ପିତାମାତାଙ୍କ ପାଖରୁ ସମ୍ମତି ତଥା ଆଶୀର୍ବାଦ ଗ୍ରହଣ କରି ଧର୍ମରାଜ ଯୁଧିଷ୍ଠିର ସେହି ଶିବିରରୁ ଲେଉଟି ଆସିଲେ । ଏହାପରେ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଶିବିରକୁ ଗଲେ । କାରଣ ଦ୍ରୋଣାଚାର୍ଯ୍ୟ ଥିଲେ ସେମାନଙ୍କର ଶିକ୍ଷାଗୁରୁ । ଅତଏବ ଗୁରୁଙ୍କ ଆଜ୍ଞା ଓ ଆଶୀର୍ବାଦ ପ୍ରାର୍ଥନା କରିବା ଏକାନ୍ତ ଆବଶ୍ୟକ ବୋଲି ଚିନ୍ତାକରି ଯାଇ ତାଙ୍କ ଶିବିରରେ ପହଁଚିଲେ । ସେ ପ୍ରଥମେ ଗୁରୁଙ୍କର ପାଦବନ୍ଦନା କରିବା ପରେ ଆସନ୍ନ ଯୁଦ୍ଧ ନିମନ୍ତେ ସମ୍ମତି ଓ ଆଶୀର୍ବାଦ ପ୍ରାର୍ଥନା କଲେ । ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କ ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇ ତାଙ୍କୁ ଚାହିଁ ଟିକିଏ ହସି ଦେଲେ । ଯୁଧିଷ୍ଠିର ଅତ୍ୟନ୍ତ ବିନମ୍ରତାର ସହ କହିଲେ, ‘ଗୁରୁଦେବ ! ଆପଣ ହେଉଛନ୍ତି ଆମର ଶିକ୍ଷାଗୁରୁ । ପିତାମାତାଙ୍କ ପରେ ଆପଣଙ୍କ ସ୍ଥାନ ଉଚ୍ଚରେ ରହିଛି । ତେଣୁ ଆପଣ ଯଦି ଆମ ପ୍ରତି ସଦୟ ନ ହୁଅନ୍ତି, ତେବେ ଆମେ ଯୁଦ୍ଧକୁ ଯିବୁ କେମିତି?’
ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟ ଯୁଧିଷ୍ଠିରଙ୍କ ଏ ପ୍ରକାର କଥାକୁ ବେଶ୍ ବୁଝି ପାରିଲେ । ତା’ପରେ ସେ କହିଲେ, ‘ତୁମ ଆସିବାର ସମସ୍ତ ଉଦ୍ଧେଶ୍ୟକୁ ମୁଁ ଖୁବ୍ ଭଲ ଭାବରେ ବୁଝି ପାରୁଛି । ତେବେ ଏ କଥା ମଧ୍ୟ ସତ ଯେ, ଯେ ପର୍ଯ୍ୟନ୍ତ ମୋ ହାତରେ ଅସ୍ତ୍ର ଥିବ, ସେ ପର୍ଯ୍ୟନ୍ତ ମୋତେ କେହି ବି ଯୁଦ୍ଧରେ ପରାଜିତ କରି ପାରିବେ ନାହିଁ ।’
ଏହା ଶୁଣି ଯୁଧିଷ୍ଠିର ପଚାରିଲେ, ‘ତେବେ ଗୁରୁଦେବ ଆମେ ଯୁଦ୍ଧରେ ବିଜୟୀ ହେବୁ କିପରି? ଏ କଥା ପଚାରି ମଧ୍ୟ ଯୁଧିଷ୍ଠିର ଖୁବ୍ ଚିନ୍ତା କରୁଥାଆନ୍ତି ।’ କିନ୍ତୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମୁହଁରେ ହସ ଉକୁଟି ଉଠିଲା । ତାହା ଦେଖି ଯୁଧିଷ୍ଠିର ଆହୁରି ଚିନ୍ତିତ ହୋଇ ପଡୁଥାଆନ୍ତି । ତହୁଁ ଗୁରୁଦେବ କହିଲେ, ‘ବତ୍ସ ! ତୁମେ ଖୁବ୍ ଧାର୍ମିକ, ଏ ବିଷୟ ତ ମୁଁ ପ୍ରଥମରୁ ଜାଣିଛି । ସେଥିପାଇଁ ତୁମ ପ୍ରତି ମୋର ଦୟା ଆସୁଛି । ଆଉ ମୋର ଆଶୀର୍ବାଦ ରହିଛି । ତଥାପି ମୁଁ ଚିନ୍ତା କରୁଛି ।’
ସେତେବେଳେ ଯୁଧିଷ୍ଠିର ଗୁରୁଦେବଙ୍କ ସମ୍ମୁଖରେ ମୁଣ୍ଡପୋତି ବସିଲେ ସତ, ହେଲେ ଗୁରୁଦେବଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ଅପେକ୍ଷା କରିଥାଆନ୍ତି । ଏମିତି ପରିସ୍ଥିତି ମଧ୍ୟରେ ସେ ଗୁରୁଦେବ କହିଲେ, ‘ମନେରଖ ଯୁଧିଷ୍ଠିର ! ମୁଁ ଯଦି ଯୁଦ୍ଧ କ୍ଷେତ୍ରରେ କୌଣସି ପ୍ରକାର ଅପ୍ରିୟ ସମ୍ବାଦ ପାଏ, ତେବେ ସେହି ମୁହୂର୍ତ୍ତରେ ମୁଁ ଅସ୍ତ୍ରତ୍ୟାଗ କରିପାରେ । ଆଉ ଏହାହିଁ ହେଉଛି ମୋ ପାଇଁ ପରାଜୟର ସୂତ୍ର । ଏହାଛଡା ଆଉ କିଛି ଉପାୟ ଖୋଜିବା ତୁମ ପାଇଁ ଭୁଲ୍ ପଥ ହେବ । ଅତଏବ ମୋର କଥା ଗୁଡିକୁ ମନେରଖ ଏବଂ ଯାଇ ଯୁଦ୍ଧରେ ପ୍ରବେଶ କରିବା ପାଇଁ ଯଥା ସାଧ୍ୟ ଚେଷ୍ଟା କର । ଏବେ ସମୟକୁ ମୋଟେ ହାତଛଡା କରନାହିଁ । ଏହା ହିଁ ମୋର ତୁମ ପ୍ରତି ଆଶୀର୍ବାଦ ତଥା ଆଦେଶ ।’