ବୁଢା ସ୍ୱର୍ଗରେ ଥାଇ ପୁଅର ଚାଲିଚଳଣି ଦେଖୁଥିଲେ । ସେ ଦେଖିଲେ ଯେ ପୁଅଟା ଭାରି କୃପଣ ହୋଇଚି । ନିଜ ପାଇଁ କି ଘରର ଲୋକଙ୍କ ପାଇଁ ପଇସାଟିଏ ବି ଖରଚ କରୁନି । ଗରିବଲୋକମାନଙ୍କୁ ମୁଠାଏ ଭିକ ମଧ୍ୟ ଦେଉନି- କାହାକୁ ଖାଇବାକୁ ଦେବା ତ ଦୂରର କଥା । ଅତିଥିମାନଙ୍କ ପାଇଁ ଥିବା ଘରଗୁଡିକ ଭାଙ୍ଗିଦେଲାଣି । ଖାଲି ପଇସା ସଂଚିବାରେ ଲାଗିଚି ।
ବୁଢା ସ୍ୱର୍ଗରେ ଥାଇ ଠିକ୍ କଲେ – ପୁଅକୁ ବାଟକୁ ଆଣିବା ଦରକାର । ଯେ ଯେପରି କାମ କରିବ ସେପରି ଫଳ ପାଇବ – ଏକଥା ତାକୁ ମୁଁ ଶିଖାଇଦେବି । ତା’ର କୃପଣ ସ୍ୱଭାବ ଆଗ ଭାଙ୍ଗିବି, ତା’ ହେଲେ ସେ ବାଟକୁ ଆସିବ ।
ଏମିତି ଭାବି ବୁଢା ମର୍ତ୍ୟକୁ ଆସିଲେ । ସେ ଠିକ୍ ତାଙ୍କ ପୁଅ ଇଲ୍ଲିସ ପରି ଦେଖାଯାଉଥିଲେ । ଠିକ୍ ଇଲ୍ଲିସ ପରି ସେ ଥିଲେ ଛୋଟା, କୁବ୍ଜା ଓ ଟେରା । ଇଲ୍ଲିସ ଓ ତାଙ୍କର ଚେହେରା ଭିତରେ କିଛି ଫରକ ନଥିଲା । ଏପରି ବେଶ ଧରି ବୁଢା ରାଜାଙ୍କ ପାଖକୁ ଗଲେ । ଉଆସର ଜଗୁଆଳୀକୁ କହିଲେ – ମୁଁ ଏଇ ସହରର ସେଠ୍ ଇଲ୍ଲିସ । ମୁଁ ଆସିଚି ରାଜାଙ୍କୁ ଦେଖାକରିବାକୁ । ତୁମେ ଯାଇ ରାଜାଙ୍କୁ ଖବର ଦିଅ ।
ଜଗୁଆଳୀ ଯାଇ ରାଜାଙ୍କୁ ଏକଥା ଜଣାଇଲା । ରାଜା ଆଦେଶଦେଲେ ଇଲ୍ଲିସ ସେଠ୍କୁ ତାଙ୍କ ପାଖକୁ ନେଇଆସିବାକୁ । ଜଗୁଆଳୀ ବୁଢାକୁ ନେଇ ରାଜାଙ୍କ ପାଖରେ ପହଁଚାଇଦେଲା । ବୁଢା ରାଜାଙ୍କୁ କହିଲେ – ମଣିମା ! ମୋ ଘରେ ବହୁତ ସୁନାମୋହର ଅଛି । ଆପଣ ତାକୁ ଆପଣଙ୍କ ଭଣ୍ଡାରକୁ ନେଇଆସନ୍ତୁ । ମୁଁ ସେସବୁ ଆପଣଙ୍କୁ ଦେଇଦେବି ।
ରାଜା କହିଲେ – ମୋ ଭଣ୍ଡାରରେ ବହୁତ ସୁନା ମୋହର ଅଛି, ମୋର ଆଉ ସେଗୁଡାକ ଦରକାର ନାହିଁ । ତା’ଛଡା ମୁଁ ତୁମର ଧନ କାହିଁକି ନେବି?
ବୁଢା କହିଲେ – ତା’ହେଲେ ମୁଁ ତାକୁ ଗରିବ ଲୋକମାନଙ୍କ ଭିତରେ ବାଂଟିଦେବି ।
ରାଜା ଉତ୍ତର ଦେଲେ – ତୁମର ଯାହା ମନ ତାହା କରିପାର । ମୋର ସେଥିରେ କିଛି କହିବାର ନାହିଁ ।