ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଇର୍ସା ଅନର୍ଥର ମୂଳ କାରଣ

ବଡରାଣୀ ବି ରାଜାଙ୍କ ଆଜ୍ଞାନୁସାରେ ସେହି ଫଳଟି ଆଣି ଖାଇଦେଲେ । ଆର ଫଳଟି ରାଜା ନିଜ ତକିଆ ତଳେ ଥୋଇ ଶୋଇପଡିଲେ । ବଡରାଣୀ ମନୋରମା ତାହା କିନ୍ତୁ ଲକ୍ଷ୍ୟ କରିଥିଲେ । ହଠାତ୍ ତାଙ୍କ ମନରେ ସାନରାଣୀଙ୍କ ପ୍ରତି ଟିକେ ଈର୍ଷା ହେଲା । ତେଣୁ ସେ ବିଚାରିଲେ, “ଆର ଫଳଟି ସେ ଖାଇଦେଲେ କାଳେ ତାଙ୍କର ଦୁଇଟି ସନ୍ତାନ ଆସିବେ । ତାପରେ ସେ ହେବେ ରାଜାଙ୍କର ଅତ୍ୟନ୍ତ ପ୍ରିୟ । ପୁଅ ନ ହେଲେ ସେ ସାନରାଣୀଙ୍କୁ କେହି ବି ଆଦୌ ପଚାରିବେ ନାହିଁ ।”

ଏହା ଭାବି ସତକୁ ସତ ମନୋରମା ରାଜାଙ୍କ ତକିଆତଳୁ ସେ ଫଳଟି ଆଣି ଖାଇଦେଲେ ।

ସକାଳୁ ଉଠି ସେ ରାଜା ଯେତେବେଳେ ତାଙ୍କ ସାନରାଣୀଙ୍କ ମହଲକୁ ଯିବା ପାଇଁ ବାହାରିଲେ, ତକିଆତଳୁ ଫଳଟି ଖୋଜିଲେ । ଆର ଫଳଟି କାହିଁ ବୋଲି ବଡରାଣୀଙ୍କୁ ରାଜା ପଚାରିଲେ । ଏପରି କଥା ଶୁଣି ବଡରାଣୀ ତାଙ୍କ ମନରେ ହସ ଫୁଟାଇ ଉତ୍ତର ଦେଲେ, “ମହାରାଜ ! ଫଳଟି ଭାରି ସୁଆଦ ଲାଗିଲା । ତେଣୁ ମୁଁ ଆର ଫଳଟି ବି ଖାଇଦେଲି ।”

ଏକଥା ଶୁଣି ସେ ରାଜାଙ୍କର ମନଟି ହଠାତ୍ ଶୁଖିଗଲା । ତାପରେ ଅତ୍ୟନ୍ତ ଦୁଃଖରେ ସେ ଭାଙ୍ଗିପଡିଲେ । ସାନରାଣୀଙ୍କୁ ଏବେ ସେ ରାଜା କି ଜବାବ୍ ଦେବେ ! ବଡରାଣୀ ମନୋରମାଙ୍କ ହୃଦୟରେ ଏତେ କପଟତା ଅଛି ବୋଲି ସେ ରାଜା ଅବା କିପରି ଅନୁମାନ କରିବେ !

ଏପରି ଭାବି ଭାବି ସେ ରାଜା ଯାଇ ପହଁଚିଲେ କାବ୍ୟାଳଙ୍କାରାଙ୍କ ମହଲରେ । ସେଠାରେ ସାନରାଣୀ ଓ ତାଙ୍କ ଦାସୀମାନେ ରାଜାଙ୍କୁ ବି ଅତ୍ୟନ୍ତ ଆଦରରେ ପାଛୋଟି ନେଲେ । ସେଠାରେ ସେମାନେ ଯତ୍ନର ସହିତ ରାଜାଙ୍କୁ ସମସ୍ତ ଚର୍ଚ୍ଚା କଲେ । ହେଲେ ସେ ରାଜାଙ୍କ ମନରେ ଆଦୌ ଟିକିଏ ବି ସୁଖ ନ ଥାଏ । ଏସବୁ ଅନୁମାନ କରି ସେ ସାନରାଣୀ ଅତ୍ୟନ୍ତ ବିଚଳିତ ହୋଇ ରାଜାଙ୍କୁ ପଚାରିଲେ – “ମହାରାଜ ! ଆପଣଙ୍କ ମନରେ ସରାଗ କାହିଁକି ନାହିଁ । ମୋତେ ସେ ସବୁକଥା ଖୋଲି କରି କହନ୍ତୁ ।”

ତାପରେ ରାଜା ତାଙ୍କ ବଡରାଣୀଙ୍କର ବ୍ୟବହାର କଥା ସବୁ ବର୍ଣ୍ଣନା କଲେ । ସେ ସାନରାଣୀ କେତେ ଆଶାରେ ଦେବୀଙ୍କର ଫଳ ପାଇବା ପାଇଁ ଅପେକ୍ଷା କରି ସ୍ୱପ୍ନ ଦେଖୁଥିଲେ, ସେ ଏଣିକି ମାଆ ହେବେ । ତାଙ୍କର କୋଳରେ ବି ସନ୍ତାନଟିଏ ହସି ଉଠିବ! ହେଲେ ଏସବୁ ଶୁଣି ହଠାତ୍ ତାଙ୍କର ସବୁ ସ୍ୱପ୍ନ କୁଆଡେ ଉଭେଇଗଲା । ତାପରେ ସେ ସାନରାଣୀ କେବଳ ନିଜର ଭାଗ୍ୟକୁ ନିନ୍ଦାକରି କାନ୍ଦିବାକୁ ଲାଗିଲେ ।

ଏଇମିତି କେତେ ମାସ ଚାଲିଗଲା । ଦିନେ ସେ ବଡରାଣୀ ମନୋରମାର କୋଳରେ ଜନ୍ମ ହେଲେ ଯାଆଁଳା ସନ୍ତାନ ଦୁଇଟି । ଦେଖିବାକୁ ସେମାନେ ଠିକ୍ ଚନ୍ଦ୍ରଉଦିଆ ପରି । ଏତେକାଳ ପରେ ସେ ରାଜାଙ୍କ ଘରେ ପୁଅ ହୋଇଛି । ତେଣୁ ସେ ରାଜମହଲରେ କେତେ ପ୍ରକାର ଉତ୍ସବ ଅନୁଷ୍ଠାନ ହେଲା । ପୁଅର ମାଆ ବୋଲି ସମସ୍ତଙ୍କର ଖୁବ୍ ଆଖି ସେ ବଡରାଣୀଙ୍କ ଉପରେ । ରାଜା ମଧ୍ୟ ଏହି ଉତ୍ସବରେ ଏପରି ମାତିଗଲେ ଯେ, ସେ ତାଙ୍କ ସାନରାଣୀଙ୍କୁ ସୁଦ୍ଧା ସ୍ମରଣ କଲେ ନାହିଁ । କଥାରେ ପରା ଅଛି, “ଦୈବର ଲିଖନ, କେ କରିବ ଆନ” ।

ଦୁଇ ପୁଅଙ୍କର ନାଁ ଦିଆହେଲା । ବଡପୁଅର ଆଖି ଦୁଇଟି ଠିକ୍ ପଦ୍ମ ଫୁଲପରି, ତେଣୁ ତାର ନାମ ରଖାଗଲା ଇନ୍ଦୀବରସେନ । କିନ୍ତୁ ଦ୍ୱିତୀୟ ପୁଅଟି ତ ସାନରାଣୀଙ୍କ କୋଳରେ ଆସିଥାଆନ୍ତା । ହେଲେ ଭାଗ୍ୟର ବିଡମ୍ବନା । ତାହା ତ ଆଦୌ ହୋଇପାରିଲା ନାହିଁ । ତେଣୁ ସେ ରାଜା ତାର ନାମ ରଖିଲେ ଅନିଚ୍ଛାସେନ ।

ଏଣିକି ସେ ବଡରାଣୀ ମନୋରମା ଖାଲି ପୁତ୍ର ଗର୍ବରେ ବାଟ ଚାଲୁଥାନ୍ତି । ତାଙ୍କରି କଥାରେ ସେ ରାଜା ବି ପରିଚାଳିତ । କିନ୍ତୁ ଏପଟେ ସାନରାଣୀ ଅବହେଳିତା ହୋଇ ଅତ୍ୟନ୍ତ ଦୁଃଖରେ ଥାଆନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ