ରଙ୍ଗନାଥ ଏବଂ ରାମନାଥ ଉଭୟେ ପଡୋଶୀ ଥିଲେ । ସେମାନଙ୍କ ଭିତରେ ଉତ୍ତମ ବନ୍ଧୁତା ଥିଲା । ରଂଗନାଥଙ୍କର ପୁଅ କାମ ଖୋଜୁଥିଲା । ସେ ବହୁ ଥର ଉଦ୍ୟମ କରି ବି ବିଫଳ ହୋଇଥିଲା । ଥରେ ସହରରେ ସେ ଗୋଟିଏ କାମ ପାଇବା ପ୍ରାୟ ନିଶ୍ଚିତ ହୋଇଯାଇଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତାହା ହରାଇଲା । ଫଳରେ ସମସ୍ତଙ୍କର ମନଦୁଃଖ ହେଲା ।
କିଛି ଦିନ ପରେ, ରଂଗନାଥର ପରିବାରକୁ ତାଙ୍କ ଝିଅ ଚନ୍ଦ୍ରମତି ପାଇଁ ବିବାହ ପ୍ରସ୍ତାବ ଆସିଲା । ଝିଅକୁ ଦେଖି ବନ୍ଧୁମାନଙ୍କର କଥାବାର୍ତ୍ତାରୁ ଯାହା ଜଣାପଡୁଥିଲା ସେମାନେ ବିବାହ ପାଇଁ ଆଗ୍ରହୀ । କିନ୍ତୁ ଖୁବ୍ ଶୀଘ୍ର ସେମାନେ ମଧ୍ୟସ୍ଥି ହାତରେ ଖବର ଦେଲେ ଯେ ସେମାନେ ଏହି ବିବାହ ପାଇଁ ମୋଟେ ଆଗ୍ରହୀ ନୁହଁନ୍ତି । ରଂଗନାଥ ଏ ଖବର ପାଇ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ ।
ପରବର୍ତ୍ତୀ ସମୟରେ ରାମନାଥ ପରିବାରକୁ ମଧ୍ୟ ତାଙ୍କର ଝିଅ ପଦ୍ମାବତୀ ପାଇଁ ବିବାହ ପ୍ରସ୍ତାବ ଆସିଲା । ପଦ୍ମାବତୀର ନିର୍ବନ୍ଧ କାର୍ଯ୍ୟ ଶେଷ ହେଲା । ମାତ୍ର ପରେ ବରଘର ବାହାଘର ଭାଂଗିଦେଲେ । ରାମନାଥ ଦୁଃଖରେ ଭାଂଗି ପଡିଲେ । ରଂଗନାଥ ତାଙ୍କୁ ସାନ୍ତ୍ୱନା ଦେଲେ ।
ରାମନାଥ ବନ୍ଧୁଙ୍କୁ କହିଲେ “ତୁମେ ମଧ୍ୟ ମୋ ପରି ସମାନ କଷ୍ଟ ପାଇଲ । କିନ୍ତୁ ତୁମେ କିପରି ନିଜକୁ ସମ୍ଭାଳି ନେଲ?”
ତହୁଁ ରଂଗନାଥ ହସିଦେଲେ ଏବଂ କହିଲେ, “ଯେତେବେଳେ ଆମେ ଉଚ୍ଚ ଆଶା ରଖୁ ଆମେ କଷ୍ଟ ଅନୁଭବ କରୁ । ଯେତେବେଳେ ମୁଁ କୌଣସି କାର୍ଯ୍ୟ ଆରମ୍ଭ କରେ, ମୁଁ ନିଜକୁ କହିଦିଏ ଯେ ମୁଁ ଯଦି ଏହି କାର୍ଯ୍ୟରେ ସଫଳ ନ ହୁଏ ବା ବିଫଳ ହୁଏ ତେବେ ନିରାଶ ହେବି ନାହିଁ । ଯାହା ବି କିଛି ଫଳ ମିଳିବ ତାହାକୁ ଗ୍ରହଣ କରିବାକୁ ଚେଷ୍ଟା କରିବି । ତେଣୁ ମୁଁ ମନଦୁଃଖ କରେ ନାହିଁ । ତୁମେ ମଧ୍ୟ ଏହି ନୀତି ଆପଣାଇବା ପାଇଁ ଚେଷ୍ଟା କର ଏବଂ ଫଳ ଦେଖ ।”