ଏକଦା ଗୋଟିଏ ସମ୍ମିଳନୀରେ ବିଭିନ୍ନ ଧର୍ମର ଅନେକ ଆଧ୍ୟାତ୍ମିକ ଗୁରୁ ଏକାଠି ହୋଇଥାନ୍ତି । ସେମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଅପମାନ ଦେବା ଉଦ୍ଧେଶ୍ୟରେ ଶ୍ରୀମଦ୍ ଭଗବତ୍ ଗୀତାକୁ ସବା ତଳେ ରଖି ତା’ ଉପରେ ଅନ୍ୟ ସବୁ ଧର୍ମଗ୍ରନ୍ଥକୁ ସଜାଡି ରଖି ସ୍ୱାମୀଜୀଙ୍କୁ କହିଲେ, ସ୍ୱାମୀଜୀ, ଆପଣଙ୍କ ଗୀତା ତ ଟିକିଏ ପୁରୁଣାକାଳିଆ ହୋଇଗଲାଣି । ତେଣୁ ଆମେ ତାକୁ ସବାତଳେ ରଖିଦେଇଛୁ ।”
ଏଥିରେ ସ୍ୱାମୀଜୀ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ଚୁପ୍ ରହିଲେ । ପରେ ଯେତେବେଳେ ତାଙ୍କୁ କହିବାକୁ ସୁଯୋଗ ମିଳିଲା ସ୍ୱାମୀଜୀ ଅତ୍ୟନ୍ତ ନମ୍ରତାର ସହିତ କହିଲେ, “ଆପଣମାନେ ମୋତେ ଏବଂ ମୋ ଦେଶର ଧର୍ମଗ୍ରନ୍ଥ ଭଗବତ୍ ଗୀତାକୁ ଏତେ ସମ୍ମାନ ଦେଇଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୁଁ ଏବେ ଜାଣିପାରୁନି ଆପଣମାନଙ୍କୁ କିଭଳି ଭାବରେ ଧନ୍ୟବାଦ ଦେବି ।” ଏହାକହି ସ୍ୱାମୀଜୀ ସବାତଳେ ଥିବା ଭଗବତ୍ ଗୀତାକୁ ହାତରେ ଟାଣି ବାହାର କରିଦେଲେ । ଫଳରେ ତା’ଉପରେ ଥିବା ସମସ୍ତ ଧର୍ମଗ୍ରନ୍ଥ ତଳେ ବିଛାଡି ହୋଇ ପଡିଗଲା । ଏଥର ସ୍ୱାମୀଜୀ ପୁନଶ୍ଚ ବିନମ୍ର ଭାବରେ କହିଲେ, “ଦେଖନ୍ତୁ, ଭଗବତ୍ ଗୀତା ହେଉଛି ସବୁ ଧର୍ମର ଭିତିଭୂମି । ସେଇଟିକୁ ବାହାର କରି ଦେଲେ ଅନ୍ୟାନ୍ୟ ଧର୍ମଶାସ୍ତ୍ର ଓ ଧାର୍ମିକ ଭାବନା କଦାପି ମଧ୍ୟ ତିଷ୍ଠି ରହିପାରିବ ନାହିଁ । ଏହାର ଉଦାହରଣ ତ ବର୍ତ୍ତମାନ ଆପଣମାନେ ସ୍ୱଚକ୍ଷୁରେ ଦେଖିଲେ । ସୁତରାଂ ଭଗବତ୍ଗୀତାକୁ ଆପଣମାନେ ଏତେ ଉଚ୍ଚସ୍ଥାନ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଓ ସାଧୁବାଦ ଜଣାଉଛି ।
ସ୍ୱାମୀଜୀ କେବଳ ଜଣେ ଆଧ୍ୟାତ୍ମିକ ଗୁରୁ ନଥିଲେ । ସେ ଜଣେ ସଚ୍ଚା ଦେଶପ୍ରେମୀ ମଧ୍ୟ ଥିଲେ । ଯୁବକମାନଙ୍କୁ ସମ୍ବୋଧନ କରି ସେ କହୁଥିଲେ, “ଆମର ପ୍ରଥମ ଦେବତା ହେଉଛନ୍ତି ଆମର ଦେଶବାସୀ । ହେ ମୋର ନିର୍ଭୀକ ବନ୍ଧୁ! ମନରେ ଅସୀମ ଧୈର୍ଯ୍ୟ ରଖ, ଉତ୍ସାହିତ ହୁଅ ଏବଂ ଗର୍ବ କର ଯେ ତୁମେ ଜଣେ ଇଣ୍ଡିଆନ ବୋଲି । ଗର୍ବର ସହିତ ଘୋଷଣା କର ଯେ ତୁମେ ଇଣ୍ଡିଆନ ହୋଇଥିବାରୁ ପ୍ରତ୍ୟେକ ଇଣ୍ଡିଆନ ତୁମର ଭାଇ ଭାଇ ଆଉ ଇଣ୍ଡିଆ ହେଉଛି ତୁମର ଜୀବନ । ସୁତରାଂ ଇଣ୍ଡିଆର ମଙ୍ଗଳ ହିଁ ତୁମର ମଙ୍ଗଳ । ପ୍ରଭୁଙ୍କୁ ପ୍ରାର୍ଥନା କରି କୁହ, ପ୍ରଭୁ ମୋର ଦୁର୍ବଳତାକୁ ଦୂର କରିଦିଅ । ମୋ’ ମନରୁ କାପୁରୁଷତାକୁ ଦୂରକରି ମୋତେ ଗୋଟିଏ ଭଲ ମଣିଷ କରିଦିଅ ।”
ସ୍ୱାମୀଜୀ ପୁନଶ୍ଚ କହୁଥିଲେ, “ହେ ମୋ ଭାଇମାନେ! ଆସ ଆମେ ସମସ୍ତେ କଠିନ ପରିଶ୍ରମ କରିବା । ଏହା ଆଉ ଶୋଇବାର ବେଳ ନୁହେଁ, କାରଣ ଆମରି କାର୍ଯ୍ୟକଳାପ ଉପରେ ହିଁ ଆମ ଦେଶର ଭବିଷ୍ୟତ ନିର୍ଭର କରୁଛି । ଆମ ଇଣ୍ଡିଆ ମାତା ଆମକୁ ଅପେକ୍ଷା କରିରହିଛି । ଆମେ ତାକୁ ସୁପ୍ତାବସ୍ଥାରୁ ଉଠାଇ ଦେଇ ପୁନର୍ଜୀବିତ କରି ପୂର୍ବଠାରୁ ଅଧିକ ବିଭବଶାଳୀ ଓ ଗୌରବଶାଳୀ କରି ପାରିବା । ଆମେ ଧର୍ମକଥା ପରେ ଭାବିବା । ପ୍ରଥମେ ଅଧିକ ଶକ୍ତିଶାଳୀ ହୋଇ ଆମେ ଆମ ଇଣ୍ଡିଆମାତା ଓ ଦେଶବାସୀଙ୍କ ସେବା କରିବା ।”
ସ୍ୱାମୀଜୀଙ୍କ ଦେଶପ୍ରେମ ଓ ସ୍ୱାଭିମାନର କୌଣସି ତୁଳନା ନଥିଲା, ଯାହା କି ପୂର୍ବୋକ୍ତ ଉକ୍ତି ସୂଚେଇ ଦିଏ । ସେ ଥିଲେ ଆମ ଇଣ୍ଡିଆନ ସଂସ୍କୃତିର ବାର୍ତ୍ତାବହ ଓ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ରାଷ୍ଟ୍ରଦୂତ । ମାତ୍ର ସେ କେବେହେଲେ ହିଂସା ବା ଈର୍ଷାର ଆଶ୍ରୟ ନେଇ ନାହାଁନ୍ତି । ଆଜନ୍ମ ବ୍ରହ୍ମଚାରୀ ଭାବରେ ସେ ଥିଲେ ଅତ୍ୟନ୍ତ ଶକ୍ତିଶାଳୀ, ଶୁଦ୍ଧ ପବିତ୍ର ତଥା ଚରିତ୍ରବାନ ମଣିଷଟିଏ । ତେଣୁ ତାଙ୍କର ପ୍ରତିଭା ସର୍ବତ୍ର ସମ୍ମାନିତ ଓ ଆଦୃତ ହେଉଥିଲା ।