ଏକଥା ଶୁଣି ସେହି ବ୍ୟକ୍ତିର ମୁହଁ ଶୁଖିଗଲା । ସେ କହିଲେ, “ଆଜ୍ଞା ! ଇଏ କେମିତିକା କଥା? ମୁଁ ଏତେ କଷ୍ଟ କରି ଏଠାକୁ ଆସି ମୋ ସ୍ତ୍ରୀର ଆତ୍ମାର ସଦ୍ ଗତି ପାଇଁ ଅନୁରୋଧ କଲି ଅଥଚ ଆପଣ ସମସ୍ତଙ୍କ ପାଇଁ ଭଗବାନଙ୍କୁ ଡାକିଲେ । ଭଗବାନ କାହା କଥା ଶୁଣିବେ । ଫଳରେ ଏଥିରେ ମୋର କ’ଣ ଲାଭ ହେଲା? ସୁତରାଂ ଦୟା କରି ଆପଣ ଆଉଥରେ କେବଳ ମୋର ପରଲୋକଗତା ସ୍ତ୍ରୀର ଲାଭ ପାଇଁ ସ୍ୱତନ୍ତ୍ର ଭାବରେ ମନ୍ତ୍ରପାଠ କରନ୍ତୁ । ଏଥିପାଇଁ ଯେତେ ଟଙ୍କା ଲାଗିବ ମୁଁ ଦେବାକୁ ପ୍ରସ୍ତୁତ ଅଛି ।”
ପୂଜକ ଏହାଶୁଣି ଟିକିଏ ହସିଦେଇ କହିଲେ, “ବାବୁ ! ଯେଉଁମାନେ ଏହି ମହାନ୍ ମନ୍ତ୍ରର ପରିକଳ୍ପନା କରିଛନ୍ତି ଓ ଲେଖିଛନ୍ତି ସେମାନେ ସମସ୍ତଙ୍କର ମଙ୍ଗଳ ପାଇଁ ଏହା କରିଛନ୍ତି । ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ପାଇଁ ଏହା ଉଦ୍ଧିଷ୍ଟ ନୁହେଁ ।” ସୁତରାଂ ମୁଁ ଏମିତି ଜଣେ ବ୍ୟକ୍ତି ପାଇଁ ଏଭଳି ମନ୍ତ୍ର ଉଚ୍ଚାରଣ କରିପାରିବି ନାହିଁ । ଏବେ ତୁମେ ଯାଇପାର ।”
ଏକଥା ଶୁଣି ବ୍ୟକ୍ତି ଜଣକ ଟିକିଏ ନୀରବ ରହିଲେ । ତା’ପରେ କହିଲେ, “ହଉ ଠିକ୍ ଅଛି । ଆପଣଙ୍କ ଇଚ୍ଛା ଅନ୍ୟମାନେ ବି ମନ୍ତ୍ର ପାଠରୁ ଲାଭ ପାଆନ୍ତୁ । ହେଲେ ମୋର ଗୋଟିଏ ଅନୁରୋଧ ରକ୍ଷା କରିବେ । ତାହା ହେଲା – ମୋର ପଡୋଶୀର ସ୍ତ୍ରୀଟି ଭାରି ବଦମାସ୍ । ତା’ଉପରେ ମୋର ପତ୍ନୀ ସର୍ବଦା ଚିଡୁଥିଲେ । ତେଣୁ ସମସ୍ତେ ମନ୍ତ୍ର ପାଠରୁ ଲାଭ ପାଆନ୍ତୁ ପଛକେ ପଡୋଶୀର ପତ୍ନୀ ଏହି ଲାଭ ନ ପାଉ, ଦୟାକରି ଏହି ବ୍ୟବସ୍ଥା କରାଇ ଦିଅନ୍ତୁ ।”
ଏହାଶୁଣି ପୂଜକ ଜଣକ କ’ଣ କରିବେ ଠିକ୍ କରି ପାରିଲେ ନାହିଁ । ଶେଷରେ ବୁଝିଗଲେ ଯେ, ଈର୍ଷା ଓ ସ୍ୱାର୍ଥପରତା ଯୋଗୁଁ ଲୋକଟି ତା’ର ମଣିଷ, ପଣିଆ ହରାଇ ଦେଇ ଏଭଳି କହୁଛି । ସୁତରାଂ ପୂଜକ ଏବେ ଅନ୍ୟ ଏକ ଉଦାହରଣ ମାଧ୍ୟମରେ ଲୋକଟିକୁ ବୁଝାଇଦେଲେ ଯେ ଈର୍ଷା ଓ ସ୍ୱାର୍ଥପରତା ମଣିଷର ବଡ ଶତ୍ରୁ । ଯେଉଁମାନେ ଏହାଠାରୁ ଦୂରେଇ ରହିଯାଇଛନ୍ତି ସେମାନେ ଜୀବନରେ ବଡ ମଣିଷ ହୋଇପାରିଛନ୍ତି । ଏହାର ଦୃଷ୍ଟାନ୍ତ ବଡ ମଣିଷଙ୍କ ଜୀବନୀ ପଢିଲେ ଜାଣିପାରିବ ।
ଶେଷରେ ଲୋକଟି ନିଜର ଭୁଲ୍ ବୁଝି ପାରିଲା ଓ ସେହିଦିନଠାରୁ ପରୋପକାରରେ ମନଦେଲା ।