ୟ ବି କରି ପାରୁ ନାହଁ? ଦିନରାତି ଶୋଉଛ ତୁମକୁ ସେଥିପାଇଁ ଲାଜ ଲାଗୁନାହିଁ? ମା’ ମରିଛନ୍ତି ବୋଲି ତୁମ ମନରେ କଷ୍ଟ ହେବ ଭାବି ବାପା ତୁମକୁ ଗାଳିଦିଅନ୍ତି ନାହିଁ; ହେଲେ ତମର ବିବେକ ବୁଦ୍ଧି ବୋଲି କ’ଣ କିଛି ନାହିଁ?”
ସ୍ତ୍ରୀ କଥାରେ ସୁମନ୍ତ ରାଗିଯାଇ କହିଲା, “ତମେ ଆମ ଘରେ ପାଦ ଦେଉ ଦେଉ କ’ଣ ଏତେ କଥା କହିଲଣି? ଆଜି କହୁଛ ବାପାକୁ ସାହାଯ୍ୟ କର, କାଲି କହିବ ରୋଷେଇରେ ମୋତେ ସାହାଯ୍ୟ କର । ଏସବୁ ମୁଁ ସହିବା ଲୋକ ନୁହେଁ ।”
ସେହିଦିନଠାରୁ ସୁକାନ୍ତି ଚୁପ୍ ରହେ । ଏମିତି ଦେଢବର୍ଷ ବିତିଗଲା । ପୁଅଟିଏ ଜନ୍ମ ହେଲା । ସବୁକାମ ସୁକାନ୍ତି ଚୁପ୍ଚାପ୍ କରିଯାଏ । ଦିନେ ବହୁତ ଖରା ହୋଇଥାଏ । ପିଲାକୁ ଖୋଇପେଇ ସୁକାନ୍ତି ସ୍ୱାମୀ ପାଖରେ ତାକୁ ଛାଡି କ୍ଷେତକୁ ଗଲା । ସେ ସବୁଦିନ କ୍ଷେତକୁ ଯାଇ ଶ୍ୱଶୁରକୁ ବିଲବାଡି କାମରେ ସାହାଯ୍ୟ କରେ; ସଂଧ୍ୟାକୁ ଫେରି ଦେଖିଲା ବାଟରେ ଥିବା ନଣ୍ଡାକୁଅ ପାଖରେ ଛୁଆ ଠୁକୁଠୁକୁ ହୋଇ ଚାଲୁଛି । ଆଉ ସୁମନ୍ତ ଦୂରରେ ଚଉକି ଉପରେ ବସି ଝୁଲୁଛି । ଆଉ ଟିକିଏ ହୋଇଥିଲେ ହୁଏତ ଛୁଆଟି କୁଅରେ ଗଳିପଡିଥାନ୍ତା ।
ସୁକାନ୍ତି ଚଟକରି ଛୁଆକୁ ଉଠାଇ ନେଇ ରାଗି କରି କହିଲା, “ମୁଁ ନଥିଲେ ତ ଛୁଆ ଆଜି କୁଅରେ ଗଳିପଡିଥା’ନ୍ତା । ଏସବୁଥିରେ ତୁମର କିଛିବି ଯାଏ ଆସେ ନାହିଁ ନା?”
ସୁମନ୍ତ କହିଲା, “ଦେଖିଲି ତମେ ଆସୁଛ, ତେଣୁ ମୁଁ ଚୁପ୍ଚାପ୍ ହୋଇ ବସି ରହିଲି ।”
“ଧିକ ତମ କଥାକୁ । ମୁଁ ଯଦି କେଉଁଠି ଚାକିରୀ କରିଥାନ୍ତି ତ, ମୁଁ ଓ ପିଲା ଦୁହେଁ ଭଲରେ ଚଳନ୍ତୁ । ତୁମ ପରି ଅଳସୁଆ ଲୋକ ପାଖରେ ରହିବା ଅସମ୍ଭବ । ମୁଁ ମୋ ଘରକୁ ଯାଉଛି । ଏତିକି କହି ସେ ଛୁଆକୁ ଧରି ତା’ ମା’ ଘରକୁ ପଳାଇଲା । ସେଇଠି ସେମିତି ସୁମନ୍ତ ଭକୁଆଙ୍କ ପରି ବସି ରହିଥିଲା; ହଠାତ୍ ସେ ଆଉ କିଛି କହିପାରିଲା ନାହିଁ । ଆଉ ଟିକିଏ ସଂଧ୍ୟା ହେବାରୁ ଘର ପିଣ୍ଡାକୁ ଚାହିଁ ସେ ଦେଖିଲା । ଭୂତଟିଏ ଚଉତରା ପାଖରେ ବସିଛି । ସେ ନ ଡରି କହିଲା, “ତମେ ତ ଏଠାକୁ ରାତିରେ ଈଶ୍ୱରଙ୍କ ପରି ଆସିଛ । ଚାଲ ଏବେ ଖଟଟି ଉପରକୁ ଉଠାଅ ଓ ଏଠାରେ ଆଣି ପକାଅ । ତା’ପରେ କୁହ ତୁମେ କେଉଁଠାରୁ ଓ କିପରି ଆସିଲ? ତୁମର କ’ଣ ଦରକାର?”
ଭୂତ କହିଲା “ମୁଁ ମଧ୍ୟ ତୁମପରି ଭାରି ଅଳସୁଆ । ମୁଁ ତୁମଠାରୁ କିଛି ସାହାଯ୍ୟ ଲୋଡୁଛି ।”
ସୁମନ୍ତ ହାଇମାରି ପଚାରିଲା “କୁହତ ତମେ ମୋଠୁ କି ସାହାଯ୍ୟ ଚାହଁ?” ତା’ପରେ ସେ ଭୂତ କହିଲା “ଗୋଟାଏ ତସଲା ଓ ଗୋଟାଏ କୋଦାଳ ଉଠାଇ ମୋ ସହିତ ଆସ ।”
ସୁମନ୍ତ କହିଲା “କୋଦାଳ ଓ ତସଲା କିନ୍ତୁ ତୁମକୁ ବୋହିବାକୁ ପଡିବ ।” “ଭୂତ ଉଠାଇ ଚାଲିଲା । ସୁମନ୍ତ ମଧ୍ୟ ତା’ ସହିତ ଚାଲିଲା ।”
ଭୂତ କହିଲା “ଏବେ ମୁଁ ତୁମକୁ କହିବି ମୁଁ କିପରି ଭୂତ ହେଲି । ମନଦେଇ ତାହା ଶୁଣ ।” ସୁମନ୍ତ କହିଲା – “ଆଚ୍ଛା ଶୁଣାଅ”
ଭୂତ କହିଲା, “ମୁଁ ଯେତେବେଳେ ଜୀବିତ ଥିଲି, ମୋ ନାମ ସୋମେଶ୍ୱର ଥିଲା, ମୁଁ ଘରର ବଡ ପୁଅ ଗେହ୍ଲା ହୋଇ ଠିକ୍ ତୁମରି ପରି ଖାଲି ଖାଇ ପିଇ ମଉଜ ମଜଲିସ୍ କରି ବୁଲୁଥିଲି । ମୋର ତିନିଜଣ ସାଙ୍ଗଥିଲେ । ପ୍ରଥମଟା ମହାପାପୀ; ଏମିତି କିଛି ପାପ ନାହିଁ ଯାହାକୁକି ସେ ନକରିଛି । ଦ୍ୱିତୀୟ ଜଣକ ଦୁର୍ଗୁଣରେ ପୂର୍ଣ୍ଣ । ତୃତୀୟଟି ମଧ୍ୟ କୌଣସିଥିରେ କିଛି କମ୍ ନୁହେଁ । ସବୁପ୍ରକାରର ବିଦ୍ୱସଭାବ ତା’ର ଥିଲା । ମୁଁ ସେ ତିନିଜଣଙ୍କ ସହିତ ବନ୍ଧୁତା କରିଥାଏ; କିନ୍ତୁ ସେମାନଙ୍କ ପ୍ରଭାବ ମୋ ଉପରେ ଆଦୌ ପଡି ନଥିଲା ।
ମୋର ଗୋଟିଏ ବୋଲି ଭଉଣୀ ଥିଲା । ତା’ର ବିବାହ ପାଇଁ ମୋ ବାପା ଗାଁ ପାଖରେ ଥିବା ଆମ ଜମି ବିକ୍ରି କରି ଦେଲେ କାରଣ ସେତେବେଳକୁ ବାପାଙ୍କ ହାତରେ ବେଶି ଟଙ୍କା ନଥାଏ । କିନ୍ତୁ ଗୋଟିଏ ବୋଲି ଝିଅର ବାହାଘର ଟିକିଏ ଜାକଜମକରେ କରିବାକୁ ବ୍ୟବସ୍ଥା କରି ସେ ଜମି ବିକ୍ରି କଲେ । ଜମି ବିକ୍ରି କରି ଟଙ୍କା ଧରି ସେ ଘରକୁ ଫେରୁଥା’ନ୍ତି ।” ତାଙ୍କ ପଛରେ କେହି ଲୋକ ଆସୁଥିବାର ଜାଣିପାରି ସେ ବରଗଛ ତଳେ ସେତକ ଟଙ୍କା ଲୁଚାଇ ଦେଇ ନିଜ ଗ୍ରାମ ଆଡକୁ ଆସିଲେ । ସେମାନେ ତାଙ୍କୁ ବାଟ ମଝିରେ ଧରିଲେ, ଟଙ୍କା ନପାଇବାରୁ ମାରିଲେ, ପିଟିଲେ । ମାଡ ଖାଇ ବଡ କଷ୍ଟରେ ସେ ଘରେ ଆସି ପହଁଚିଲେ ଓ ଶଯ୍ୟାଶାୟୀ ହୋଇ ପଡିରହିଲେ । ଚାରିଦିନ ପରେ ସେ ହଠାତ୍ ମରିଗଲେ । କିନ୍ତୁ ମରିବା ଆଗରୁ ସେ ମୋତେ ପାଖକୁ ଡାକି କହିଥିଲେ ସେ କେଉଁଠି ଟଙ୍କା ରଖିଛନ୍ତି । ତା’ପରେ ସେ କହିଲେ, “ସେ ଟଙ୍କା ଆଣି ଭଉଣୀର ବିବାହ ଯେପରି ଯଥାଶୀଘ୍ର କରିଦେବୁ ।”
ଭଉଣୀର ବାହାଘର ଦୁଇଦିନ ବାକିଥାଏ ଶୀଘ୍ର ଯାଇ ଟଙ୍କା ଆଣିବାକୁ ମା କହିଲେ । ମୁଁ ତ ଆଗରୁ ଏକଥା ମୋ ସାଙ୍ଗମାନଙ୍କୁ କହିଥାଏ । ସେଦିନ ରାତିରେ ମୁଁ ଟଙ୍କା ଆଣିବାକୁ ଗଲି । ମୁଁ ଜାଣି ନଥିଲି ଯେ ସେମାନେ ମୋର ପିଛା କରୁଛନ୍ତି ।
ଶେଷକୁ ବୁଝିପାରିଲି ଯେ କେହି ମୋର ପିଛା କରୁଛି । ତେଣୁ ପ୍ରକୃତ ଗଛ ପାଖକୁ ନ ଯାଇ ଅନ୍ୟ ବରଗଛ ପାଖକୁ ଯାଇ ସେଠା ଖୋଳିଲି । ସେମାନେ ତିନିଜଣ ମୋ ଉପରେ ଗୋଟାଏ ବଡ ପଥର ଫିଙ୍ଗି ମୋତେ ଛେଚି ଦେଲେ । ଫଳତଃ ସେହିଠାରେହିଁ ମୋର ମୃତ୍ୟୁ ହେଲା । ତା’ପରେ ଭଗବାନଙ୍କ ବରାଦ ଅନୁସାରେ ତିନୋଟି ବାଘ କାହୁଁ ଆସି ସେମାନଙ୍କୁ ଖାଇଗଲେ । ତା’ପରେ ମୋ ମା ଓ ଉଉଣୀ ମୋର ମୃତ୍ୟୁ ଦେଖି ଦୁଃଖରେ କିଛି ଦିନ ବଂଚି ସେମାନେ ମଧ୍ୟ ମରିଗଲେ । ମୋର ତିନି ଦୁଷ୍ଟସାଙ୍ଗଙ୍କ ଆତ୍ମା ନର୍କକୁ ଗଲା ଓ ମୁଁ ଏଠାରେ ପ୍ରେତ ହୋଇ ବୁଲୁଛି ।
ଆଜି ମୁଁ ଦେଖିଲି ତୁମ ସ୍ତ୍ରୀ ଏଇ ବାଟେ ଛୁଆକୁ ନେଇ ଯାଉଥିଲେ । ଛୁଆ ଭୋକରେ ବହୁତ କାନ୍ଦୁଥିଲା । ତେଣୁ ତୁମ ପତ୍ନୀ ତାକୁ କହିଲେ, “ଅଳସୁଆ ବାପର ଛୁଆ ହୋଇ ଜନ୍ମ ହୋଇଛୁ ତୋତେ ସେମିତି ଜୀବନ ସାରା କଷ୍ଟ ଭୋଗିବାକୁ ପଡିବ ।” ତା’ପରେ ସେ ନିଜେ ମଧ୍ୟ ବହୁତ କାନ୍ଦୁଥିଲେ । ସେମାନଙ୍କର ସେ କାନ୍ଦ ଦେଖି ମୋ ମନ ବହୁତ ଖରାପ ହେଲା । ତୁମେ ଏ ଧନତକ ନେଇ ଏଥିରେ କୌଣସି ବ୍ୟବସାୟ ଆରମ୍ଭ କରି ଭଲରେ ରହ ।” ଆଜିକାଲି ବୋଲି ଭାବି ଅଳସୁଆମି କରି ଯଦି ବସିରହିବ ତେବେ ଏତକ ଟଙ୍କା ମଧ୍ୟ ସରିଯିବ, ହେଲେ ସ୍ୱଭାବ ବଦଳିବ ନାହିଁ ।
ଖୋଳାଖୋଳି କରିବାରୁ କିଛି ଧନ ମିଳିଲା । ସେତକ ନେଇ ସେ ଭୂତକୁ ଧନ୍ୟବାଦ ଦେଇ ଘରକୁ ଫେରିଲା । ତା’ପରେ ସେ ତା’ ସ୍ତ୍ରୀ ପାଖକୁ ଚିଠିଟିଏ ପଠାଇଲା । ସେଥିରେ ଲେଖାଥିଲା, “ତୁମେ ଶୀଘ୍ର ପିଲାକୁ ଧରି ଫେରି ଆସ । ମୁଁ ଏବେ ସବୁବେଳେ ପ୍ରାୟ ଜମିବାଡିରେ ବ୍ୟସ୍ତ ରହିଛି । ମୁଁ ଏବେ ନିଜ ଭୁଲ୍ ବୁଝିପାରିଛି । ପୂର୍ବରୁ କରିଥିବା ଭୂଲ୍ ଯୋଗୁଁ ପଶ୍ଚାତାପ କରୁଛି ଓ ସେଥିପାଇଁ ମୁଁ ବଡ ଦୁଃଖିତ ।”
ସ୍ୱାମୀ ପାଖରୁ ଚିଠି ପାଇ ସୁକାନ୍ତି ବହୁତ ଖୁସି ହେଲା ସ୍ୱାମୀଙ୍କର ଏତେ ଶୀଘ୍ର ଏପରି ପରିବର୍ତ୍ତନ ହେବାରୁ ସେ ବଡ ଆଶ୍ଚର୍ଯ୍ୟ ହେଲା । ଏବେ ସେ ଆଉ ବିଳମ୍ବ ନ କରି ଛୁଆକୁ ଧରି ଘରକୁ ଫେରିବା ପାଇଁ ବ୍ୟବସ୍ଥା କଲା ।