ଶ୍ରୀପୁରର ଜମିଦାରଙ୍କ ପାଖକୁ କେହି ଚାକିରୀ ଖୋଜି ଗଲେ ସେ ପ୍ରଥମେ ତିନିଟି ପ୍ରଶ୍ନ ପଚାରନ୍ତି । ଯଦି ସନ୍ତୋଷଜନକ ଉତ୍ତର ପାଆନ୍ତି ତେବେ ସେ ତାକୁ ଚାକିରୀ ଦିଅନ୍ତି ।
ଥରେ ରୁଦ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ପାଖରେ ଚାକିରୀ କରିବା ଆଶାରେ ଆସି ପହଁଚିଲା । ଜମିଦାର ତାକୁ ଭଲ ଭାବରେ ଚାହିଁ ଦେଖିଲେ ଓ କହିଲେ, “କୁହ ଏମିତି କିଛି ଜିନିଷ ଅଛି ଯାହାକୁ କି ଥରେ ହଜାଇଲେ ମଧ୍ୟ ପୁଣି ତାକୁ ପାଇ ହୁଏ ।”
ରୁଦ୍ର ଉତ୍ତର ଦେଲା “ପଇସା ।”
ଜମିଦାର ଦ୍ୱିତୀୟ ପ୍ରଶ୍ନ କଲେ “ଏପରି ଏକ ଜିନିଷର ନାମ କୁହ ଯାହା ଥରେ ଚାଲିଗଲେ ଆଉ କେବେବି ତାହା ମିଳେ ନାହିଁ ।”
ରୁଦ୍ର କହିଲା “ରାତିଦିନ ।”
ଜମିଦାର ତୃତୀୟ ପ୍ରଶ୍ନ କଲେ “ସାହାଯ୍ୟ ପାଇଥିବା ବ୍ୟକ୍ତି କେତେଦିନ ପର୍ଯ୍ୟନ୍ତ ସାହାଯ୍ୟକାରୀ ପାଖରେ କୃତଜ୍ଞ ରହିବ?”
ରୁଦ୍ର ଉତ୍ତର ଦେଲା – “ସାରା ଜୀବନ”
ଜମିଦାର ରୁଦ୍ରର ଉତ୍ତରରେ ଭାରି ଖୁସି ହୋଇଯାଇ ତାକୁ ସେ ଚାକିରୀରେ ରଖିଲେ । କିଛିଦିନ ପରେ ଜମିଦାର ଜାଣିପାରିଲେ ଯେ ସେ ଭଲକରି ଶୁଣିପାରେ ନାହିଁ । ଜମିଦାର ଚମକି ଉଠିଲେ । ଦିନେ ରୁଦ୍ରକୁ ଡାକି ଉଚ୍ଚ କଣ୍ଠରେ ସେ ପଚାରିଲେ, “ସେଦିନ ମୋ ପ୍ରଶ୍ନର ଉତ୍ତର କିପରି ଦେଲ?”
ତହୁଁ ରୁଦ୍ର କହିଲା, “ହଜୁର, ଆପଣ ସେଦିନ ମୋତେ ଯେଉଁ ତିନୋଟି ପ୍ରଶ୍ନ ପଚାରିଥିଲେ ଓ ମୁଁ ସେସବୁର ଉତ୍ତର ଦେଲି, ସେଗୁଡିକ ମୋର ଏବେବି ପୁରା ମନେ ଅଛି । ଆପଣ ପଚାରିଲେ ମୋର କ’ଣ ଦରକାର । ମୁଁ କହିଲି ‘ପଇସା’ । ଆପଣ ପଚାରିଲେ କେଉଁ ସମୟରେ କାମ କରିବୁ । ମୁଁ କହିଲି ‘ରାତିଦିନ’ । ଆପଣ ପଚାରିଲେ କେତେଦିନ ପର୍ଯ୍ୟନ୍ତ କାମ କରିବୁ । ମୁଁ କହିଲି ‘ସାରା ଜୀବନ’ ।”
ପ୍ରକୃତ ଘଟଣା କ’ଣ ତାହା ଏବେ ଜମିଦାର ଭଲଭାବେ ସବୁକିଛି ବୁଝିଗଲେ । ସେ ହସି ହସି କହିଲେ, “ବାଃ, ଖୁବ୍ ଚମତ୍କାର । ଏହିଭଳି ଲୋକ ମୁଁ ଚାହେଁ । ଏହାକୁହିଁ କହନ୍ତି ଈଶ୍ୱରଙ୍କ ଇଚ୍ଛା ।”