ବୁଢା ରାଜାଙ୍କ ପାଖରୁ ଫେରିଗଲେ । ସେ ଯାଇ ଇଲ୍ଲିସର ଘରେ ପହଁଚିଲେ । ଘରର ସମସ୍ତେ ତାଙ୍କୁ ଇଲ୍ଲିସ ବୋଲି ଭାବିଲେ । ଇଲ୍ଲିସ ରୂପ ଧରିଥିବା ଇନ୍ଦ୍ର ଜଣେ ଚାକରକୁ ଡାକି କହିଲେ- ତୁମେ ଦୁଆରମୁହଁରେ ଜଗିରହ । ମୋ ଚେହେରାର ଜଣେ ଲୋକ ଆସିବ । ଆସିଲେ ତାକୁ ମାଡଦେଇ ତଡିଦେବ । କଦାପି ଘରଭିତରକୁ ଛାଡିବନାହିଁ ।
ତା’ପରେ ଇଲ୍ଲିସର ବେଶ ଧରିଥିବା ଇନ୍ଦ୍ର ଘରର ଉପର ମହଲାକୁ ଚାଲିଗଲେ । ସେ ଇଲ୍ଲିସର ସ୍ତ୍ରୀକୁ କହିଲେ – ମୋର ମନ ଏବେ ବଦଳି ଯାଇଚି । ମୁଁ ଠିକ୍ କରିଚି ଯେ, ଏଣିକି ଧର୍ମ କାର୍ଯ୍ୟ କରିବି ।
ଏ କଥା ଶୁଣି ଇଲ୍ଲିସର ସ୍ତ୍ରୀ ଓ ଚାକରବାକରମାନେ ଖୁସୀ ହୋଇଗଲେ । ଇନ୍ଦ୍ର ଇଲ୍ଲିସର ଚାକରକୁ ଡାକି କହିଲେ – ତୁମେ ଯାଅ; ସହରରେ ନାଗରା ବଜାଇ କହ ଯେ, ଇଲ୍ଲିସ ସେଠ୍ ଆଜି ତାଙ୍କର ସବୁ ଟଙ୍କା, ସୁନା, ଲୁଗାପଟା ଓ ବାସନକୁସନ ବାଂଟିଦେବେ । ଯିଏ ଯାହା ମାଗିବ ସେ ତା ପାଇବ ।
ଚାକରଟି ଯାଇ ସହରରେ ବୁଲିବୁଲି ସେହିଭଳି ନାଗରା ଦେଲା । ଏ ଖବର ଶୁଣି ହଜାର ହଜାର ଲୋକ ଆସି ଇଲ୍ଲିସ ସେଠ୍ ଦୁଆରେ ଜମା ହୋଇଗଲେ । ଇନ୍ଦ୍ର ଭଣ୍ଡାରଘର ଖୋଲିଦେଲେ । ଲୋକମାନେ ନିଜ ଇଚ୍ଛାନୁସାରେ ଜିନିଷପତ୍ର ବୋହିନେଲେ । କିଏ ଅଖାରେ ପୂରାଇ ମୁଣ୍ଡରେ ମୁଣ୍ଡାଇ ସୁନା ରୁପା ନେଉଥିଲା ତ, କିଏ ଶଗଡରେ ଲଦି ନେଇ ଯାଉଥିଲା । ପୁଣି କିଏ ବଳଦ ଉପରେ ଜିନିଷପତ୍ର ଲଦି ନେଉଥିଲା ତ କିଏ ଘୋଡାପିଠିରେ ବୋହିନେଉଥିଲା ।
ଜଣେଲୋକ ଇଲ୍ଲିସର ଏକ ଶଗଡରେ ଲଦି ଜିନିଷ ନେଇ ଯାଉଥିଲା । ଶଗଡଟି ନଈ କୂଳେ କୂଳେ ଚାଲିଥିଲା । ଲୋକଟା କହୁଥିଲା – ଇଲ୍ଲିସସେଠ୍ର ମଙ୍ଗଳ ହେଉ । ସେ ଶହେବର୍ଷ ବଂଚୁ । ତାଙ୍କ ପାଇଁ ମୋର ବାକୀ ଜୀବନ ସୁଖରେ କଟିବ । ଇଲ୍ଲିସସେଠ୍ ପରି ଦୟାଳୁ ଲୋକ ସଂସାରରେ ଆଉ କେହି ନାହିଁ ।