ବହୁତ ଦିନ ତଳର କଥା । ବାରାଣସୀ ସହରରେ ବ୍ରହ୍ମଦତ ବୋଲି ଜଣେ ରାଜା ଥିଲେ । ସେଇ ସହରରେ ଜଣେ ସେଠ୍ ରହୁଥିଲା । ତା’ର ନାମ ଇଲ୍ଲିସ । ଇଲ୍ଲିସ ପାଖରେ ବହୁତ ସୁନା ମୋହର ଥିଲା । ଗୁଡାଏ ଧନ ଥିଲେ କ’ଣ ହବ, ଲୋକଟା ନିହାତି ଅସୁନ୍ଦର ଥିଲା । ଇଲ୍ଲିସ ଥିଲା ଛୋଟା, କୁବ୍ଜା ଓ ଟେରା ।
ଇଲ୍ଲିସର ବାପା, ବଡବାପା ଓ ଜେଜେବାପାମାନେ ବାରାଣସୀ ସହରରେ ବହୁତ ନାମ କରିଥିଲେ । ସେମାନଙ୍କ ମନ ଧର୍ମରେ ଥିଲା । ସେମାନେ ଅତିଥିମାନଙ୍କ ରହିବା ପାଇଁ ଅନେକ ଘର ତିଆରି କରିଥିଲେ । ବାହାରୁ ଆସୁଥିବା ଲୋକମାନେ ସେଠାରେ ଆଶ୍ରା ନେଉଥିଲେ । ତା’ଛଡା ଅନେକ ଗରିବ ଲୋକ ବି ସେଠାରେ ରହୁଥିଲେ ।
ବାପା ଓ ବଡବାପାଙ୍କର ଏଇ ଭଲଗୁଣ ଇଲ୍ଲିସ ପାଖରେ ନଥିଲା । ସେ ଥିଲା ବଡ କୃପଣ ସ୍ୱଭାବର । ସେ ଗୋଟିଏ ପଇସା ବି ହାତଟେକି କାହାକୁ ଦେଉନଥିଲା । ନିଜେ ବି ଭଲ କରି ମୁଠାଏ ଖାଉନଥିଲା । ସେ ଭଗବାନ୍ଙ୍କୁ ମାନୁନଥିଲା । ଇଲ୍ଲିସ ବଡ ହେବାପରେ ଅତିଥିମାନଙ୍କ ରହିବାପାଇଁ ହୋଇଥିବା ଘରଗୁଡିକୁ ଭାଙ୍ଗିଦେଲା । ସେଠାରେ ଯେତେ ଗରିବଲୋକ ରହୁଥିଲେ ସେ ସମସ୍ତଙ୍କୁ ତଡିଦେଲା ।
ଇଲ୍ଲିସର ବାପ ତ ଜଣେ ଭଲ ମଣିଷ ଥିଲେ । ସେ ବଂଚିଥିବାବେଳେ ଲୋକମାନଙ୍କର କେତେ ଉପକାର କରିଥିଲେ । ତାଙ୍କ ଦୁଆରୁ କେହି ଖାଲି ହାତରେ ଫେରୁନଥିଲେ । ସେ ଗରିବଲୋକଙ୍କୁ ନିତି ଖାଇବାକୁ ଦେଉଥିଲେ । ରୋଗୀମାନଙ୍କର ଚିକିତ୍ସା ପାଇଁ ଔଷଧ ବାଂଟୁଥିଲେ । ଏଇ ସବୁ ପୁଣ୍ୟକାମ କରିଥିବାରୁ ବୁଢା ମଲା ପରେ ସ୍ୱର୍ଗରେ ରହିଥିଲେ । ସେ ସେଠାରେ ଇନ୍ଦ୍ର ହୋଇଥିଲେ ।