ସଖା କୃଷ୍ଣଙ୍କର ଏପରି କଥାରେ ପାଣ୍ଡବ ଶିବିର ଯଦିବା ଚିନ୍ତାଶୂନ୍ୟ ହେଲା, ତଥାପି ବି ବଡ ଭାଇଙ୍କର ଫେରିବା ପଥକୁ ଅପେକ୍ଷା ରହିଲା । ଏଣେ ଯୁଧିଷ୍ଠିର କୌରବ ଶିବିର ଆଡକୁ ଆସୁଥିବାର ଦେଖି କୌରାବାଧିପତି ଦୁର୍ଯ୍ୟୋଧନ ମନେ ମନେ ଆନନ୍ଦିତ ହେବାକୁ ଲାଗିଲେ ଏବଂ ସେ ଭାବୁଥିଲେ ଯେ, ଯୁଧିଷ୍ଠିର ତାଙ୍କ ପାଖକୁ କେବଳ ଭୟରେ ହିଁ ସନ୍ଧି ପ୍ରସ୍ତାବ ନେଇ ଆସୁଛନ୍ତି । ମାତ୍ର ଯେତେବେଳେ ଯୁଧିଷ୍ଠିର ସିଧା ପିତାମହ ଭୀଷ୍ମଙ୍କ ଶିବିର ଆଡକୁ ଚାଲିଗଲେ, ସେତେବେଳେ ତାଙ୍କ ଚିନ୍ତାଧାରାର ଯବନିକା ପଡିଲା । ଯୁଧିଷ୍ଠିର ଯାଇ ଭୀଷ୍ମଙ୍କ ପାଖରେ ପହଁଚିଲା ବେଳକୁ ପିତାମହ ଭୀଷ୍ମ ତାଙ୍କ ଶିବିରରେ ଅନ୍ୟ ମନସ୍କ ଥାଆନ୍ତି । ତେଣୁ ସେ ଯୁଧିଷ୍ଠିର ପ୍ରଥମେ ପିତାମହଙ୍କୁ ପ୍ରଣାମ କରିବା ପରେ ସେ ଚିନ୍ତାତ୍ୟାଗ କରି ଯୁଧିଷ୍ଠିରଙ୍କୁ ଦେଖି ହସି ଉଠିଲେ । ତା’ପରେ ଯୁଧିଷ୍ଠିର ତାଙ୍କ ଶିବିରରେ ପହଁଚିବାର କାରଣ ସହ ସେ ଯୁଦ୍ଧ ପାଇଁ କେତେ ଦୂର ପ୍ରସ୍ତୁତ ହୋଇଛନ୍ତି, ତାହା ବି ଜାଣିବା ପାଇଁ ଚାହିଁଲେ ପିତାମହ ଭୀଷ୍ମ । ଏଥିରେ ଉତ୍ତର ଦେଇ ଧର୍ମରାଜ କହିଲେ, ‘ପିତାମହ ! ଆପଣତ ଇଚ୍ଛା ମୃତ୍ୟୁର ବରପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କ ବିରୋଧରେ ଯୁଦ୍ଧ କରିବା କଥା ଚିନ୍ତା କରି ଅବଶ ହୋଇ ପଡୁଛି । ତେଣୁ ଆପଣଙ୍କ ଅନୁମତି ତଥା କଲ୍ୟାଣ ବିନା ଯୁଦ୍ଧ କରିବା ମୋ ପକ୍ଷରେ ସମ୍ଭବ ହେବ କିପରି? ଅତଏବ ଆପଣ କୃପାକରି ମୋତେ ଅନୁମତି ତଥା କଲ୍ୟାଣ କରନ୍ତୁ ।’
ଏ କଥା ଶୁଣିବା ପରେ ପିତାମହ ଭୀଷ୍ମ କହିଲେ, ‘ପୁତ୍ର ! ତୁମେ ତୁମର ଧର୍ମ ନିଷ୍ଠାର ସହ ପାଳନ କରୁଥିବା ହେତୁ ତୁମେ ତ ତାହା ପାଇବାର ଯୋଗ୍ୟ । ଆଉ ତୁମେ ଯଦି ଏତିକି କାର୍ଯ୍ୟ କରିପାରି ନ ଥାଆନ୍ତ, ତେବେ ତୁମେ କେବେ ବି ବିଜୟୀ ହୋଇ ପାରିବ ନାହିଁ । ତୁମେ ଆଜି ଯେଉଁ କାର୍ଯ୍ୟ କରିଛ, ସେଥିରେ ମୁଁ ଖୁବ୍ ପ୍ରୀତ । ଅର୍ଥାତ୍ ତୁମେ ଯୁଦ୍ଧ କର ଏବଂ ବିଜୟୀ ହୁଅ । ଏହାଛଡା ତୁମେ ତ ଜାଣିଛ ଯେ, ମୁଁ ପ୍ରତିଜ୍ଞାବଦ୍ଧ ତଥା କୌରବମାନଙ୍କ ଅନ୍ନରେ ପ୍ରତିପାଳିତ । ତେଣୁ ତୁମ ବିରୋଧରେ ମୁଁ ଅସ୍ତ୍ରଧରିବା ପାଇଁ ବାଧ୍ୟ । ତେବେ ମୋର ଗୋଟିଏ କଥା, ତୁମ ପକ୍ଷରେ ରହି ଯୁଦ୍ଧ କରିବା ପାଇଁ ପ୍ରାର୍ଥନା ନ କରି ଆଉ ଯେଉଁ ସବୁ ବିଷୟ ଚାହିଁବ, ତାହା ମୁଁ ନିଶ୍ଚୟ ପୂରଣ କରିବି ।
ଧର୍ମରାଜ କହିଲେ, ‘ଏକଥା ମୁଁ ଠିକ୍ ବୁଝିଛି ପିତାମହ । ତଥାପି ବି ଆପଣଙ୍କ ବିରୋଧରେ ଅସ୍ତ୍ର ଧରିବା ମୋ ପକ୍ଷରେ କେମିତି ସମ୍ଭବ ହେବ? ଏହାଶୁଣି ପିତାମହ ଭୀଷ୍ମ ଟିକିଏ ହସିଲେ ଆଉ କହିଲେ, ‘ହେ ପୁତ୍ର ! ତୁମେ ଆଜି ଯେଉଁ ବିଷୟ ନେଇ ଚିନ୍ତା କରୁଛ, ଯଥା ସମୟରେ ତା’ର ଉତ୍ତର ନିଶ୍ଚୟ ପାଇବ । ତେଣୁ ତୁମେ ସେଥିରେ ଆଦୌ ବିବ୍ରତ ହୁଅ ନାହିଁ । ଯାଅ, ଏବେ ନିଜ କାର୍ଯ୍ୟରେ ମନ ଦିଅ ।’