ଠିକ୍ ସେହିଦିନ ରାତିରେ ଜଣେ ଚୋର ହଜରତ୍ଙ୍କ ଘୋଡାଶାଳରେ ପଶିଲା । ସେ ବାଛି ବାଛି ଗୋଟିଏ ଭଲ ଘୋଡା ଚୋରି କରି ନେଇଯିବ ବୋଲି ତା’ମନରେ ସେ ବିଚାର କଲା । ଘୋଡାଶାଳରୁ ଘୋଡାମାନେ କୁଆଡେ ଚାଲିଯିବେ ବୋଲି ତାଙ୍କର ଆଗ ଓ ପଛଗୋଡକୁ ଅଲଗା ଅଲଗା ଦଉଡିରେ ଛନ୍ଦି ବନ୍ଧା ଯାଇଥାଏ ।
ସୁତରାଂ ଚୋରଟି ଏକ ନିର୍ଦ୍ଦିଷ୍ଟ ଘୋଡା ନେବାପାଇଁ ତା’ର ଆଗଗୋଡକୁ ପ୍ରଥମେ ଖୋଲିଲା । ତା’ପରେ ପଛଗୋଡ ଖୋଲି ନେବା ବେଳକୁ ଦେଖିଲା ଆଗଗୋଡ ପୁଣି ବାନ୍ଧି ହୋଇଗଲାଣି । ଏଥର ସେ ଗୋଟିଏ ପାଖର ଗୋଡ ଖୋଲୁଖୋଲୁ ଅନ୍ୟ ପାଖ ଗୋଡ ବାନ୍ଧି ହୋଇଯାଉଥାଏ । ରାତି ପାହିଗଲା ପଛକେ ମାତ୍ର ସେ ଚୋର ଘୋଡାର ଗୋଡ ଆଦୌ ଖୋଲିପାରିଲା ନାହିଁ ।
ସକାଳ ହେଲାରୁ ହଜରତ୍ ନିଦରୁ ଉଠି ମୁହଁ ହାତ ଧୋଇଲେ । ସବୁଦିନ ଭଳି ପ୍ରମୋଦଉଦ୍ୟାନ ଓ ଘୋଡାଶାଳ ବୁଲିବାକୁ ସେ ବାହାରିଲେ, ସେଠାରେ ସେ ଦେଖିଲେ ଜଣେ ଲୋକ ଘୋଡାର ଗୋଡ ଖୋଲିବାରେ ବ୍ୟସ୍ତ ରହିଛି । ସେହି ଲୋକ ପାଖକୁ ହଜରତ୍ ଯାଇ ପଚାରିଲେ, ଭାଇ! ତୁମେ କିଏ? ଏଠାରେ କ’ଣ କରୁଛ?
ଏକଥା ଶୁଣି ସେ ଚୋରଟି କହିଲା, “ମୁଁ ଜଣେ ଚୋର । ଏଠାରୁ ଗୋଟିଏ ଘୋଡା ଚୋରି କରି ନେଇଯିବାକୁ ଆସିଛି । ହେଲେ ରାତିସାରା ଘୋଡାର ଗୋଡ ଖୋଲିବା ପାଇଁ ମୁଁ ଚେଷ୍ଟାକରି ମଧ୍ୟ ଏଯାଏଁ ପାରିଲି ନାହିଁ । ତଥାପି ବି ମୁଁ ମୋର କାର୍ଯ୍ୟ ଜାରି ରଖିଛି ।”
ଚୋରଠାରୁ ଏଭଳି ସତ କଥା ଶୁଣି ହଜରତ୍ ଯେତିକି ଆଶ୍ଚର୍ଯ୍ୟ ହେଲେ ସେତିକି ଆନନ୍ଦିତ ମଧ୍ୟ ହେଲେ । କହିଲେ, “ଏବେ ମୁଁ ତୁମକୁ ସାହାଯ୍ୟ କରୁଛି । ଆମେ ଦୁହେଁ ଏକାବେଳକେ ବନ୍ଧନ ଖୋଲିଦେଲେ ଘୋଡାଟି ବନ୍ଧନ ମୁକ୍ତ ହୋଇଯିବ ।” ଏହା କହି ସେମାନେ ଦୁହେଁ ବନ୍ଧନ ଖୋଲିବାରେ ଲାଗିଗଲେ ।
ହଜରତ୍ ଏଥର ସେ ଚୋରକୁ କହିଲେ, “ତୁମେ ଏବେ ଏ ଘୋଡାଟିକୁ ନେଇପାର ।”
ଏକଥା ଶୁଣି ଚୋର ମନରେ ଭାବାନ୍ତର ସୃଷ୍ଟି ହେଲା । ସେ ଭାବିଲା ସତରେ ଏଇ ବ୍ୟକ୍ତିଜଣକ କେତେ ମହାନ୍? ମୋର କାର୍ଯ୍ୟ ଦେଖି ମୋର ଅପରାଧ ପାଇଁ ମୋତେ ଧରି ଦଣ୍ଡଦେବା ବଦଳରେ ନିଜର ମୂଲ୍ୟବାନ୍ ଘୋଡାଟିକୁ ମୋତେ ଦେଇ ସାହାଯ୍ୟ କରୁଛନ୍ତି । ସୁତରାଂ ଇଏ ମଣିଷ ନା ଦେବତା? ଏହାଙ୍କ ପାଖରେ ମୁଁ ନିଶ୍ଚୟ ପାପୀ । ଏହା ଭାବି ଚୋରର ହୃଦୟରେ ବିରାଟ ପରିବର୍ତ୍ତନ ଦେଖାଗଲା । ତା’ର ମନରୁ କୁଭାବନା ସବୁ ଦୂରେଇଯାଇ ମହାନ୍ ଭାବନା ଜାତ ହେଲା । ତତ୍କ୍ଷଣାତ୍ ଚୋରଟି ହଜରତ୍ଙ୍କ ପାଦତଳେ ପଡି କ୍ଷମା ପ୍ରାର୍ଥନା କଲା । କହିଲା, “ମୁଁ ଜୀବନସାରା ଅନେକ ପାପ କରିଛି । ମୋତେ ଏବେ ମୁକ୍ତିର ପଥ ଦେଖାଇଦିଅନ୍ତୁ ।”
ହଜରତ୍ ଏଥର ଜାଣିପାରିଲେ ଯେ, ଏବେ ଏ ପିଲାଟି ସବୁ ସତକଥା କହୁଛି । ତହୁଁ ସେ ଲୋକଟିକୁ ନୀତି ଜ୍ଞାନ ଆଦି ଶିକ୍ଷାଦେଇ ଜଣେ ସଚ୍ଚା ସନ୍ଥ କରିଦେଲେ । ଯେଉଁ ଲୋକମାନେ ପ୍ରବଚନ ଶୁଣିବାକୁ ଚାହୁଁଥିଲେ ସେହି ଗ୍ରାମକୁ ଏହି ସନ୍ଥଙ୍କୁ ସ୍ଥାୟୀ ଭାବରେ ପଠାଇଦେଲେ ପ୍ରବଚନ ଶୁଣାଇବା ଲାଗି । କଥାରେ ଅଛି –
“ସଜ୍ଜନ ସାଥିରେ ଦୁର୍ଜନ ମିଶିଲେ ଘଟିଥାଏ ତାର ପରିବର୍ତ୍ତନ
ଯାହାବଳେ ସେହି ଦୁର୍ଜନ ବ୍ୟକ୍ତିଟି ସତ୍ସଂଗ ଯୋଗୁଁ ହୁଏ ସଜ୍ଜନ ।”