ଘରେ ଏ ଘଟଣା ଘଟିଲା ବେଳେ ଇଲ୍ଲିସ ନଥିଲା । ସେ ବାହାରକୁ ଯାଇଥିଲା । ଘରକୁ ଫେରୁଥିବା ବେଳେ ସେ ଦେଖିଲା ଯେ ତା’ରି ଶଗଡ ଓ ବଳଦ ନେଇ ଲୋକଟା ଯାଉଛି ଓ ଶଗଡରେ ତା ଘରର ଜିନିଷପତ୍ର ଲଦାହୋଇଛି । ଘଟଣା କ’ଣ ସେ କିଛି ବୁଝିପାରିଲା ନି । ସେ ଭାବିଲା – ରାଜା କ’ଣ ମୋର ସବୁ ଧନ ଲୁଟିକରି ଲୋକଙ୍କୁ ବାଂଟିଦେଲେ କି? ମୁଁ ତ କିଛି ଦୋଷ କରିନି – ତେବେ ରାଜା ଏପରି କଲେ କାହିଁକି?
ଇଲ୍ଲିସ ଦଉଡିଯାଇ ଶଗଡକୁ ଅଟକାଇଲା । କହିଲା – “ଆରେ, ତୁ କିଏ ମୋ ଶଗଡ ନେଇ ପଳାଉଚୁ?”
ଲୋକଟା ଇଲ୍ଲିସକୁ ଏକ ଧକ୍କାମାରି କହିଲା – “ତୁ କିଏରେ କହିବାକୁ? ଇଲ୍ଲିସ ସେଠ୍ ଆଜି ତାଙ୍କର ସବୁ ଧନ, ବାସନକୁସନ ଓ ଲୁଗାପଟା ଲୋକମାନଙ୍କୁ ଡାକି ବାଂଟିଦେଉଚନ୍ତି । ତୋର ଇଚ୍ଛା ହେଲେ ତୁ ଯାଇ ଆଣିପାରୁ । ମୋ ବାଟ କାହିଁକି ଅଟକାଉଚୁ?”
ଏହା କହି ଲୋକଟା ଶଗଡ ନେଇ ଆଗେଇଲା । ଇଲ୍ଲିସ ପୁଣି ଯାଇ ତା ବାଟ ରୋକିଲା । ଏହା ଦେଖି ଲୋକଟା ଇଲ୍ଲିସକୁ ଖୁବ୍ ମାଡ ଦେଲା ଓ ତାକୁ ରାସ୍ତା ଉପରୁ ତଳକୁ ପେଲିଦେଲା ।
ତା’ପରେ ଇଲ୍ଲିସ ନିଜ ଘରକୁ ଧାଇଁଗଲା । ସେଠାରେ ପହଁଚି ସେ ଯାହା ଦେଖିଲା ସେଥିରେ ତା’ର ବୁଦ୍ଧି ବଣା ହୋଇଗଲା । ସେ ଦେଖିଲା ଲୋକମାନେ ତା’ର ଟଙ୍କା, ସୁନା, ଲୁଗାପଟା, ଧାନମୁଗ ଆଦି ଜିନିଷ ବୋହିନେବାରେ ଲାଗିଛନ୍ତି । ସେ ସମସ୍ତଙ୍କୁ ଅଟକାଇବା ପାଇଁ ଚେଷ୍ଟାକଲା । ସେମାନେ ତାକୁ ନିସ୍ତୁକ ମାଡ ଚଢାଇଲେ । ତା’ର ଦେହସାରା ମାଡରେ ଫୁଲିଗଲା । ଦେହର କେତେ ଜାଗାରୁ ରକ୍ତ ବାହାରି ପଡିଲା ।
ନିଜକୁ ମାଡରୁ ବଂଚାଇବା ପାଇଁ ଇଲ୍ଲିସ ଘର ଭିତରକୁ ପଶିବ ବୋଲି ଦଉଡିଲା । ଦୁଆର ମୁହଁରେ ତ ଚାକର ଜଗିବସିଥିଲା – ସେ ତାକୁ ଭିତରକୁ ଯିବା ପାଇଁ ଛାଡିଲା ନି । ତାକୁ ମାଡଦେଇ ଦୂରକୁ ତଡିଦେଲା ।
ଇଲ୍ଲିସ ଆଉ ବା କ’ଣ କରିବ? ସେ ଠିକ୍ କଲା ଯେ ରାଜାଙ୍କୁ ତା’ର ଗୁହାରି ଜଣାଇବ । ସେ ରାଜାଙ୍କ ପାଖକୁ ଗଲା ଓ କହିଲା – “ମଣିମା, ମୋର କ’ଣ ଦୋଷ ହେଲା ଯେ, ଆପଣ ମୋର ସବୁ ଧନ ବାଂଟି-ଦେଉଚନ୍ତି?”
ରାଜା କହିଲେ – “ତୁମେ ତ ନିଜେ ମୋ ପାଖକୁ ଆସି ତୁମର ସବୁ ଧନସମ୍ପତ୍ତି ମତେ ଦେଇଦେବ ବୋଲି କହୁଥିଲ । ମୁଁ ନେବାକୁ ମନାକରିବାରୁ ତୁମେ କହିଲ ଯେ, ସବୁ ଧନ ଗରିବମାନଙ୍କ ଭିତରେ ବାଂଟିଦେବ । ସେଇ କଥା ମଧ୍ୟ ତୁମେ ନାଗରା ଦେଇ ସହରରେ ଜଣାଇଦେଇଥିଲ । ଆଉ ଏବେ ମତେ କ’ଣ ଦୋଷ ଦେଉଚ?”