ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଇର୍ସା ଅନର୍ଥର ମୂଳ କାରଣ

ଏଥର ନିଶ୍ଚିନ୍ତ ମନରେ ଅନିଚ୍ଛାସେନ ଯାଇ ରାଜରାଣୀଙ୍କୁ ସାକ୍ଷାତ କଲା । ଏତେଦିନ ପରେ ସାନପୁଅକୁ ଫେରିପାଇ ସେମାନେ ଅପୂର୍ବ ଶାନ୍ତି ଅନୁଭବ କଲେ । ବଡପୁଅ ମଧ୍ୟ ଏକ ଦୁର୍ଗ ରାଜ୍ୟରେ ରାଜୁତି କରୁଛି ଜାଣି ସେ ରାଜାରାଣୀ ବି ଆହୁରି ଖୁସି ହେଲେ ।

ଅନିଚ୍ଛାସେନ ଏଥର ତାଙ୍କ ବଡଭାଇଙ୍କ ପାଖକୁ ଫେରିଯିବାର କଥା । ହେଲେ ସେ ବଡରାଣୀ ମନୋରମା ତାଙ୍କ ପୁଅକୁ ଏକୁଟିଆ ଛାଡିଦେବାକୁ ଆଦୌ ରାଜି ହେଲେ ନାହିଁ । ତେଣୁ ରାଜାରାଣୀ ତାଙ୍କ ସାନପୁଅ ସହିତ ସେ ମନ୍ତ୍ର ବିମାନରେ ବସି ବାହାରିଲେ ଦୁର୍ଗ ନଗରୀକୁ ।

ଏହା ମଧ୍ୟରେ ପାତାଳି କାରାଗାରରେ ସାନରାଣୀଙ୍କୁ ତାଙ୍କ ଦାସୀମାନେ ସବୁକଥା ତ ଜଣାଉଥାନ୍ତି । ଦୁଇ ରାଜପୁତ୍ର ଜୀବନରେ ଅଛନ୍ତି ବୋଲି ଜାଣି ସେ ସାନରାଣୀ ଅତ୍ୟନ୍ତ ଭାଙ୍ଗିପଡିଲେ । ତାପରେ ସେ ଦେବୀ ଚଣ୍ଡୀଙ୍କୁ କେବଳ ଅନବରତ ପ୍ରାର୍ଥନା କରିବାକୁ ଲାଗିଲେ । ସେ ନିବେଦନ କଲେ – “ହେ ମା’ ଚଣ୍ଡୀ ! ଏ ତୋର କିପରି ନ୍ୟାୟ ! ମୋ ପ୍ରତି କପଟତା କରି ଆଜି ସେ ବଡରାଣୀ ପୁତ୍ରଗର୍ବିଣୀ, ତଥା ରାଜା ସୁହାଗିନୀ । କିନ୍ତୁ ମୁଁ ହେଲି ସନ୍ତାନହୀନା । ତାଫଳରେ ନାନା ଲାଂଛନାର ଶିକାର ମଧ୍ୟ ମୁଁ ହେଲି । ଏପରି ଏକ ଜୀବନ ଧରି ମୋର ବା ଆଉ ଲାଭ କ’ଣ?”

ଏସବୁ ଗୁହାରୀ ଶୁଣି ମା’ ଚଣ୍ଡୀଙ୍କର ସେ ସାନରାଣୀଙ୍କ ପ୍ରତି ଟିକେ ଦୟା ହେଲା । ତହୁଁ ସେ କାରାଗାର ମଧ୍ୟରେ ଦେଖାଦେଇ କହିଲେ – “ତୁ ଆଦୌ ବ୍ୟସ୍ତ ହୁଅ ନାହିଁ । ବାପ ମା’ଙ୍କର ଅନ୍ୟାୟ ତାଙ୍କ ସନ୍ତାନମାନେ ହିଁ ଭୋଗ କରିବେ । ଯାହାଫଳରେ ତୋର ସମସ୍ତ ଦୁଃଖ ଖୁବ୍ ଅଳ୍ପଦିନ ପରେ ହିଁ ଦୂର ହେବ ।”

ଏଣେ ଚଣ୍ଡୀ ସାନରାଣୀଙ୍କୁ ଏହି ବର ଦେଲାବେଳକୁ ତେଣେ ସେ ପଥର ଦୁର୍ଗରେ ବଡ ରାଜକୁମାର ବେହୋସ ହୋଇ ଶେଯରେ ସେମିତି ପଡିରହିଲେ । ଏସବୁ ଦେଖି ଦୁଇ ରାଜକୁମାରୀ ଖାଲି ଅତ୍ୟନ୍ତ ମନ ଦୁଃଖରେ କାଳ କାଟୁଥାଆନ୍ତି ।

ସାନପୁଅ ସହିତ ରାଜାରାଣୀ ଯାଇ ସେ ଦୁର୍ଗ ନଗରୀରେ ପହଁଚିଲେ । ସେମାନେ କେତେ ଆଶା କରିଥିଲେ ବଡପୁଅକୁ ଟିକେ ଭେଟିବେ ବୋଲି । କିନ୍ତୁ ସେ ତ ପ୍ରାଣହୀନ ଅବସ୍ଥାରେ ପଡିରହିଛି । ଏଣେ ତାଙ୍କ ରାଜନଅରରେ ଖାଲି ଶୋକର ଛାୟା । ସାନରାଜକୁମାର ସେ ମନ୍ତ୍ରଯାନରୁ ଓହ୍ଲାଇ ଯେମିତି ଟିକେ ବଡଭାଇକୁ ଛୁଇଁ ଦେଇଛି, ସେ ମଧ୍ୟ ସଙ୍ଗେ ସଙ୍ଗେ ପ୍ରାଣହୀନ ହୋଇ ସେଇଠି ପଡିରହିଲା । ଏସବୁ ଦେଖି ସେ ରାଜାରାଣୀ, ଓ ଦୁଇ ରାଜକୁମାରୀ ହଠାତ୍ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡିଲେ ।

ସେହିକ୍ଷଣି ରାଜା ରାଣୀ ମା’ ଚଣ୍ଡୀଙ୍କୁ ସ୍ମରଣ କରି ଅଧିଆ ପଡିଲେ । ତହୁଁ ଚଣ୍ଡୀ ତାଙ୍କୁ ସ୍ୱପ୍ନରେ କହିଲେ – “ତୁମେ ଦୁହେଁ ମୋର ଆଦେଶ ଅବଜ୍ଞା କଲ । ବଡରାଣୀ କପଟତା କରି ସାନରାଣୀଙ୍କୁ ଖୁବ୍ ଅପମାନିତ କଲା । ତା’ରି ଫଳ ଏବେ ତୁମେମାନେ ଭୋଗ କରୁଛ । ତୁରନ୍ତ ଯାଇ ସାନରାଣୀଙ୍କୁ ବନ୍ଦିଶାଳାରୁ ଉଦ୍ଧାର କର ଏବଂ ତାକୁ କ୍ଷମାଭିକ୍ଷା ବି କର । ସେ ଆଦର କରି ଏ ଦୁଇ ରାଜକୁମାରଙ୍କୁ ସ୍ପର୍ଶ କଲେ ଯାଇ ସେମାନେ ପୁଣି ତାଙ୍କ ଜୀବନ ଲାଭ କରିବେ ।”

ଏଥର ସେ ରାଜାରାଣୀ ନିଜର ସମସ୍ତ ଦୋଷ ସ୍ୱୀକାର କଲେ । ତାପରେ ସେ ମନ୍ତ୍ରଯାନରେ ଫେରିଯାଇ ସାନରାଣୀଙ୍କୁ କ୍ଷମା ମାଗିଲେ ଏବଂ ପୁଅ ଦୁହିଁଙ୍କୁ ଆଶୀର୍ବାଦ କରିବାକୁ ଖୁବ୍ ପ୍ରାର୍ଥନା କଲେ । ତାପରେ ଯାଇ ସେ ସାନରାଣୀଙ୍କର ସମସ୍ତ ଅଭିମାନ ତୁଟିଗଲା । ଏ ପୁଅ ଦୁହିଁଙ୍କ ପାଇଁ ମନ ତାଙ୍କର ଅତ୍ୟନ୍ତ ବ୍ୟାକୁଳ ହେଲା । ତାପରେ ସମସ୍ତେ ମନ୍ତ୍ରଯାନରେ ପୁଣି ଫେରିଆସିଲେ ସେ ଦୁର୍ଗପୁରୀକୁ । ସାନରାଣୀ ସେ ଦୁଇପୁଅଙ୍କ ମସ୍ତକରେ ଯେମିତି ଥରେ ହାତ ଦେଇଛନ୍ତି, ସେହିକ୍ଷଣି ସେମାନେ ନିଦରୁ ଉଠିଲା ପରି ଶୋଭା ପାଇଲେ । ପୁଅ ଦୁଇଜଣ ତାଙ୍କ ସାନମା’ଙ୍କ ପାଦତଳେ ପ୍ରଣାମ ଜଣାଇ ନିଜକୁ ଅହେତୁକ ଧନ୍ୟ ମନେ କଲେ ।

ଏଣେ ସାନପୁଅ ରାଣୀ ରତ୍ନମଞ୍ଜରୀଙ୍କ ସହିତ ରାଜୁତି କଲେ ଦୁର୍ଗ ନଗରୀରେ । ତେଣେ ବଡପୁଅ ମଦନମଞ୍ଜରୀ ସହିତ ନିଜ ରାଜ୍ୟକୁ ଫେରିଆସିଲେ ଏବଂ ପିତାଙ୍କ ଅନ୍ତେ ତାଙ୍କ ରାଜ୍ୟ ଶାସନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ