ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଇର୍ସା ଅନର୍ଥର ମୂଳ କାରଣ

ପୂର୍ବ କାଳର କଥା । ଇରାବତୀ ନାମରେ ରାଜ୍ୟଟିଏ ଥିଲା । ସେହିଠାରେ ରାଜୁତି କରୁଥାଆନ୍ତି ରାଜା ପରିତ୍ୟାଗସେନ । ତାଙ୍କ ପ୍ରଜାମାନେ ବି ଅତ୍ୟନ୍ତ ସୁଖରେ ଥାଆନ୍ତି । ରାଜା ଥିଲେ ପ୍ରବଳ ପ୍ରତାପୀ । ତେଣୁ ପାଖପଡୋଶୀ ରାଜାମାନେ ଆଦୌ ସାହସ କରୁ ନ ଥିଲେ ରାଜା ପରିତ୍ୟାଗସେନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ଆଚରଣ କରିବା ପାଇଁ । ସେ ରାଜାଙ୍କର ଦୁଇରାଣୀ । ବଡରାଣୀ ମନୋରମା ଏବଂ ସାନରାଣୀ କାବ୍ୟାଳଙ୍କାରା । ସେ ଦୁଇରାଣୀ ରୂପରେ ଗୁଣରେ ଖୁବ୍ ସୁନ୍ଦରୀ । ସେମାନେ ମନ ଦେଇ ରାଜାଙ୍କୁ ସେବା କରୁଥାଆନ୍ତି ।

କିନ୍ତୁ ଏତେ ସୁଖ ମଧ୍ୟରେ କେଜାଣି କାହିଁକି ସେ ରାଜାରାଣୀଙ୍କ ମନରେ ଆଦୌ ଶାନ୍ତି ନ ଥାଏ । କାହିଁକି ନା ସେ ରାଜାଙ୍କର କୁଳ ଉଜ୍ଜ୍ୱଳ କରିବା ପାଇଁ ସନ୍ତାନଟିଏ ନାହିଁ । ତେଣୁ ସେ ଦୁଇରାଣୀ କେତେ ବ୍ରତ, ଉପବାସ କରୁଥାଆନ୍ତି । ଏଣେ ରାଜାଙ୍କର ମନରେ ତ ସବୁବେଳେ ଦୁଃଖ । ସେ ରାଜା ସର୍ବଦା ଭାବୁଥାନ୍ତି ଯେ, ଏତେ ବଡ ରାଜ୍ୟର ଉତ୍ତରାଧିକାରୀ କିଏ ହେବ? ରାଜ୍ୟର ଶାସନଭାର କାହାକୁ ଦେଇ ସେ ଟିକେ ଶାନ୍ତିରେ ଆଖି ବୁଜିବେ?

ରାଜାଥିଲେ ଚଣ୍ଡୀଙ୍କର ଭକ୍ତ । ପ୍ରତିଦିନ ଚଣ୍ଡୀଙ୍କର ପୂଜା ନକଲେ ରାଜା ଆଦୌ ଶାନ୍ତି ପାଉ ନ ଥିଲେ । ସର୍ବଦା ଅତି ବିକଳ ହୋଇ ରାଜା ଚଣ୍ଡୀଙ୍କୁ ପ୍ରାର୍ଥନା କରନ୍ତି ତାଙ୍କ କୋଳରେ ସନ୍ତାନଟିଏ ଦେବାପାଇଁ । ଦିନେ ସେ ରାଜା ଚଣ୍ଡୀଙ୍କ ମନ୍ଦିରରେ ଅଧିଆ ପଡିଥିଲେ । ଅଖିଆ ଅପିଆ ଚଣ୍ଡୀଙ୍କର ଆସନ ଟଳିଲା । ତେଣୁ ସେ ଚଣ୍ଡୀ ରାଜାଙ୍କୁ ସ୍ୱପ୍ନରେ ସାକ୍ଷାତ ଦେଇ କହିଲେ ଯେ, “ବତ୍ସ ! ଏ ଦୁଇଟି ଫଳ ନେଇ ତୁ ତୋ ଦୁଇ ରାଣୀଙ୍କୁ ଦେବୁ । ତାପରେ ଯାଇ ଦେଖିବୁ ସେମାନେ ଯଥା ସମୟରେ ସନ୍ତାନବତୀ ହେବେ ।”

ରାଜାଙ୍କର ସେହିକ୍ଷଣି ହଠାତ୍ ନିଦ ଭାଙ୍ଗିଗଲା । ସେ ଦେଖିଲେ, ସତକୁ ସତ ତାଙ୍କ ପାଖରେ ଦୁଇଟି ଫଳ ଥୁଆ ହୋଇଛି । ତାପରେ ସେ ଅତ୍ୟନ୍ତ କୃତକୃତ୍ୟ ହୋଇ ଚଣ୍ଡୀଙ୍କ ପାଇଁ ପ୍ରଣାମ ଜଣାଇଲେ ।

ତାପରେ ରାଜା ଫେରି ଆସିଲେ ତାଙ୍କ ନଅରକୁ । ସେ ତାଙ୍କ ଦୁଇରାଣୀଙ୍କୁ ପାଖକୁ ଡାକି ସ୍ୱପ୍ନ ବୃତାନ୍ତ ସବୁ କହିଲେ । ସମସ୍ତ କଥା ଶୁଣି ସାରିବା ପରେ ସେମାନଙ୍କର ଅର୍ଥାତ୍ ସେ ଦୁଇରାଣୀଙ୍କର ଆନନ୍ଦ ପୁଣି ଦେଖେ ଆଉ କିଏ? ତହୁଁ ସେମାନେ ବି ଖୁବ୍ ବ୍ୟାକୁଳ ହେଲେ ଦେବୀଙ୍କର ପ୍ରଦତ୍ତ ଫଳ ଲାଭ କରିବା ପାଇଁ । ରାଜା ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, “ଆଦୌ ବ୍ୟସ୍ତ ହୁଅ ନାହିଁ । ଠିକ୍ ସମୟରେ ତୁମ ପାଖରେ ଫଳଟି ପହଁଚିବ ।”

ରାଜା ପ୍ରଥମଦିନ ବଡରାଣୀଙ୍କ ମହଲରେ ଯାଇ ବିଶ୍ରାମ କଲେ । ତାଙ୍କୁ କହିଲେ, “ତୁମେ ସ୍ନାନ ସାରି ଠାକୁରାଣୀଙ୍କୁ ପୂଜା କରିବା ପରେ ଯାଇ ଏ ଫଳଟି ଗ୍ରହଣ କରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ