ମହାନନ୍ଦ ସନ୍ଦେହ ପ୍ରକାଶ କରି ପଚାରିଲେ “ଯଦି ତୁମ କଥା ସତ ନ ହୁଏ ତେବେ?
ତା’ପରେ ସେ ବୃଦ୍ଧ କହିଲେ “ତେବେ ତୁମେ ମୋତେ ହଜାର ମୁଦ୍ରା ଦେବ ନାହିଁ, ମୁଁ ବରଂ ତୁମକୁ ଏକ ହଜାର ମୁଦ୍ରା ଦେବି ।”
ତଥାପି ମଧ୍ୟ ମହାନନ୍ଦଙ୍କ ମନରେ ସନ୍ଦେହ ରହିବାରୁ ବୃଦ୍ଧ ନିଜର କହିଥିବା କଥାକୁ ଲେଖି ସେଥିରେ ଦସ୍ତଖତ କରିଦେଲେ । ଏଥର ମହାନନ୍ଦଙ୍କର ବିଶ୍ୱାସ ହୋଇଗଲା ଏବଂ ସେ ବୃଦ୍ଧଙ୍କ ପାଖରେ ତରବାରୀଚାଳନା ଅଧିକ ଭଲ ଭାବରେ ଶିଖିବାକୁ ଲାଗିଲେ ।
ମହାନନ୍ଦ ଜାଣି ନଥିଲେ କି ସେଥିରେ କିଛି ରହସ୍ୟ ରହିଛି । କଥା ହେଲା କ’ଣ କି ଏଣେ ଉଗ୍ରସେନ କେତେ ଦିନ ଧରି ଭାବୁଥିଲେ କି ସଦାବେଳେ ତ ତାଙ୍କର ବିଜୟ ହେଉଛି, ଥରେ ହାରିଯାଇ ପରାଜୟର ଅନୁଭୂତି ହେଲେ କିପରି ହୁଅନ୍ତା । ଏହି ବିଷୟଟି ଥରେ ସେ ସେହି ବୃଦ୍ଧଙ୍କୁ କହିଥିଲେ । ଏବଂ ପୁଣି କହିଥିଲେ ଯେ ସେ ଜଣେ ଯୋଗ୍ୟବ୍ୟକ୍ତି ପାଖରେ ହାରିବା ଉଚିତ୍ । ସେପରି ଯୋଗ୍ୟ ବ୍ୟକ୍ତି ଖୋଜି ବାହାର କରିବାର ଦାଇତ୍ତ୍ଵ ଉଗ୍ରସେନ ବୃଦ୍ଧଙ୍କ ଉପରେ ସମର୍ପଣ କରିଥିଲେ । ବୃଦ୍ଧ କିଛିଦିନ ଧରି ଯୋଗ୍ୟ ବ୍ୟକ୍ତି ଖୋଜି ଖୋଜି ଶେଷରେ ବୈରାଗୀଙ୍କ ଦ୍ୱାରା ବୁଟିପ୍ରାପ୍ତ ମହାନନ୍ଦଙ୍କୁହିଁ ପାଇଲେ । ସପ୍ତାହକ ପରେ ମହାନନ୍ଦ ଉଗ୍ରସେନଙ୍କୁ ଆହ୍ୱାନ କଲେ । ଅନେକ ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କର ଘମାଘୋଟ ଯୁଦ୍ଧ ହେଲା । ବୁଟିର ପ୍ରଭାବରେ ହେଉ ବା ବିଶ୍ୱାସ ଯୋଗୁଁ ହେଉ, ମହାନନ୍ଦ ଯୁଦ୍ଧରେ ବିଜୟୀ ହେଲେ, ସେଦିନର ଯୁଦ୍ଧରେ ମହାନନ୍ଦ ନିଜର କୌଶଳ ଦେଖାଇଲେ, ଉଗ୍ରସେନ ମଧ୍ୟ ସେହିସବୁ କୌଶଳର ଭୂୟସୀ ପ୍ରଶଂସା କଲେ । ଦିନକ ମଧ୍ୟରେ ସମସ୍ତେ ତାଙ୍କୁ ମହାବୀର ବୋଲି କହିବାକୁ ଲାଗିଲେ । ଲୋକମାନେ ତାଙ୍କ ସହିତ କଥା କହିବା ପାଇଁ ଧାଇଁଲେ । ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଓ ପ୍ରଶଂସା କଲେ । ସର୍ତ୍ତ ଅନୁସାରେ ମହାନନ୍ଦ ବୃଦ୍ଧଙ୍କୁ ହଜାରେ ମୁଦ୍ରା ଦେଲେ ।
ଏହି ଖବର ଶୁଣିବା ମାତ୍ରେ ଅନ୍ୟସ୍ଥାନରେ ବୀରମାନେ ଖଣ୍ଡାଯୁଦ୍ଧ କରିବାକୁ ଚନ୍ଦନପୁର ଆସିଲେ । ସେମାନେ ତ ପୂର୍ବରୁ ଉଗ୍ରସେନଙ୍କ ପାଖରେ ହାରିଥା’ନ୍ତି । ସେମାନେ ଜାଣିଥିଲେ କି ଖଡ୍ଗଚାଳନା କୌଶଳରେ ଉଗ୍ରସେନଙ୍କୁ କେହିବି ଜିତି ପାରିବ ନାହିଁ । ତେଣୁ ସେମାନେ କହିଲେ ଯେ ଏବେ ବୟସ ହେଲାଣି; ତେଣୁ ହୁଏତ ତାଙ୍କର ବଳହାନୀ ହେଲାଣି ଓ କେବଳ ସେଇଥିପାଇଁ ମହାନନ୍ଦ ଜିତିଗଲେ ।
ସେମାନଙ୍କର ଇଚ୍ଛାଥାଏ ଯେ ଥରେ ହେଉ ପଛେ ଯେମିତି ହେଲେ ମଧ୍ୟ ସେମାନେ ସେ ଉଗ୍ରସେନଙ୍କୁ ହରାନ୍ତେ । ଏଣିକି ସେମାନେ ଭାବିଲେଣି ଯେ ଉଗ୍ରସେନଙ୍କୁ ହରାଇବା ସମ୍ଭବ । ତେଣୁ ସେମାନେ ଉଗ୍ରସେନଙ୍କୁ ଯୁଦ୍ଧର ଆହ୍ୱାନ ଦେବାରେ ଲାଗିଲେ । ଉଗ୍ରସେନ ସେମାନଙ୍କ କଥାକୁ ମୋଟେ ଖାତିର୍ କରୁନଥିଲେ । ଶାନ୍ତ ଭାବରେ ସେ ସେମାନଙ୍କୁ କହିଲେ, “ମୁଁ ପରାଜିତ ହୋଇ ଅସ୍ଥିର ହୋଇ ପଡିଛି । ମୋର ଆତ୍ମବିଶ୍ୱାସ କମ୍ ହୋଇଯାଇଛି । ତେଣୁ ମୋତେ ଶାନ୍ତିରେ ରହିବାକୁ ଛାଡିଦିଅ । ଏବେ ଯାଇ ମହାନନ୍ଦ ସହିତ ଲଢେଇ କରି ନିଜର ବଳ ପରାକ୍ରମ ଦେଖାଅ ।”
ସେମାନେ ସମସ୍ତେ ମହାନନ୍ଦ ସହିତ ଯୁଦ୍ଧ କରି ଜଣକ ପରେ ଜଣେ ହାରିଗଲେ । ସେମାନେ ସମସ୍ତେ ବୁଝିପାରିଲେ କି ମହାନନ୍ଦ ଆଉ ପୂର୍ବର ସେହି ମହାନନ୍ଦ ହୋଇ ନାହାଁନ୍ତି । ତେଣୁ ସେମାନେ ତାଙ୍କୁ କହିଲେ, “ହେ ପରମାବୀର, ଏହି ଭୂମଣ୍ଡଳରେ ଯଦି କେହି ବୀର ଥାନ୍ତି, ତେବେ ସେ ହେଉଛନ୍ତି ଉଗ୍ରସେନ । ତୁମେ ତ ତାଙ୍କଠାରୁ ଅଧିକ ବୀରତ୍ୱ ଦେଖାଇ ବଡବୀର ବୋଲି ପ୍ରମାଣିତ ହେଲ । ଏବେ ତୁମର ସମାସ୍କନ୍ଧ ବୀର ଆଉ କେହିବି ନାହିଁ ।”
ସେମାନଙ୍କର ଏଭଳି କଥା ଶୁଣି ମହାନନ୍ଦ ବହୁତ ଖୁସି ହେଲେ । ଏବେ ସେ ଭାବିଲେ ବିଜୟ ଯୋଗୁଁ ମୋର ଉତ୍ସାହ ଦିନକୁ ଦିନ ବଢିଚାଲିଛି ଏବଂ ଉଗ୍ରସେନ ପରାଜୟ ଯୋଗୁଁ ଶିଥିଳ ହୋଇ ପଡିଛନ୍ତି । ତେଣୁ ସାଧାରଣ ବୀରଙ୍କ ସହିତ ମଧ୍ୟ ଲଢାଇ କରିବାକୁ ସେ ଡରୁଛନ୍ତି ।”
ମହାନନ୍ଦ ଭାବିଲେ, “ହୁଏତ ଜନତା ଭାବିବେ କି ମୁଁ ଜଣେ ବୃଦ୍ଧ ଶକ୍ତିହୀନ ଲୋକକୁ ହରାଇଛି । ତେଣୁ ସେମାନଙ୍କର ପ୍ରକୃତ ଧାରଣା ମୋ ବିଷୟରେ ଦେବାକୁ ହେଲେ ଉଗ୍ରସେନ ଏବେ ଅନ୍ୟବୀର ମାନଙ୍କୁ ହରାନ୍ତୁ ।”
ଏହି କାର୍ଯ୍ୟକୁ ରୂପ ଦେବାକୁ ସେ ବୃଦ୍ଧଙ୍କୁ ସାହାଯ୍ୟ ଭିକ୍ଷା କଲେ । ଏକଥା ଶୁଣି ବୃଦ୍ଧ ବଡ ଜୋର୍ରେ ଅଟ୍ଟହାସ୍ୟ କରି କହିଲେ, “ଉଗ୍ରସେନ, ସେମାନଙ୍କ ସହିତ ଲଢିବେ ନାହିଁ । ତୁମେ ଚାହଁ ତ ଲଢିପାର ।”
ମହାନନ୍ଦ ସଗର୍ବେ କହିଲେ “ମୁଁ ତ ତାଙ୍କୁ ହରାଇଛି ।” ଏହାର ଉତ୍ତରରେ ସେ ବୃଦ୍ଧ କହିଲେ “ସେ ତ ପରାଜୟର ସ୍ୱାଦ ଚାଖିବାକୁ ଜାଣି ଜାଣି ହାରିଛନ୍ତି । ଏବେ ତୁମେ ତାଙ୍କୁ ହରାଇବାକୁ ଆଉ ଚେଷ୍ଟା କରନା ।”
ମହାନନ୍ଦ କହିଲେ “ମୋର ଉତ୍ସାହ ବିଜୟରୁ ଲାଭ ହୋଇଛି । ତାଙ୍କର ନିରୁତ୍ସାହ ପରାଜୟରୁ । ଲଢାଇ ହେଲେ ମୁଁ ଅବଶ୍ୟ ଜିତିବି ।”
ବୃଦ୍ଧ କହିଲେ “ତମେ ଜାଣନାହିଁ କି, ଉଗ୍ରସେନ ତୁମର ବୁଟି ଅପେକ୍ଷା ଅଧିକ ଶକ୍ତିଶାଳୀ ବୁଟି ଖାଇଛନ୍ତି, ଏହି ପୃଥିବୀରେ ତାଙ୍କୁ କେହିବି ହରାଇ ପାରିବେ ନାହିଁ ।”
ତାଙ୍କ ଉତ୍ତର ଶୁଣି ମହାନନ୍ଦ ପଚାରିଲେ, “କ’ଣ ସେହି ବୈରାଗୀ ତାଙ୍କୁ ବି ଔଷଧ ଦେଇଥିଲେ?
ତହୁଁ ସେ ବୃଦ୍ଧ ଜଣକ ଧୀର ଭାବରେ କହିଲେ, “ନାହିଁ । ତୁମେହିଁ ଦେଇଥିଲ । ସମର୍ଥ ଓ ଶକ୍ତିଶାଳୀ ବୀର ଯେବେ ପରାଜିତ ହୁଏ, ସେତେବେଳେ ଘାଏଲ୍ ବାଘ ପରି ସେ ସମସ୍ତ ଶକ୍ତି ଠୁଳ କରି ବିରୋଧୀ ଉପରେ କୁଦି ପଡେ । ଉଗ୍ରସେନ ଖାଇଥିବା ବୁଟି ହେଲା ତୁମ ହାତରେ ହାରିବା । ଏବେ ସେ ଠିକ୍ ଜାଣିପାରିଲେ ଯେ ପରାଜୟ କେତେ ଘୃଣାସ୍ପଦ ବିଷୟ । ସେ ଆଉ କେବେ ମଧ୍ୟ ପରାଜିତ ହେବେ ନାହିଁ ।”
କିନ୍ତୁ ବିଜୟ ଉନ୍ମାଦରେ ମତ ମହାନନ୍ଦ ଉଗ୍ରସେନଙ୍କୁ ଖଡ୍ଗ ଯୁଦ୍ଧ ପାଇଁ ଆହ୍ୱାନ କଲେ; ଯୁଦ୍ଧ ହେଲା ଓ ମହାନନ୍ଦ ହାରିଗଲେ ।
ପ୍ରକୃତ କଥା ହେଲା, ମହାନନ୍ଦ ଉଗ୍ରସେନଙ୍କର ସମକକ୍ଷ ଯୋଦ୍ଧା ନୁହଁନ୍ତି । ତୁଳନାରେ ସେ ସମର୍ଥ, ଶକ୍ତିଶାଳୀ ବା କୌଶଳୀ କିଛି ବି ନଥିଲେ । ଏହି ପରାଜୟ ମହାନନ୍ଦଙ୍କୁ ଉତ୍ସାହହୀନ କରିଦେଲା । ସେ ଆଉ କେବେ ମଧ୍ୟ ଲଢାଇ କରିବାକୁ ଉଗ୍ରସେନଙ୍କୁ ଆହ୍ୱାନ କଲେ ନାହିଁ । କାରଣ ସେ ଜାଣିପାରିଲେ ଯେ ନିଜର ଶକ୍ତି ସୀମିତ ।